ରଣଜୀ ଲଢ଼େଇ : ବସନ୍ତଙ୍କ ଜଲଓ୍ଵା ପରେ ଓଡ଼ିଶାର ବିପର୍ଯ୍ୟୟ

ଭୁବନେଶ୍ୱର (କେ ନ୍ୟୁଜ୍) : ପେସ୍ ବୋଲର୍ ବସନ୍ତ ମହାନ୍ତି ୬ ଓ୍ଵିକେଟ୍ ନେଇ ମାତ୍ର ୧୩୫ ରନ୍ରେ ରାଜସ୍ଥାନକୁ ଅଲ୍ଆଉଟ୍ କରି ଦେଲେ । ହେଲେ ଏହାର ଜବାବରେ ଆଜି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଓଡ଼ିଶା ତାର ପ୍ରମୁଖ ୪ଟି ଓ୍ଵିକେଟ୍ ହରାଇ କରିଛି ମାତ୍ର ୭୮ ରନ୍ । ଓଡ଼ିଶା ଏବେ ପ୍ରଥମ ଇନିଂସ୍ରେ ୫୭ ରନ୍ ପଛରେ ଅଛି ।
ପରୀକ୍ଷା ମୂଳକ ଭାବେ ଶାନ୍ତନୁ ମିଶ୍ର (୭) ଓ ରଣଜିତ ସିଂହ (୨)ଙ୍କୁ ଓପ୍ନର ଭାବେ ଆଣି ଓଡ଼ିଶା ଫେଲ୍ ମାରିଥିଲା । ପରେ ଦେବାଶିଷ ସାମନ୍ତରାୟ ଧୈର୍ଯ୍ୟ ଓ ସତର୍କତାର ସହ ବ୍ୟାଟିଂ କରି ଓ୍ଵିକେଟ୍ରେ ତିଷ୍ଠି ରହିଥିଲେ । ଆଜିର ଖେଳ ଶେଷ ହେଲା ବେଳକୁ ସେ ୧୦୭ଟି ବଲ୍ ଖେଳି ୩୦ ରନ୍ କରିଥିଲେ । ଅଧିନାୟକ ବିପ୍ଳବ ସାମନ୍ତରାୟ ମାତ୍ର ୮ ରନ୍ କରି ଆଉଟ୍ ହୋଇଛନ୍ତି । ଦେବାଶିଷଙ୍କ ସହିତ ୨୨ ରନ୍ କରି ଅପରାଜିତ ଅଛନ୍ତି ଅଭିଷେକ ରାଉତ । ରାଜସ୍ଥାନ ତରଫରୁ ପ୍ରମୁଖ ବୋଲର ଅନିକେତ ଚୌଧୁରୀ ଏବଂ ଟିଏମ୍ ଉଲ୍-ହକ୍ ୨ଟି ଲେଖାଏଁ ଓ୍ଵିକେଟ୍ ବାଣ୍ଟି ନେଇଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପେସ୍ ବୋଲର୍ ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ଆରମ୍ଭରୁ ଝଟ୍କା ଦେଇ ଚାଲିଥିଲେ । ମହିପାଲ ଲୋମରର ସର୍ବାଧିକ ୮୫ ରନ୍ କରି ରାଜସ୍ଥାନର ଶେଷ ବ୍ୟାଟ୍ସମ୍ୟାନ୍ ରୂପେ ଆଉଟ୍ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ସ୍କୋର କରି ପାରିନଥିଲେ । ବସନ୍ତ ୨୦ ରନ୍ରେ ୬ଟି ଏବଂ ରାଜେଶ ୬୩ ରନ୍ରେ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି । ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଏହାକୁ ମିଶାଇ ୧୮ଥର ଗୋଟିଏ ଇନିଂସ୍ରେ ୫ ଓ୍ଵିକେଟ୍ ଦଖଲ କଲେ ।
ସ୍କୋର : ରାଜସ୍ଥାନ ପ୍ରଥମ ଇନିଂସ୍-୧୩୫, ୩୭ ଓଭର (ମହିପାଲ ଲୋମର ୮୫ । ବସନ୍ତ ମହାନ୍ତି ୧୫-୬-୨୦୬ । ରାଜେଶ ମହାନ୍ତି ୧୩-୨-୬୩-୩ , ସୂର୍ଯ୍ୟକାନ୍ତ ପ୍ରଧାନ ୮-୧-୪୯-୧ )
ଓଡ଼ିଶା ପ୍ରଥମ ଇନିଂସ୍-୭୮/୪, ୩୯ ଓଭର (ଦେବାଶିଷ ସାମନ୍ତରାୟ ଅପରାଜିତ ୩୦, ଅଭିଷେକ ରାଉତ ଅପରାଜିତ ୨୨) ।