ଓଡ଼ିଶା କ୍ରିକେଟ ଦଳର କୋଚ୍ ହେଲେ ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ, ରୁମେଲି ଧର୍ ମହିଳା ଦଳର ନୂଆ କୋଚ୍

ଓଡ଼ିଶା କ୍ରିକେଟର ସିନିୟର ପୁରୁଷ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ସମ୍ଭାଳିବେ ଦୀନେଶ ମୋଙ୍ଗିଆ । ସେହିପରି ସିନିୟର ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରୁମେଲି ଧରଙ୍କୁ ନିଯୁକ୍ତ ମିଳିଛି ।

(କେନ୍ୟୁଜ): ଓଡ଼ିଶା କ୍ରିକେଟର କୋଚ୍‌ ନିଯୁକ୍ତ । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍‌ ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ । ସିନିୟର ପୁରୁଷ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ସମ୍ଭାଳିବେ ଦୀନେଶ ମୋଙ୍ଗିଆ । ସେହିପରି ସିନିୟର ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରୁମେଲି ଧରଙ୍କୁ ନିଯୁକ୍ତ ମିଳିଛି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟଙ୍କର କାର୍ଯ୍ୟକାଳ ବର୍ଷେ ଲେଖାଏ ରହିବ । ଦୀନେଶ ମୋଙ୍ଗିଆ ୫୭ଟି ଅନ୍ତର୍ଜାତୀୟ ଦିନିକିଆ ଓ ଗୋଟିଏ ଟି-୨୦ ଖେଳିଛନ୍ତି । ୧୨୧ଟି ପ୍ରଥମ ଶ୍ରେଣୀ ଓ ୧୯୮ଟି ଲିଷ୍ଟ-ଏ ଫର୍ମାଟ ମ୍ୟାଚ ଖେଳିବା ଅଭିଜ୍ଞତା ରହିଛି । ସେହପିରି ରୁମେଲି ଭାରତ ପକ୍ଷରୁ ୪ଟି ଟେଷ୍ଟ, ୭୮ଟି ଦିନିକିଆ ଓ ୧୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ।

କୋଚ୍‌ ନିଯୁକ୍ତି ସହ ଓସିଏ ପକ୍ଷରୁ ଚୟନ କମିଟି ମଧ୍ୟ ଘୋଷଣା କରାଯାଇଛି । ଅମୀୟ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ବରିଷ୍ଠ ପୁରୁଷ ଚୟନ କମିଟିରେ ସୌରଜିତ ମହାପାତ୍ର ଓ ସୁବିତ ବିଶ୍ୱାଳ ସଦସ୍ୟ ଅଛନ୍ତି । କନିଷ୍ଠ ପୁରୁଷ ଦଳ ଚୟନ କମିଟିରେ ପ୍ରଭଞ୍ଜନ ମଲ୍ଲିକଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ଏଥିରେ ସଦସ୍ୟ ଅଛନ୍ତି ନିରଞ୍ଜନ ବେହେରା ଓ ଶୁଭ୍ରଜିତ ସାହୁ । ସେହିପରି ରଶ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ମହିଳା ଦଳ ଚୟନ କମିଟି । ଏଥିରେ ସସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ଗଙ୍ଗୋତ୍ରୀ ବେହେରା ଓ ସୁଧାଂଶୁବାଳ ସାହୁ ସଦସ୍ୟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.