ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡ ଠାରୁ ଭାରତୀୟ ମହିଳା ଦଳ ୨ ରନ୍‌ରେ ପରାସ୍ତ

ହାମିଲଟନ୍‌ : ସେଡନ୍‌ ପାର୍କ ଷ୍ଟାଡିୟମ୍‌ରେ ପୁରୁଷ ଦଳର ମ୍ୟାଚ୍‌ ପୂର୍ବରୁ ଭାରତୀୟ ମହିଳା ଦଳ ତାର ଶେଷ ଟି-୨୦ ମ୍ୟାଚ୍‌ ଖେଳିଛି । ତେବେ ଜୋରଦାର ଲଢ଼େଇ କରିବା ସତ୍ତ୍ୱେ ମହିଳା ଟିମ୍‌ ଘରୋଇ ଦଳ ଠାରୁ ମାତ୍ର ୨ ରନ୍‌ରେ ହାରିଯାଇଛି । ଫଳରେ ନ୍ୟୁଜିଳାଣ୍ଡ ୩-୦ରେ ସିରିଜ୍‌ ବିଜୟୀ ହାଇଛି ।
ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ କରିଥିଲା ୧୬୧ ରନ୍‌ । ଜବାବରେ ଭାରତୀୟ ଦଳ ଭଲ ଖେଳି ସୁଦ୍ଧା ନିର୍ଦ୍ଧାରିତ ଓଭରରେ ମାତ୍ର ୪ ଓ୍ଵିକେଟ୍‌ ହରାଇଥିଲେ ମଧ୍ୟ ୧୫୯ ରନ୍‌ କରି ବିଜୟଲକ୍ଷ୍ୟରୁ ୩ ରନ୍‌ ପଛରେ ରହି ଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଓପ୍ନର ସୋଫି ଡିଭାଇନ୍‌ ସର୍ବାଧିକ ୭୨ ରନ୍‌ କରିଥିଲେ । ତାଙ୍କୁ ପ୍ଲୋୟାର ଅଫ୍‌ ଦି ମ୍ୟାଚ୍‌ ଓ ପ୍ଲେୟାର ଅଫ୍‌ ଦି ସିରିଜ୍‌ ଘୋଷଣା କରାଯାଇଛି ।

SMRUTI
ସ୍ମୃତି ମନ୍ଧାନା

ସେପଟେ ଭାରତ ତରଫରୁ ନିଜର ଚମତ୍କାର ଫର୍ମ ବଜାୟ ରଖିଥିବା ସ୍ମୃତି ମନ୍ଧାନା ୬୨ ବଲ୍‌ରେ ୮୬ ରନ୍‌ର (୧୨ ଚୌକା, ୧ ଛକା) ବଢ଼ିଆ ପାଳି ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ । ଦଳରୁ ବାଦ ପଡ଼ିବା ପରେ ଏହି ଶେଷ ମ୍ୟାଚ୍‌ ରେ ଖେଳିଥିବା ମିତାଲି ରାଜ ୨୪ ଏବଂ ଦୀପ୍ତି ଶର୍ମା ୨୧ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଶେଷ ଓଭରରେ ଜିତିବା ପାଇଁ ଦଳକୁ ୧୬ ରନ୍‌ ଦରକାର ହେଉଥିଲା । ହେଲେ ଦୀପ୍ତିଙ୍କ ଦୁଇ ଦୁଇଟି ଚୌକା ସତ୍ତ୍ୱେ ୧୩ ରନ୍‌ ହିଁ ସଂଗ୍ରହ ହୋଇ ପାରିଥିଲା ।
ସ୍କୋର : ନ୍ୟୁଜିଲାଣ୍ଡ-୧୬୧/୭, ୨୦ ଓଭର (ସୋଫି ଡିଭାଇନ୍‌ ୭୨, ଏମି ସାଟର୍ଥେଓ୍ଵଟ୍‌ ୩୧ । ଦୀପ୍ତି ଶର୍ମା ୨/୨୮) । ଭାରତ-୧୫୯/୪, ୨୦ ଓଭର (ସ୍ମୃତି ମନ୍ଧାନା ୮୬, ରଡ୍ରିଗୁଏଜ୍‌ ୨୧, ମିତାଲି ରାଜ ଅପରାଜିତ ୨୪, ଦୀପ୍ତି ଶର୍ମା ଅପରାଜିତ ୨୧) ।

 

Leave A Reply

Your email address will not be published.