ଆଇସିସି ର୍ୟାଙ୍କିଙ୍ଗ : ତିନିଟି ଯାକ ଫର୍ମାଟ୍ର ଶ୍ରେଷ୍ଠ ୧୦ରେ ରୋହିତ ଶର୍ମା

ନୂଆଦିଲ୍ଲୀ : ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ କରିଥିବା ସଦ୍ୟ ର୍ୟାଙ୍କିଙ୍ଗରେ ଭାରତର ଓପ୍ନର ରୋହିତ ଶର୍ମା ବାଜିମାତ୍ କରିଛନ୍ତି । ସେ ତିନିଟି ଯାକ ଫର୍ମାଟ୍ରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି । ଟେଷ୍ଟ ତାଲିକାରେ ଏବେ ସେ ୧୦ ନମ୍ବରରେ ରହିଥିବା ବେଳେ ଦିନିକିଆରେ ୨ ନମ୍ବର ଏବଂ ଟି-୨୦ରେ ମିଳିତ ଭାବେ ୭ ନମ୍ବର ସ୍ଥାନରେ ଅଛନ୍ତି । ଦକ୍ଷିଣ ଆଫ୍ରିକା ସହ ତିନି ଟିକିଆ ଟେଷ୍ଟ ସିରିଜ୍ରେ ରୋହିତ ତିନିଟି ଶତକ କରିବା ସହ ମୋଟ୍ ୫୨୯ ରନ୍ ସ୍କୋର କରିଥିଲେ ।
କ୍ରିକେଟ୍ ଇତିହାସରେ ପୂର୍ବରୁ ଭାରତ ପକ୍ଷରୁ ଏହି ସଫଳତା କେବଳ ଦୁଇ ଜଣ ହାସଲ କରିଥିଲେ । ସେମାନେ ହେଲେ ବିରାଟ କୋହଲି ଓ ଗୌତମ ଗମ୍ଭୀର ।
ଟେଷ୍ଟ ର୍ୟାଙ୍କିଙ୍ଗରେ ରୋହିତଙ୍କ ବ୍ୟତୀତ ଆହୁରି ତିନି ଜଣ ଭାରତୀୟ ଖେଳାଳି ରହିଛନ୍ତି । ଅଧିନାୟକ ବିରାଟ କୋହଲି ଦୁଇ ନମ୍ବରରେ, ଚେତେଶ୍ୱର ପୂଜାରା ଚତୁର୍ଥ ଓ ଅଜିଙ୍କ୍ୟ ରାହାଣେ ପଞ୍ଚମ ସ୍ଥାନରେ ରହିଛନ୍ତି ।