ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ ପାଇବେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପୁରସ୍କାର

ଭୁବନେଶ୍ବର (କେନ୍ୟୁଜ୍‌): ଓଡ଼ିଶାର ଦ୍ବିତୀୟ ଚେସ୍ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର ଏବଂ ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ଅରୁଣ ଦାସଙ୍କୁ ଚଳିତ ବର୍ଷର ବାର୍ଷିକ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସ୍ବୟମ୍ସଙ୍କୁ ୨୦୨୦ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ଏବଂ ଅରୁଣଙ୍କୁ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍’ ସମ୍ମାନ ପ୍ରଦାନ କରାଯିବ। ମାର୍ଚ୍ଚ ୨୧ ତାରିଖ ଓସ୍‌ଜାର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ କଟକରେ ଅୟୋଜିତ ହେବ ଏହି ପୁରସ୍କାର ଉତ୍ସବ । ଏ ସମ୍ପର୍କରେ ଆଜି ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ଏହି ଅବସରରେ କୋଭିଡ୍-୧୯ ପାଇଁ ଅଟକିଥିବା ୨୦୧୯ ମସିହାର ବାର୍ଷିକ ଓସ୍‌ଜା ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ବିଶ୍ବ ଚାମ୍ପିଅନସିପ୍ ସ୍ବର୍ଣ୍ଣ ପଦକ ବିଜେତା ପାରା ବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଏବଂ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ ପୂର୍ବ ବର୍ଷର ଏହି ପୁରସ୍କାର ପାଇବେ । ଉପରୋକ୍ତ ୪ ଜଣଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ସଂଘ ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।

ସ୍ବୟମ୍ସ ଗତବର୍ଷ ମେ’ ମାସରେ ଦେଶର ୬୨ତମ ଏବଂ ଓଡ଼ିଶାର ଦ୍ବିତୀୟ ଗ୍ରାଣ୍ଡମାଷ୍ଟର୍ ହେବାର ଗୌରବ ଅର୍ଜନ କରିଥିଲେ। ପୂର୍ବରୁ ଦେବାଶିଷ ଦାସ ରାଜ୍ୟର ପ୍ରଥମ ତଥା ଏକମାତ୍ର ଗ୍ରାଣ୍ଡମାଷ୍ଟର ଥିଲେ। ସେହିଭଳି ଠିକ୍ ୫୦ ବର୍ଷ ତଳେ ଅହମଦାବାଦରେ ଜାତୀୟ କନିଷ୍ଠ ଦୌଡ଼କୁଦର ଜାଭେଲିନ୍ ଥ୍ରୋରେ ମିଟ୍ ରେକର୍ଡ (୫୭.୯୬ ମିଟର୍) ପ୍ରତିଷ୍ଠା କରିଥିବା ଅରୁଣ ଦାସ ୧୯୭୨ରେ ରାଜସ୍ଥାନର ଜୟପୁରଠାରେ ବରିଷ୍ଠ ବର୍ଗରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ। ୧୯୭୪-୭୫ରେ ପାତିଆଲାରୁ ଏନଆଇଏସ୍ ପ୍ରଶିକ୍ଷକ ଭାବେ ଉତ୍ତୀର୍ଣ୍ଣ ହେବା ପରେ କୋଚ୍‌ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶାକୁ ଏକାଧିକ ଅନ୍ତର୍ଜାତୀୟ ଖେଳାଳି ପ୍ରଦାନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ।

ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍ଜେଏଫ୍ଆଇ)ର ଏକମାତ୍ର ଅନୁବନ୍ଧିତ ଓଡ଼ିଶା ସଂଘ ‘ଓସ୍‌ଜା’ ପକ୍ଷରୁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

ସୂଚନାଯୋଗ୍ୟ, ଓସ୍‌ଜା ପୁରସ୍କାରର ପ୍ରଥମ ବିଜେତା ଥିଲେ ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍ ଓ ବର୍ଷୀୟାନ ଫୁଟ୍ବଲ୍ ଖେଳାଳି ଦେବ ସିଂହ। ସେହିଭଳି ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବକ୍ସିଂ ପ୍ରଶିକ୍ଷକ ବ୍ରଜ ଭୂଷଣ ମହାନ୍ତି ଏହି ମର୍ଯ୍ୟଦାଜନକ ପୁରସ୍କାର ଗ୍ରହଣ କରିଥିଲେ। ୨୦୧୯ରେ ଓଡ଼ିଶାର ଅଷ୍ଟମ ଖେଳାଳି ଭାବେ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିବା ପ୍ରମୋଦ ଉଭୟ ଏକକ ଓ ଯୁଗଳ ବର୍ଗରେ ୫୦ରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି।

ଅନ୍ୟପକ୍ଷରେ ନିଜ ସମୟରେ ଜଣେ ବହୁମୁଖୀ କ୍ରୀଡ଼ା ତାରକା ଥିବା ପଞ୍ଚାନନ ଦ୍ବିତୀୟ ଓଡ଼ିଆ ଭାବେ ଜାତୀୟ ପ୍ରତିଯୋଗିତାର ୧୧୦ ମିଟର ହର୍ଡଲ୍‌ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପରେ ପ୍ରଶିକ୍ଷକ ଭାବେ ସେ ମଧ୍ୟ ଅନୁରାଧା ବିଶ୍ବାଳ ଓ ରଚିତା ମିସ୍ତ୍ରୀଙ୍କ ଭଳି ଅଲିମ୍ପିଆନ୍ ସୃଷ୍ଟି କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.