ଖେଳର ଏମିତି ନିଶା: ରାତି ଗୋଟାଏରେ ହୋଟେଲ ରୁମ୍‌ରେ ପ୍ରାକ୍ଟିସ କଲେ ଷ୍ଟିଭ ସ୍ମିଥ, ଭିଡିଓ ଭାଇରଲ

ପାଞ୍ଚ ମ୍ୟାଚ ବିଶିଷ୍ଟ ଆସେସ ସିରିଜ ୨୦୨୧-୨୨ର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଆଜି। ଆଡଲେଡରେ ଚାଲିଥିବା ଦିବାରାତ୍ରି ଖେଳ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୯ ଓ୍ଵିକେଟ ହରାଇ ୪୭୩ ରନ୍‌ର ଟାର୍ଗେଟ ଦେଇଥିଲା। ଯାହାର ଜବାବରେ ଇଂଲଣ୍ଡ ଟିମ୍‌ ପ୍ରଥମ ଇନିଂସରେ ୨୩୬ ରନ୍‌ କରିଥିଲା।

ମ୍ୟାଚର ଚତୁର୍ଥ ଦିନ ଖେଳ ଆରମ୍ଭ ପୂର୍ବରୁ ଷ୍ଟିଭ ସ୍ମିଥଙ୍କର ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଏହି ଭିଡିଓରେ ସ୍ମିଥ ରାତି ଗୋଟେରେ ଉଠି ହୋଟେଲ ରୁମରେ ବ୍ୟାଟିଂ ପ୍ରାକ୍ଟିସ କରୁଥିବା ନଜର ଆସିଛନ୍ତି।

ଏହି ଭିଡିଓକୁ ସ୍ମିଥଙ୍କ ପତ୍ନୀ ଡେନିସ ଭିଲସ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ସ୍ମିଥ ରାତି ୧ଟାରେ ଉଠି ହୋଟେଲ ରୁମରେ ବ୍ୟାଟିଂ ପ୍ରାକ୍ଟିସ କରୁଥିବା ନଜର ଆସିଛନ୍ତି। ଏହି ସମୟରେ ସେ ନିଜର ନୂଆ ବ୍ୟାଟ ମଧ୍ୟ ଚେକ୍‌ କରୁଥିବା ନଜର ଆସିଛନ୍ତି। ଡେନିସ ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ଷ୍ଟିଭ ନିଜର ନୂଆ ବ୍ୟାଟ୍‌ ଚେକ୍‌ କରିବା ସମୟରେ’। ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସ ଖୁବ୍‌ କମେଣ୍ଟ କରୁଛନ୍ତି। କିଏ ଖେଳିବାର ଉତ୍ସାହ କହୁଥିବା ବେଳେ ଆଉ କିଏ ମହାନ କ୍ରିକେଟର ବୋଲି କହୁଛି।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟକୁ ପେଟ କେମିନ୍ସ ଅଧିନାୟକତ୍ୱ କରୁଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ଷ୍ଟିଭ ସ୍ମିଥ ଅଧିନାୟକତ୍ୱ କରିବେ। ଏହି ମ୍ୟାଚରେ ସ୍ମିଥ ପ୍ରଥମ ଇନିଂସରେ ୯୩ ରନ୍‌ କରିଥିଲେ। ସ୍ମିଥ ଟେଷ୍ଟ କ୍ରିକେଟରେ କ୍ୟାପଟେନ ଭାବେ ସର୍ବାଧିକ ରନ୍‌ କରିଥିବା ଅଷ୍ଟ୍ରେଲିଆ କ୍ୟାପଟେନ ଲିଷ୍ଟରେ ଟପ୍‌ ୫ରେ ରହିଛନ୍ତି। ସ୍ମିଥ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୩୭୫୨ ରନ୍‌ କରିଛନ୍ତି। ଅଧିନାୟକ ଭାବେ ସ୍ମିଥ ୩୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.