ପୁଣି ଚମକି ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ସୂର୍ଯ୍ୟ, ଆଇସିସି ଟି-୨୦ ର‍୍ୟାଙ୍କିଂରେ ବଜାୟ ରଖିଲେ ଶୀର୍ଷ ସ୍ଥାନ

ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ କବଜା କରିନେଇଛି। ରାଜକୋଟରେ ଖେଳାଯାଉଥିବା ମ୍ୟାଚରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି । ଭାରତ ବିଜୟ ପାଇଁ ଶ୍ରୀଲଙ୍କା ସାମ୍ନାରେ ୨୨୯ ରନର ଲକ୍ଷ୍ୟ ରଖିଥିଲା । କିନ୍ତୁ ଶ୍ରୀଲଙ୍କା ଦଳ ୧୩୭ ରନରେ ଅଲଆଉଟ୍‌ ହୋଇଯାଇଥିଲା । ଏହି ବିଜୟ ସହ ୩ଟି ମ୍ୟାଚକୁ ଟି-୨୦ ସିରିଜ୍କୁ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଟିମ୍‌ ୨-୧ରେ କବଜା କରିଛି। ଏହା ପରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଯାହାର ପ୍ରଥମ ମ୍ୟାଚ୍‌ ୧୦ ଜାନୁଆରୀରେ ହେବ ।

ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରେ ୫ ୱିକେଟ ହରାଇ ୨୨୮ ରନ କରିଥିଲା। ଆଉ ଟିମ ବିଜୟର ହିରୋ ସାଜିଥିଲେ ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟ କୁମାର ଯାଦବ । ସୂର୍ଯ୍ୟ ବିସ୍ଫୋରକ ୫୧ ବଲରେ ଅପରାଜିତ ୧୧୨ ରନ କରିଥିଲେ। ସୂର୍ଯ୍ୟ ଏହି ଇନିଂସରେ ୯ଟି ଛକା ଏବଂ ୭ଟି ଚଉକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏହା ସୂର୍ଯ୍ୟଙ୍କ ଟି-୨୦ ଇଣ୍ଟରନ୍ୟାସନାଲ କ୍ୟାରିଅରର ୩ୟ ଶତକ ।

ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷରେ ଶତକ କରି ରେକର୍ଡ କରିଥିଲେ । ତାଙ୍କ ନାମରେ ଟି-୨୦ ଇଣ୍ଟରନ୍ୟାସନାଲରେ ୩ଟି ଶତକ କରିବାର ରେକର୍ଡ ରହିଛି । ରୋହିତ ଶର୍ମା ୪ଟି ଶତକ ସହିତ ଆଗରେ ରହିଥିବା ବେଳେ ସୂର୍ଯ୍ୟକୁମାର ୩ଟି, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ ୩, କଲିନ ମୁନରା ୩, ସବାବୁନ ଦାବିଜ ୩ଟି ଶତକ ରେକର୍ଡ ରଖିଛନ୍ତି । ତେବେ ଆଇସିସି ଟି-୨୦ ର‍୍ୟାଙ୍କିଂରେ ନଂ ୧ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର ।

ଭାରତ ପାଇଁ ସବୁଠାରୁ ଦ୍ରୁତ ଟି-୨୦ ଶତକ :

ରୋହିତ ଶର୍ମା : ୩୫ ବଲ୍‌, ଶ୍ରୀଲଙ୍କା (୨୦୧୭)
ସୂର୍ଯ୍ୟକୁମାର ଯାଦବ : ୪୫ ବଲ୍‌, ଶ୍ରୀଲଙ୍କା (୨୦୨୩)
କେଏଲ ରାହୁଲ: ୪୬, େଓ୍ଵଷ୍ଟଇଣ୍ଡିଜ (୨୦୧୬)
ସୂର୍ଯ୍ୟକୁମାର ଯାଦବ : ୪୮ ବଲ୍‌, ଇଂଲଣ୍ଡ (୨୦୨୨)
ସୂର୍ଯ୍ୟକୁମାର ଯାଦବ : ୪୯ ବଲ୍‌, ନ୍ୟୁଜିଲାଣ୍ଡ (୨୦୨୨)

ସୂର୍ଯ୍ୟ କୁମାର ଯାଦବ ୨୦୨୨ରେ ପାଖାପାଖି ୩୧ ଇଣ୍ଟରନ୍ୟାସନାଲ ଟି-୨୦ରେ ୧୧୬୪ ରନ୍‌ କରିଛନ୍ତି। ଏହା ମଧ୍ୟରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ରହିଛି ।

୨୨୯ ରନର ପିଛା କରୁଥିବା ଶ୍ରୀଲଙ୍କା ୧୬.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ, ଉମ୍ରାନ ଓ ଚହଲ ୨ଟି, ଅକ୍ଷର ପଟେଲ ୧ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ବିସ୍ଫୋରକ ୧୧୨ ରନର ଇନିଂସ ଖେଳିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଛି । ସେହିପରି ଅକ୍ଷର ପଟେଲଙ୍କୁ ମ୍ୟାନ୍‌ ଅଫ ଦ ସିରିଜ ପୁରସ୍କାର ପାଇଛନ୍ତି। ସେ ୩ଟି ମ୍ୟାଚରେ ୧୧୭ ରନ କରିବା ସହ ୩ଟି ୱିକେଟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.