ବିଶ୍ୱକପ ୨୦୨୩: ଓ୍ଵାର୍ମଅପ୍‌ ମ୍ୟାଚରେ ପାକିସ୍ତାନୀ ଖେଳାଳିଙ୍କ ଫିଲ୍ଡିଂ ଭିଡିଓ ଭାଇରଲ, ଶିଖର ଧଓ୍ଵନ ଦେଲେ ପ୍ରତିକ୍ରିୟା

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସବୁ ଟିମ୍‌ ପ୍ରସ୍ତୁତ ରହିଛି । ଆଉ ଅଷ୍ଟ୍ରେଲିଆ ବିପକ୍ଷ ଓ୍ଵାର୍ମଅପ୍‌ ମ୍ୟାଚରେ ପାକିସ୍ତାନ ଟିମର ଖେଳାଳିଙ୍କ ଫିଲ୍ଡିଂ ଦେଖି ସମସ୍ତେ ତାଜୁବ ହୋଇପଡିଛନ୍ତି । ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

ବିଶ୍ୱକପ ୨୦୨୩କୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । ଆସନ୍ତାକାଲିରୁ ଆରମ୍ଭ ହୋଇଯିବ ବିଶ୍ୱକପ ମ୍ୟାଚ୍‌ । ଚଳିତଥର ବିଶ୍ୱକପ ଆୟୋଜନ ଭାରତ କରୁଛି । ଆଉ ଏଥିପାଇଁ ଭାରତର ୧୦ଟି ଷ୍ଟାଡିୟମ ପ୍ରସ୍ତୁତ ରହିଛି । ବିଶ୍ୱକପ ପୂର୍ବରୁ ଓ୍ଵାର୍ମଅପ୍‌ ମ୍ୟାଚ୍‌ ଖେଳାଯାଇଛି । ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଓ୍ଵାର୍ମଅପ୍‌ ମ୍ୟାଚରେ ପାକିସ୍ତାନକୁ ୧୪ ରନରେ ହରାଇଛି କଙ୍ଗାରୁ ଟିମ୍‌ । ତେବେ ଏହି ମ୍ୟାଚର ଏକ ଭିଡିଓ ଏବେ ଜୋରସୋରରେ ଭାଇରଲ ହେଉଛି ।

ଅଷ୍ଟ୍ରେଲିଆ ପ୍ରଥମେ ଖେଳି ୫୦ ଓଭରରେ ୭ ଓ୍ଵିକେଟ ହରାଇ ୩୫୧ ରନ୍‌ କରିଥିଲା । ଏହା ପରେ ପାକିସ୍ତାନ ୪୭.୪ ଓଭର ଖେଳି ୩୩୭ରେ ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଜିତିବା ପଛରେ ପାକିସ୍ତାନୀ ଖେଳାଳିଙ୍କ ହାତ ରହିଥିଲା । ପାକିସ୍ତାନୀ ଖେଳାଳିଙ୍କ ପିଲାଳିଆମୀ ଯୋଗୁଁ ଅଷ୍ଟ୍ରେଲିଆ ଜିତିଥିଲା । ଯାହାର ଭିଡିଓ ଭାଇରଲ ହେଉଛି । ଆଉ ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।

ଓ୍ଵାର୍ମଅପ୍‌ ମ୍ୟାଚ୍‌ ସମୟରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ସମୟରେ ୨୩ ଓଭରରେ ହାରିସ ରଉଫଙ୍କ ବଲରେ ଲାବୁଶେନ ଏକ ସର୍ଟ ସ୍କୋୟେର ଲେଗରେ ଖେଳିଥିଲେ । ସେଠାରେ ମୋହମ୍ମଦ ଓ୍ଵାସିମ ଏବଂ ମୋହମ୍ମଦ ନଓ୍ଵାଜ ଫିଲ୍ଡିଂ କରୁଥିଲେ । ବଲ୍‌ ଏମାନଙ୍କ ପାଖକୁ ଯିବା ବେଳେ ଦୁହେଁ ବଲ୍‌ ଧରିବା ପାଇଁ ପରସ୍ପର ଭିତରେ କନଫ୍ୟୁଜ ହୋଇଗଲେ । ଆଉ କେହି ବି ବଲ୍‌କୁ ଧରିପାରିଲେ ନାହିଁ ।

ଏହି ଭିଡିଓରେ ଭାରତୀୟ ଖେଳାଳି ଶିଖର ଧଓ୍ଵନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଶିଖର କ୍ୟାପସନରେ ଲେଖିଛନ୍ତି, ପାକିସ୍ତାନ ଏବଂ ଫିଲ୍ଡିଂ ମଧ୍ୟରେ କେବେ ବି ଶେଷ ହେବନି ଲଭ ଷ୍ଟୋରୀ । ଧଓ୍ଵନଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ଏହା ପୂର୍ବରୁ ଫିଲ୍ଡିଂକୁ ନେଇ ପାକିସ୍ତାନୀ ଖେଳାଳିଙ୍କ ମଜାକ ହୋଇଛି । ଆଉ ବିଶ୍ୱକପ ଓ୍ଵାର୍ମଅପ୍‌ ମ୍ୟାଚରେ ଏଭଳି ଫିଲ୍ଡିଂ ଦେଖି ସୋସିଆଲ ମିଡିଆରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ତେବେ ବିଶ୍ୱକପରେ ପାକିସ୍ତାନ ପ୍ରଥମ ମ୍ୟାଚ ଅକ୍ଟୋବର ୬ ତାରିଖରେ ନେଦରଲାଣ୍ଡ ବିପକ୍ଷରେ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.