ଦୁଇ ସପ୍ତାହ ପର୍ଯ୍ୟନ୍ତ ହୋଇପାରିବନି ଲିଗାମେଣ୍ଟ ଟ୍ରିଟମେଣ୍ଟ, ଡାକ୍ତର କହିଲେ କାରଣ

ଟିମ ଇଣ୍ଡିଆର ଓ୍ଵିକେଟକପିର ରିଷଭ ପନ୍ତ କାର ଦୁର୍ଘଟଣା ପରେ ୪୮ ଘଣ୍ଟା ଆଇସିୟୁରେ ରହିବା ପରେ ଏବେ ପ୍ରାଇଭେଟ ଓ୍ଵାର୍ଡକୁ ସିଫ୍ଟ ହୋଇଛନ୍ତି । ତାଙ୍କ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗି ଯାଇଛି। ଏହାକୁ ନେଇ ବିସିସିଆଇ ଲିଗାମେଣ୍ଟ ଟ୍ରିଟମେଣ୍ଟ ପାଇଁ ତାଙ୍କୁ ବିଦେଶ ପଠାଇବାକୁ ଯୋଜନା କରୁଛି । ତେବେ ଡେରାଡୁନର ମ୍ୟାକ୍ସ ହସପିଟାଲର ଡାକ୍ତରଙ୍କ କହିବାନୁଯାୟୀ, ପନ୍ତଙ୍କ ଲିଗାମେଣ୍ଟ ଚିକିତ୍ସା ଅତିକମରେ ୨ ସପ୍ତାହ ପାଇଁ ହୋଇପାରିବ ନାହିଁ ।

ମ୍ୟାକ୍ସ ହସପିଟାଲରେ ରିଷଭଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ, ରିଷଭଙ୍କ ଲିଗାମେଣ୍ଟ ଟ୍ରିଟମେଣ୍ଟ ପାଇଁ ଏବେ ଏମଆରଆଇ ସ୍କାନ୍‌ କରାଯିବା ଜରୁରୀ। ଆଉ ଏବେ ଗୋଡ ଲିଗାମେଣ୍ଟ ଭାଙ୍ଗିଥିବା ଯୋଗୁଁ ଫୁଲିଛି, ତେଣୁ ସ୍କାନ କିମ୍ବା ଏମଆରଆଇ କରିବା ସମ୍ଭବ ନୁହେଁ । ଏବେ ବହୁତ ଯନ୍ତ୍ରଣାରେ ରହିଛନ୍ତି ପନ୍ତ । ଯନ୍ତ୍ରଣା ସହିତ ଗୋଡ ଫୁଲିଛି। ଏଭଳି ସ୍ଥିତିରେ ତାଙ୍କ ଗୋଡର ଏମଆରଆଇ ସ୍କାନ କରିବା ଅସମ୍ଭବ । ପ୍ରଥମେ ଗୋଡର ଫୁଲିବା କମ୍‌ କରିବା ପାଇଁ ଚିକିତ୍ସା କରାଯିବା ଦରକାର ।

ତେବେ ପନ୍ତଙ୍କ ଲିଗାମେଣ୍ଟ ଟ୍ରିଟମେଣ୍ଟ ପାଇଁ ଅତିକମରେ ୨ ସପ୍ତାହ ସମୟ ଲାଗିବ । ତାଙ୍କ ଗୋଡ ଯନ୍ତ୍ରଣା କମ୍‌ କରିବା ପାଇଁ ଚିକିତ୍ସା ଏବଂ ଔଷଧ ଦିଆଯାଉଛି । ଏହାପରେ ଫୁଲିବା କମ୍‌ ହେଲେ ଏମଆରଆଇ ସ୍କାନ ସମ୍ଭବ ହେବ। ତା’ ପରେ ଆଘାତର ସଠିକ୍‌ ଆକଳନ କରାଯାଇ ଚିକିତ୍ସା କରାଯିବ ।

ସୂଚନାଯୋଗ୍ୟ, ଶୁକ୍ରବାର ଭୋର ସମୟରେ ପନ୍ତ ତାଙ୍କ ମର୍ସିଡିଜ୍ କାର ଯୋଗେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲେ। ତେବେ ରୁର୍କୀ ନିକଟରେ ପନ୍ତଙ୍କ ନିଦ ଲାଗିବା କିମ୍ବା ଗାତ ଯୋଗୁଁ ତାଙ୍କ କାର ଅନିୟନ୍ତ୍ରିତ ହୋଇ ରେଲିଂରେ ପିଟିହୋଇଥିଲା। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

ଏହି ଘଟଣାରେ ରିଷଭଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡ ସଂପୂର୍ଣ୍ଣ ଭାବେ ଠିକ ଅଛି। ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଛି। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଛି। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଛି। ତେବେ ଉତ୍ତରାଖଣ୍ଡର ମାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଲାଗିଥିଲା। ସେସବୁ କ୍ଷତ ଚିହ୍ନଗୁଡ଼ିକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ଦୁର୍ଘଟଣାରେ କଟି ଯାଇଥିବା ତାଙ୍କ ବାମ ଆଖିପତାର ପ୍ଲାଷ୍ଟିକ୍ ସର୍ଜରୀ ହୋଇଛି। ଚିକିତ୍ସା ଠିକ୍ଠାକ୍ ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଉନ୍ନତି ଘଟୁଛି’’ ବୋଲି ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି । ତେବେ ଏତେ ସବୁ ଆଘାତ ସହିତ ଗୁରୁତର ଭାବେ ଆହତ ହୋଇଥିବା ରିଷଭ କିଛି ମାସ ପାଇଁ ଖେଳି ନ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.