ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଆଗାମୀ ଅଧିବେଶନ ଆୟୋଜନ କରିବ ଭାରତ

ମୁମ୍ବଇ : ଆନ୍ତର୍ଜାତିକ ଅଲିମ୍ପିକ କମିଟିର ଆଗାମୀ ବୈଠକ ମୁମ୍ବଇର ‘ଜିଓ ୱାର୍ଲଡ କନଭେନ୍ସନ ସେଣ୍ଟର’ରେ ଅନୁଷ୍ଠିତ ହେବ । ୨୦୨୩ରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଆୟୋଜନ ସ୍ଥଳକୁ ନେଇ ହୋଇଥିବା ମତଦାନରେ ଭାରତକୁ ୭୬ ମଧ୍ୟରୁ ୭୫ ଜଣଙ୍କ ସମର୍ଥନ ମିଳିଛି । ବହୁମତ ହାସଲ ସହିତ ଏହି ଅଧିକାର ଜିତିବା ପରେ ଆଇଓସି (ଆନ୍ତର୍ଜାତିକ ଅଲିମ୍ପିକ କମିଟି) ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଏହା ଭାରତ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ।

ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇ ନୀତା ଅମ୍ବାନି ଆଇଓସିର ଆଗାମୀ ବୈଠକ ଭାରତରେ ଆୟୋଜନ କରିବା ନେଇ ଜୋର୍ଦାର ଦାବି ଉପସ୍ଥାପନ କରିଥିଲେ । ଆଇଓସି ସଦସ୍ୟବୃନ୍ଦଙ୍କୁ ସେ କହିଥିଲେ ଯେ ଭବିଷ୍ୟତରେ ଯୁବ ଅଲିମ୍ପିକ ଏବଂ ଅଲିମ୍ପିକ କ୍ରୀଡା ଭାରତକୁ ଆଣିବା ଆମର ସ୍ୱପ୍ନ । ଆମେ ଚାହୁଁଛୁ ଯେ ବିଶ୍ୱର ସବୁଠାରୁ ଯୁବରାଷ୍ଟ୍ର ଭାରତର ଯୁବପିଢି ଅଲିମ୍ପିକର ଭବ୍ୟତା ଏବଂ ବିଶାଳତାକୁ ଅନୁଭବ କରନ୍ତୁ । ଆମେ ଏହି ପ୍ରୟାସକୁ ଆହୁରି ଅଧିକ ମଜଭୁତ କରିବାକୁ ଚାହୁଁଛୁ ।

ଆଇଓସିର ବାର୍ଷିକ ବୈଠକ ଆୟୋଜନ ସୁଯୋଗ ଭାରତକୁ ମିଳିବାରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, ଅଲିମ୍ପିକ ଅଭିଯାନ ୪୦ ବର୍ଷ ପ୍ରତୀକ୍ଷା ପରେ ଭାରତକୁ ଫେରୁଛି । ୨୦୨୩ରେ ମୁମ୍ବଇରେ ଆଇଓସିର ଅଧିବେଶନ ଆୟୋଜନ କରିବାର ସମ୍ମାନ ଭାରତକୁ ପ୍ରଦାନ କରିଥିବାରୁ ସେ ଆନ୍ତର୍ଜାତିକ ଅଲିମ୍ପିକ କମିଟିକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ଭାରତୀୟ କ୍ରୀଡାଜଗତ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ କରାଇବ । ଏହି ଅବସରରେ ବଂଚିତ ବର୍ଗର ଯୁବଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର କ୍ରୀଡା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ସେ ପ୍ରସ୍ତାବ ରଖିଥିଲେ ।

nita-1

ଭାରତୀୟ ପ୍ରତିନିଧିମଣ୍ଡଳୀରେ ନୀତା ଅମ୍ବାନି, ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ସୁଟିଂରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ପ୍ରମୁଖ ସାମିଲ ଥିଲେ । ବେଜିଂରେ ଚାଲିଥିବା ଆଇଓସିର ବାର୍ଷିକ ଅଧିବେଶନରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଭର୍ଚୁଆଲ ମାଧ୍ୟମରେ ଆଗାମୀ ବୈଠକ ଭାରତରେ ଆୟୋଜନ ସପକ୍ଷରେ ନିଜ ପ୍ରସ୍ତାବ ଉପସ୍ଥାପନା କରିଥିଲେ ।

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ଡା. ନରିନ୍ଦର ବାତ୍ରା ଏକ ବିବୃତିରେ କହିଛନ୍ତି ଯେ ମୁଁ ଶ୍ରୀମତୀ ନୀତା ଅମ୍ବାନିଙ୍କୁ ତାଙ୍କର ଦୃଷ୍ଟିକୋଣ ଏବଂ ନେତୃତ୍ୱ ପାଇଁ ତଥା ମୋର ସମସ୍ତ ଆଇଓସି ସହଯୋଗୀଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି । ଆସନ୍ତା ବର୍ଷ ମୁମ୍ବଇରେ ଆପଣଙ୍କୁ ଅପେକ୍ଷା କରିବୁ । ସୂଚନା ଥାଉ କି ଏହା ପୂର୍ବରୁ ୧୯୮୩ରେ ଶେଷଥର ପାଇଁ ଭାରତରେ ଆଇଓସିର ଅଧିବେଶନ ଆୟୋଜିତ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.