Below header

ତୃତୀୟ ଦିନିକିଆ ଓ ସିରିଜ୍‌ ଜିତିବା ପାଇଁ ଭାରତକୁ ଇଣ୍ଡିଜ୍‌ ଦେଲା ୩୧୬ ରନ୍‌ର ଚ୍ୟାଲେଞ୍ଜ

କଟକ (କେ ନ୍ୟୁଜ୍‌) : ବାରବାଟୀ ଲଢ଼େଇ ଖୁବ୍‌ ରୋଚକ ହେବାରେ ଲାଗିଛି । ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜ୍‌ ଦଳ କରିଛି ୫ ଓ୍ଵିକେଟ୍‌ରେ ୩୧୫ ରନ୍‌ । ଯାହା ଫଳରେ ତୃତୀୟ ତଥା ଶେଷ ମ୍ୟାଚ୍‌ ଏବଂ ଦିନିକିଆ ସିରିଜ୍‌ ଜିତିବା ପାଇଁ ଘରୋଇ ଭାରତୀୟ ଦଳ ଆଗରେ ରହିଛି ୩୧୬ ରନ୍‌ର ଚ୍ୟାଲେଞ୍ଜ୍‌ । ଏବେ ବିରାଟ ବାହିନୀକୁ ଦେଖାଇବାକୁ ପଡ଼ିବ ତାର ଅସଲ ଖେଳ ।

INDIESବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ ନେବା ପରେ ଇଣ୍ଡିଜ୍‌ର ଦୁଇ ଓପ୍ନର୍‌ ପ୍ରଥମ ଓ୍ଵିକେଟ୍‌ରେ ୫୭ ରନ୍‌ ଯୋଡ଼ିଥିଲେ । ତେବେ ସେମାନଙ୍କ ନିଜସ୍ୱ ଷ୍ଟାଇଲ୍‌ ଆକ୍ରମଣାତ୍କକ ମନୋଭାବ ନଥିଲା । ସତର୍କତାର ସହ ୧୫ ଓଭର୍‌ ଯାଏ ଖେଳିଥିଲେ । ହେଲେ ସ୍ପିନର୍‌ ରବୀନ୍ଦ୍ର ଜାଡେଜା ଏହି ଯୋଡ଼ିକୁ ଭାଙ୍ଗିଥିଲେ । ସେ ଲୁଇସ୍‌ଙ୍କୁ ୨୧ ରନ୍‌ରେ ଆଉଟ୍‌ କରି ଦଳ ପାଇଁ ପ୍ରଥମ ସଫଳତା ଆଣି ଦେଇଥିଲେ । ଏହାପରେ ସାଇ ହୋପ୍‌ ୪୨ ରନ୍‌ କରି ନବଦୀପ ସନିଙ୍କ ପ୍ରଥମ ଶିକାର ହୋଇଥିଲେ । ଏହା ପରେ ଅବଶ୍ୟ ରୋଷ୍ଟନ୍‌ ଚେଜ୍‌ ଏବଂ ହେଟମେୟର ତୃତୀୟ ଓ୍ଵିକେଟ୍‌ରେ ମୂଲ୍ୟବାନ୍‌ ୬୨ ରନ୍‌ ଯୋଡ଼ିଥିଲେ । ହେଲେ ସ୍କୋର ୧୩୨ ରନ୍‌ରେ ପହଞ୍ଚିବା ପରେ ସନି ଏମାନଙ୍କ ଜମି ଆସୁଥିବା ପାର୍ଟନରସିପ୍‌କୁ ଭାଙ୍ଗି ଦେଇଥିଲେ । ହେଟମେୟର ୩୭ ଏବଂ ଅଳ୍ପ ରନ୍‌ ବ୍ୟବଧାନରେ ଚେଜ୍‌ ୩୮ ରନ୍‌ କରି ସନିଙ୍କ ଦ୍ୱାରା ଆଉଟ୍‌ ହୋଇ ଯାଇଥିଲେ । କୁଲଦୀପ ଯାଦବ ହେଟମେୟରଙ୍କର ଏକ ଚମତ୍କାର କ୍ୟାଚ୍‌ ଧରିଥିଲେ । ଇଏ ହେଉଛି ସନିଙ୍କର ପ୍ରଥମ ଦିନିକିଆ ମ୍ୟାଚ୍‌ ।

ଜମେଇ ଦେଲେ ପୁରନ୍‌ ଓ ପୋଲାର୍ଡଙ୍କ ଯୋଡ଼ି

POLARD

ଏହାପରେ ଦଳୀୟ ସ୍କୋର ୧୪୪ ରନ୍‌ ହୋଇଥିବା ବେଳେ ଆରମ୍ଭ ହୋଇଥିଲା ପୁରନ୍‌ ଓ ଅଧିନାୟକ କିରେନ୍‌ ପୋଲାର୍ଡଙ୍କ ଭାଗିଦାରୀ । ପ୍ରଥମରୁ ସତର୍କତାର ସହ ଖେଳି ପରେ ପରେ ପୁରନ୍‌ ଆରମ୍ଭ କରି ଦେଇଥିଲେ ଆକ୍ରମଣ । ଶେଷରେ ୬୪ ବଲ୍‌ରେ ୮୯ ରନ୍‌ (୧୦ ଚୌକା, ୩ ଛକା) କରି ସାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଅଧିନାୟକ ପୋଲାର୍ଡଙ୍କ ସହ ୩୨ରୁ ୪୮ ଓଭର୍‌ ପର୍ଯ୍ୟନ୍ତ ଖେଳି ସେ ୧୩୫ ରନ୍‌ର ଭାଗିଦାରୀ କରିଥିଲେ । ଅନ୍ୟପଟେ ପୋଲାର୍ଡ ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ ଭାରତୀୟ ବୋଲର୍‌ଙ୍କୁ ଆଟାକ୍‌ କରି ୭୪ ରନ୍‌ କରିଛନ୍ତି । ସେ ୫୧ ବଲ୍‌ ଖେଳି ୩ ଚୌକା ଓ ୭ଟି ଛକା ମାରିଥିଲେ । ଶେଷ ଓଭର୍‌ରେ ସାମିଙ୍କ ବଲ୍‌ରେ ଇଣ୍ଡିଜ୍‌ ୧୬ ରନ୍‌ ସଂଗ୍ରହ କରିଥିଲା । । ଶେଷ ୧୦ ଓଭର୍‌ରେ ଇଣ୍ଡିଜ୍‌ ୧୧୮ ରନ୍‌ ସ୍କୋର କରିଥିଲା ।

ସନି ହିଟ୍‌, କୁଲଦୀପ ଫ୍ଲପ୍‌

ବିଶାଖାପାଟଣା ମ୍ୟାଚ୍‌ରେ ‘ହ୍ୟାଟ୍ରିକ୍‌’ ନେଇ ଦଳକୁ ଜିତାଇଥିବା ସ୍ପିନର କୁଲଦୀପ ଯାଦବ ଆଜି କିଛି କମାଲ କରି ପାରିଲେ ନାହିଁ । ଓଲଟା ପୁରନ୍‌ ଓ ପୋଲାର୍ଡ ତାଙ୍କୁ ବଡ଼ ବଡ଼ ଛକା ମାରିଥିଲେ । ସେ ୧୦ ସଭର୍‌ରେ ୬୭ ରନ୍‌ ଦେଇ ଗୋଟିଏ ବି ଓ୍ଵିକେଟ୍‌ ପାଇ ନଥିଲେ ।

INDIA BOWLING-1

ଅନ୍ୟତମ ସ୍ପିନର୍‌ ରବୀନ୍ଦ୍ର ଜାଡେଜା ୧୦ ଓଭର୍‌ରେ ୫୪ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ । ସନି ୧୦ ଓଭର୍‌ରେ ୫୮ ରନ୍‌ ଦେଇ ୨ଟି, ଠାକୁର ୧୦ ଓଭରରେ ୬୬ ରନ୍‌ ଦେଇ ଗୋଟିଏ ଏବଂ ସାମି ୧୦ ଓଭର୍‌ ବୋଲିଂରେ ୬୬ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.