ଶେଷ ଦିନିକିଆରେ ସମ୍ମାନ ବଞ୍ଚାଇ ପାରିଲାନାହିଁ ଭାରତ, ସମସ୍ତ ଓ୍ଵିକେଟ ହରାଇ ୪ ରନରେ ପରାଜିତ

କେପଟାଉନ : ଶେଷ ବା ତୃତୀୟ ଦିନିକିଆରେ ଭାରତ ତା’ର ସମ୍ମାନ ବଞ୍ଚାଇ ପାରିଲା ନାହିଁ । ସମସ୍ତ ଓ୍ଵିକେଟ ହରାଇ ୪ ରନ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ବରଣ କରିଛି ଭାରତ । ଭାରତ ଏକ ସହଜ ବିଜୟ ଲକ୍ଷ୍ୟରେ ଥିବା ବେଳେ ଶେଷରେ ପରାଜୟ ବରଣ କରିଛି । କେପ୍ଟାଉନ୍ରେ ଚାଲିଥିବା ଶେଷ ଦିନିକିଆରେ ଭାରତ ଆଗରେ ୨୮୮ ରନ୍ର ଟାର୍ଗେଟ ରଖିଥିଲା ଦକ୍ଷିଣ ଆଫ୍ରିକା ।

ଶେଷ ଦିନିକିଆକୁ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଆପ୍ରାଣ ଚେଷ୍ଟା ଜାରି ରଖିଥିଲା। ହେଲେ ୨୮୩ ରନରେ ସମସ୍ତ ଓ୍ଵିକେଟ ହରାଇ ଭାରତ ପରାଜୟ ବରଣ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ଓ ଶେଖର ଧାଓ୍ଵନ ଯଥାକ୍ରମେ ୬୫ ଓ ୬୧ ରନ କରି ଆଉଟ ହୋଇଥିଲେ । ଦୀପକ ଚାହାରଙ୍କ ୫୪ ଓ ସୂର୍ଯ୍ୟକୁମାର ୟାଦବଙ୍କ ୩୯ ରନ ସତ୍ତ୍ୱେ ଭାରତକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା ।

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରାରମ୍ଭିକ ସଫଳତା ମଧ୍ୟ ମିଳିଥିଲା । ୭୦ ରନ୍ରେ ୩ ୱିକେଟ୍ ହରାଇଥିବା ଦକ୍ଷିଣ ଆଫ୍ରିକା ଟିମ୍କୁ ସାହାରା ଦେଇଥିଲେ ଡି’କକ୍ ଓ ଡୁସେନ୍ । ନିର୍ଦ୍ଧାରିତ ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଥିଲା ଘରୋଇ ଟିମ୍ ।

କ୍ୱିଣ୍ଟନ୍ ଡି’କକଙ୍କ ଶତକ ଓ ରାସି ଭାନ୍ ଡର୍ ଡୁସେନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଟିମ୍ ବଡ଼ ରନ୍ କରିବାରେ ସହାୟକ ହୋଇଥିଲା । ସିରିଜ୍ ହାରିସାରିଥିବା ଭାରତକୁ ସମ୍ମାନ ରକ୍ଷା ପାଇଁ ୨୮୮ ରନ୍ କରିବାକୁ ପଡ଼ିଥାନ୍ତା । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି, ଦୀପକ ଚହର୍ ଓ ଜଶପ୍ରିତ ବୁମ୍ରା ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.