ଜୋକୋଭିକଙ୍କ ଭିସା ରଦ୍ଦ, କେମିତି ଖେଳିବେ ଅଷ୍ଟ୍ରେଲିଆ ଓପନ ?

ବିଶ୍ୱର ନଂ ୧ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଅଷ୍ଟ୍ରେଲିଆରେ ପ୍ରବେଶ କରିବା ପାଇଁ ଅନୁମତି ଦିଆନଯାଇ ବିତାଡିତ କରାଯାଇଛି। ଏଥିପାଇଁ ତାଙ୍କୁ ବିମାନ ବନ୍ଦରରେ ୮ ଘଣ୍ଟା ରଖାଯାଇଥିଲା। ଜୋକୋଭିକ୍‌ ଅଷ୍ଟ୍ରେଲିଆରେ ପ୍ରବେଶ କରିବା ପାଇଁ ସର୍ତ୍ତ ପୂରଣ କରୁନଥିବାରୁ ତାଙ୍କ ଭିସାକୁ ବାତିଲ କରାଯାଇଛି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଗୁରୁବାର ସକାଳେ ଏକ ଟୁଇଟ୍ ଜରିଆରେ ଲେଖିଛନ୍ତି: “ଶ୍ରୀ ଜୋକୋଭିକଙ୍କ ଭିସା ବାତିଲ ହୋଇଛି। ଜୋକୋଭିକ୍‌ କୋଭିଡ ୧୯ ଟିକା ନେଇଛନ୍ତି କି ନାହିଁ, ତାହା ସଂପର୍କରେ କିଛି ମଧ୍ୟ ସୂଚନା ଦେଇନାହାନ୍ତି। ଅଷ୍ଟ୍ରେଲିଆ ଆସିବା ପାଇଁ ଯେକୌଣସି ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ଟିକାକରଣ ବାଧ୍ୟତାମୂଳକ। କିନ୍ତୁ ସେ ସଂପୂର୍ଣ୍ଣ ଟିକା ନେଇଛନ୍ତି କି ନାହିଁ, ତାହା ଜଣାଇନାହାନ୍ତି।

ଭିସା ରଦ୍ଦ ହୋଇଥିବାରୁ ଜୋକୋଭିକ୍‌ ଅଷ୍ଟ୍ରେଲିଆରୁ ବିଦା ହେବାକୁ ପଡ଼ିବ। ତେବେ ଅଷ୍ଟ୍ରେଲିଆ ଅଧିକାରୀଙ୍କ ଏପରି ଭିସା ରଦ୍ଦ ନିଷ୍ପତ୍ତିକୁ ଜୋକୋଭିକ୍‌ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ବାସ୍ତବରେ ଅଷ୍ଟ୍ରେଲିଆ ସରକାର ନିଜ ଦେଶରେ ପ୍ରବେଶ ପାଇଁ ଟିକାକରଣ ବାଧ୍ୟତାମୂଳକ କରିଛନ୍ତି। ଜୋକୋଭିକ ବୁଧବାର ବିଳମ୍ବିତ ରାତିରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ନିଜର ଟିକାକରଣ ଷ୍ଟାଟସ ଦେଖାଇବାକୁ କୁହାଯାଇଥିଲା। ହେଲେ ସେ ଏହା ସର୍ବସମ୍ମୁଖରେ ପ୍ରଦର୍ଶନ କରିପାରିବେ ନାହିଁ ବୋଲି କହିଥିଲେ।

ଜୋକୋଭିକଙ୍କୁ ମେଡିକାଲ ପ୍ରୋଟୋକଲର ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି ଅଷ୍ଟ୍ରେଲିଆ ସରକାର ପୂର୍ବରୁ କହିଥିବା ସେ ଇନଷ୍ଟାଗ୍ରାମରେ ଦାବି କରିଛନ୍ତି। ଜାନୁଆରୀ ୧୭ରୁ ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବ। ୯ଥର ଟ୍ରଫି ଜିତିଥିବା ଜୋକଭିଚ୍‌ ଏଥର ନିଜର ୨୧ତମ ଗ୍ରାଣ୍ଡସ୍ଲାମ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ କରୋନା ଓ ଟିକାକରଣ ଅଡ଼ୁଆ ତାଙ୍କ ରାସ୍ତାରେ କଣ୍ଟା ସାଜିଛି।

ଅନ୍ୟପକ୍ଷରେ ଜୋକୋଭିକ ଟିକା ନ ନେଇ ଅଷ୍ଟ୍ରେଲିଆ ଆସିବାକୁ ଅନୁମତି ପାଇବା ଘଟଣା ପୂର୍ବରୁ ପ୍ରକାଶ ପାଇଥିଲା। ଯାହାକୁ ନେଇ ଅଷ୍ଟ୍ରେଲିଆ ସରକାର ତୀବ୍ର ସମାଲୋଚନାର ଶିକାର ହୋଇଥିଲେ। କାରଣ ଟିକା ନେଇ ନଥିବା ଲୋକଙ୍କୁ ଅଷ୍ଟ୍ରେଲିଆରେ ରହୁଥିବା ସେମାନଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଦିଆଯାଉନି। ହେଲେ ଜୋକୋଭିକଙ୍କୁ କେମିତି ଅଷ୍ଟ୍ରେଲିଆ ଆସିବାକୁ ଅନୁମତି ମିଳିଛି ବୋଲି ଅନେକ ପ୍ରଶ୍ନ କରିଥିଲେ।