ଜୁନ ୧୯ରେ ହେବାକୁ ଥିବା ୪୪ ତମ ଅଲମ୍ପିଆଡ଼ ପାଇଁ ଐତିହାସିକ ମଶାଲ ଦୌଡ଼ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଆୟୋଜନ କରିବ ଏଫ୍ଆଇଡିଇ ଚେସ୍ ଅଲମ୍ପିଆଡ୍ ୨୦୨୨ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୪ତମ ଚେସ ଅଲିମ୍ପିଆଡ ପାଇଁ ସର୍ବପ୍ରଥମ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ଅଲ ଇଣ୍ଡିଆ ଚେସ ଫେଡେରେସନ ପକ୍ଷରୁ ସୂଚନା ମିଳିଛି । ଜୁନ ୧୯ରେ ଏହି ଜାତୀୟ ରାଜଧାନୀରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ଏଆଇସିଏଫ୍ ସଭାପତି ସଞ୍ଜୟ କପୁର । ୫ ଥର ବିଶ୍ବ ଚମ୍ପିଆନ ବିଶ୍ବନାଥନ ଆନନ୍ଦ ଏହି ରିଲେରେ ଅଶଂ ଗ୍ରହଣ କରିବେ ।
ଚେସ ଅଲିମ୍ପିଆଡ ଟର୍ଚ୍ଚ ରିଲେ ସର୍ବଦା ଭାରତରୁ ଆରମ୍ଭ ହେବ ବୋଲି କହିଛି ଏଫ୍ଆଇଡିଇ । ବର୍ଷ ୧୯୨୭ ଠାରୁ ଅତୀତରେ ୪୩ ଥର ଆୟୋଜନ ହୋଇସାରିଥିବା ଏଫ୍ଆଇଡିଇ ଚେସ୍ ଅଲମ୍ପିଆଡ୍ରେ ଭାରତ ଗୋଟିଏ ଥର ମଧ୍ୟ ଆୟୋଜକ ଦେଶ ହୋଇପାରିନଥିଲା । ତେବେ ୪୪ତମ ଏଫ୍ଆଇଡିଇ ଚେସ୍ ଅଲମ୍ପିଆଡ୍ ୨୦୨୨ର ଆୟୋଜକ ମାନ୍ୟତା ଲାଭ କରିଥିବାରୁ ଚେସ୍ ଇଭେଣ୍ଟ ଆୟୋଜନ ଇତିହାସରେ ସବୁଠୁ ସଫଳ ଆୟୋଜନ ପାଇଁ ପ୍ରୟାସ ରହିଛି । ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ମେଗା ଇଭେଣ୍ଟରେ ପ୍ରାୟ ୨୦୦ରୁ ଅଧିକ ଦେଶରୁ ୨୦୦୦ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଭାରତ ଏହି ପ୍ରତିଯୋଗିତାରେ ଆୟୋଜକ ଦେଶ ଭାବେ ଖେଳିବ ଓ ଟାଇଟେଲ ବିଜେତା ହେବାନେଇ ଲକ୍ଷ୍ୟ ରଖିଛି ।