ପୁଣି ଧୋନି ସାଜିଲେ ମ୍ୟାଚ୍ ଫିନିସର୍; ହାରିଲା ଅଷ୍ଟ୍ରେଲିଆ, ପ୍ରଥମ ଦିନିକିଆ ସହଜରେ ଜିତିଲା ଭାରତ

ହାଇଦ୍ରାବାଦ : ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ସହଜରେ ମାତ୍ ଦେଲା ଭାରତ । ୬ ଓ୍ଵିକେଟ୍ରେ ବିଜୟୀ ହୋଇ ୧-୦ରେ ସିରିଜ୍ ଆଗୁଆ ରହିଛି ବିରାଟ ବାହିନୀ । ୨୩୭ ରନ୍ର ଟାର୍ଗେଟ୍ ନେଇ ଘରୋଇ ଦଳମାତ୍ର ୪ ରନ୍ରେ ଶିଖର ଧବନଙ୍କୁ ହରାଇବା ପରେ ବାକି ବ୍ୟାଟ୍ସମ୍ୟାନ୍ଙ୍କ ଯୋଗଦାନରେ ଲକ୍ଷ୍ୟ ହାସଲ କରି ନେଇଥିଲା । ରୋହିତ ଶର୍ମା ୩୭, ଅଧିନାୟକ କୋହଲି ୪୪ ରନ୍ କରିବା ପରେ ମ୍ୟାଚ୍ ଫିନିସର୍ ଧୋନି ଏବଂ କେଦାର ଯାଦବ ବାକିଆ କାମ ସାରି ଦେଇଥିଲେ । ୯୯ ରନ୍ରୁ ଏହି ପଞ୍ଚମ ଓ୍ଵିକେଟ୍ ଭାଗିଦାରୀ ଆରମ୍ଭ ହୋଇଥିଲା । ଉଭୟ ଅର୍ଦ୍ଧଶତକ ହାସଲ କରି ୧୪୧ ରନ୍ ଯୋଡ଼ିବା ସହ ୪୮.୨ ଓଭରରେ ଦଳକୁ ବିଜୟୀ କରାଇଥିଲେ ।
ଧୋନିଙ୍କର ଏହା ୫୧ତମ ଏବଂ ଯାଦବଙ୍କର ପଞ୍ଚମ ଦିନିକିଆ ଅର୍ଦ୍ଧଶତକ ଥିଲା । ଧୋନି୭୨ ବଲ୍ରୁ ଅପରାଜିତ ୫୯ (୬ ଚୌକା ଓ ୧ ଛକା) ଏବଂ ଯାଦବ ଅପରାଜିତ ୮୧ ରନ୍ (୮୭ ବଲ୍, ୯ ଚୌକା ଓ ୧ ଛକା) କରିଥିଲେ ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୭ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ୫୦ ଓଭରରେ କରିଥିଲା ୨୩୬ ରନ୍ । ଏଠାକାର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ପ୍ରଥମେ ବ୍ୟାଟିଂ ନେଇଥିଲେ । ତେବେ ଯଶପ୍ରୀତ ବୁମରା ମ୍ୟାଚ୍ର ଦ୍ୱିତୀୟ ଓଭରରେ ଫିଞ୍ଚ୍ଙ୍କୁ ଧୋନିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରି ଭାରତ ପାଇଁ ସଫଳତା ଆଣି ଦେଇଥିଲେ । ତେବେ ଖ୍ଵାଜା ୭୬ ବଲ୍ରେ ୫୦ (୫ ଚୌକା, ୧ ଛକା), ଷ୍ଟୋଇନିସ୍ ୩୭, ମାକ୍ସେଓ୍ଵଲ ୪୦, ଆଲେକ୍ସ କାରେ ଅପରାଜିତ ୩୬ ରନ୍ (୩୭ ବଲ୍, ୫ ଚୌକା), କଲଟର ନିଲ୍ ୨୭ ବଲ୍ରୁ ୨୮ ରନ୍ କରିବା ଫଳରେ କଙ୍ଗାରୁ ଦଳ ୨୦୦ ରନ୍ ଅତିକ୍ରମ କରି ପାରିଥିଲା । ଏଠାରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଯୁବ ବ୍ୟାଟ୍ସମ୍ୟାନ୍ ଆଷ୍ଟନ୍ ଟର୍ଣ୍ଣର ୨୩ ବଲ୍ରୁ ୨୧ ରନ୍ କରିଥିଲେ ।
ଭାରତ ପକ୍ଷରୁ ମହମ୍ମଦ ସାମି, ବୁମରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ବୁମରା ୨ଟି ଓ୍ଵିକେଟ୍ ଦଖଲ କରିଥିଲେ ମଧ୍ୟ ଓଭର ପିଛା ୬ ହାରରେ ୬୦ ରନ୍ ବ୍ୟୟ କରିଥିଲେ ।
ସ୍କୋର-ଅଷ୍ଟ୍ରେଲିଆ : ୨୩୬/୭, ୫୦ ଓଭର (ଉସମାନ ଖ୍ଵାଜା ୫୦, ଫିଞ୍ଚ ୦, ଷ୍ଟୋଇନିସ୍ ୩୭, ହାଣ୍ଡସ୍କମ୍ବ ୧୯, ମାକ୍ସେଓ୍ଵଲ ୪୦, ଟର୍ଣ୍ଣର୍ ୨୧, କାରେ ଅପରାଜିତ ୩୬, କଲଟର୍ ନିଲ ୨୮ । ସାମି ୨/୪୪, ବୁମରା ୨/୬୦, କୁଲଦୀପ ଯାଦବ ୨/୪୬) ।
ଭାରତ-୨୪୦/୪, ୪୮.୨ ଓଭର (ରୋହିତ ଶର୍ମା ୩୭, ଧବନ୍ ୦, କୋହଲି ୪୪, ରାୟୁଡୁ ୧୩, ଧୋନି ଅପରାଜିତ ୫୯, କେଦାର ଯାଦବ ଅପରାଜିତ ୮୧ । କଲଟର ନିଲ ୨/୪୬, ଜମ୍ପା ୨/୪୯) ।
MS Dhoni finishes it off in style.
Kedar Jadhav (81*) and MS Dhoni (59*) hit half-centuries as #TeamIndia win by 6 wickets and take a 1-0 lead in the 5 match ODI series #INDvAUS pic.twitter.com/HHA7FfEDjZ
— BCCI (@BCCI) 2 March 2019