ପୁଣି ମାଟି କାମୁଡ଼ିଲା ଦକ୍ଷିଣ ଆଫ୍ରିକା ଦଳ, ୩୩୫ ରନ୍ ପଛରେ ରହି ଫଲୋଅନ୍

ରାଞ୍ଚି : ପୁଣି ଭାରତୀୟ ପିଚ୍ରେ ମାଟି କାମୁଡ଼ିଲା ଦକ୍ଷିଣ ଆଫ୍ରିକା ଦଳ । ପେସ୍ ଓ ସ୍ପିନ୍ର ମିଳିତ ଆକ୍ରମଣକୁ ପ୍ରତିହତ କରିବାକୁ ସକ୍ଷମ ହେଲା ନାହିଁ । ତୃତୀୟ ଟେଷ୍ଟରେ ଭାରତର ବିଶାଳ ୪୯୭ ରନ୍ର ଜବାବରେ ଭ୍ରମଣକାରୀ ଟିମ୍ ମାତ୍ର ୧୬୨ ରନ୍ରେ ଅଲ୍ଆଉଟ୍ ହୋଇଛି । ଫଳରେ ଭାରତର ପ୍ରଥମ ଇନିଂସ୍ ଠାରୁ ୩୩୫ ରନ୍ ପଛରେ ରହିଛି । ଭାରତ ଫଲୋଅନ୍ ଦେଇଥିବାରୁ ଦକ୍ଷିଣ ଆଫ୍ରିକା ଦଳ ଏବେ ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ କରୁଛି । ତେବେ ଏହି ପାଳିରେ ମଧ୍ୟ ତ୍ରାହି ନାହିଁ । କାରଣ ୫ ରନ୍ରେ ଦଳ ତାର ପ୍ରଥମ ଓ୍ଵିକେଟ୍ ହରାଇ ସାରିଲାଣି । ଯଦି ଏହି ଧାରା ଜାରି ରହେ ତେବେ ଆଜି ତୃତୀୟ ଦିନରେ ତୃତୀୟ ଟେଷ୍ଟ ଶେଷ ହୋଇଯିବ ।
ଭାରତୀୟ ପିଚ୍ରେ ଖେଳିବା କଷ୍ଟକର । ଏକଥା ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପୂର୍ବରୁ କହି ସାରିଛନ୍ତି । ଯାହା ସେମାନଙ୍କ ମନୋବଳ କିଭଳି କମ୍ ରହି ଛି ତାକୁ ଦର୍ଶାଉଛି । ପୂର୍ବ ଦୁଇଟି ଟେଷ୍ଟରେ ମଧ୍ୟ ଦଳ ବିରାଟ ବ୍ୟବଧାନରେ ହାରି ସାରିଛି । ତେଣୁ ତୃତୀୟ ତଥା ଶେଷ ମ୍ୟାଚ୍ରେ ମଧ୍ୟ ସେହିଭଳି ଫଳାଫଳ ଦେଖିବାକୁ ମିଳିବ ବୋଲି ଏବେ ଠାରୁ ସ୍ପଷ୍ଟ ହୋଇଯାଇଛି ।
ବିରାଟ ବାହିନୀ ୯ ଓ୍ଵିକେଟ୍ରେ ୪୯୭ ରନ୍ କରି ପ୍ରଥମ ପାଳି ଘୋଷଣା କରିବା ପରେ ଗତକାଲି ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୯ ରନ୍ ୩ଟି ଓ୍ଵିକେଟ୍ ହରାଇ ସାରିଥିଲା । ଆଜି ଅବଶ୍ୟ ଆରମ୍ଭରୁ ହମ୍ଜା ଓ ବୌମା ଦୃଢ଼ ବ୍ୟାଟିଂ କରିଥିଲେ । ଭାରତୀୟ ବୋଲିଂ ଆକ୍ରମଣକୁ ବେଶ୍ କିଛି ସମୟ ସମ୍ଭାଳିଥିଲେ । ସେମାନେ ଚତୁର୍ଥ ଓ୍ଵିକେଟ୍ରେ ୯୧ ରନ୍ ଯୋଡ଼ିଥିଲେ । ହମଜା ଏହି ସମୟରେ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ସେ ୬୨ ରନ୍ କରିଥିବା ବେଳେ ସ୍ପିନର୍ ରବୀନ୍ଦ୍ର ଜାଡେଜା ତାଙ୍କୁ ବୋଲଡ୍ କରି ଯୋଡ଼ି ଭାଙ୍ଗିଥିଲ ।
ଏହା ପରେ ପରେ ବୌମାଙ୍କୁ ୩୨ ରନ୍ରେ ଷ୍ଟମ୍ପିଂ କରାଇଥିଲେ ନଦିମ । ବାମହାତୀ ସ୍ପିନର ଶାହାବାଜ ନଦିମଙ୍କର ଏହା ହେଉଛି ଜୀବନର ପ୍ରଥମ ଟେଷ୍ଟରେ ପ୍ରଥମ ଓ୍ଵିକେଟ୍ । ଏଇଠି ଲାଗୁଥିଲା ଦକ୍ଷିଣ ଆଫ୍ରିକା ଦଳ ଆଉ ବେଶି ଆଗକୁ ଯାଇ ପାରିବ ନାହିଁ । ତେବେ ସାତ ନମ୍ବର ବ୍ୟାଟ୍ସମ୍ୟାନ୍ ଲିଣ୍ଡେ ବେଶ୍ କିଛି ସମୟ ଭାରତୀୟ ବୋଲର୍ଙ୍କୁ ଅଟକାଇଥିଲେ । ତାଙ୍କୁ ସାଥ୍ ଦେଇଥିଲେ ଶେଷ ବ୍ୟାଟ୍ସମ୍ୟାନ୍ ନର୍ଟି । ଲିଣ୍ଡେ ୩୭ ରନ୍ କରି ଉମେଶ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ପେସ୍ ବୋଲର୍ ମହମ୍ମଦ ସାମି ୨ଟି, ଯାଦବ ୩ଟି, ସ୍ପନର୍ ଜାଡେଜା ଓ ନଦିମ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି ।