ପାକିସ୍ତାନର ହ୍ୟାଟ୍ରିକ ବିଜୟ, ପୁଣି ଆଣ୍ଠେଇଲା ଆଫଗାନିସ୍ତାନ

ଆଇସିସି ଟେ୍ଵଣ୍ଟି-୨୦ ବିଶ୍ୱକପରେ ଶୁକ୍ରବାର ଆଫଗାନିସ୍ତାନକୁ ୫ ୱିକେଟ୍‌ରେ ପରାସ୍ତ କରି ପାକିସ୍ତାନ ହ୍ୟାଟ୍ରିକ୍ ବିଜୟ ହାସିଲ କରିସାରିଛି। ପୂର୍ବରୁ ଭାରତ ଏବଂ ନ୍ୟୁଜିଲାଣ୍ଡକୁ ହରାଇବା ଯୋଗୁଁ ପାକିସ୍ତାନର ଆତ୍ମବିଶ୍ୱାସ ଦୃଢ ରହିଥିଲା। ତେଣୁ ଆଫଗାନିସ୍ତାନ ବିଜୟ ହାସିଲ କରି ହ୍ୟାଟ୍ରିକ ମାରିବାର ଆଶା ରଖିଥିଲା ପାକିସ୍ତାନ। ଆଫ୍‌ଗାନିସ୍ତାନ ୧୪୭ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲେ ମଧ୍ୟ ପାକିସ୍ତାନ ଗୋଟିଏ ଓଭର ପୂର୍ବରୁ ୫ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ୧୯ତମ ଓଭରରେ କରିମ୍ ଜନତଙ୍କୁ ୪ ଛକା ମାରି ଅସିଫ୍ ଅଲୀ କଷ୍ଟସାଧ୍ୟ ଲାଗୁଥିବା ବିଜୟକୁ ସହଜ କରି ଦେଇଥିଲେ।

ପୂର୍ବରୁ ବାବର ଆଜମ (୫୧) ଏବଂ ଫକର ଜମାନ (୩୦) ପାକିସ୍ତାନ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଆଫ୍‌ଗାନିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିବା ଆସିଫ୍ ଅଲୀ (୭ ବଲରୁ ୨୫* ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ୟୁଏଇରେ ଆଫଗାନିସ୍ତାନର ୧୮ ବିଜୟ ଧାରା ଭାଙ୍ଗିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ୟୁଏଇରେ ଲଗାତାର ୧୪ତମ ବିଜୟ ପାଇଛି।

୬୪ ରନ୍‌ରେ ଆଫଗାନିସ୍ତାନ ୫ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ତେବେ ନଜିବୁଲ୍ଲା ଜଦ୍ରାନ (୨୨ ରନ୍, ୨୧ ବଲ୍‌)ଙ୍କ ପରେ ଅଧିନାୟକ ମହମ୍ମଦ ନବି ଏବଂ ଗୁଲବଦିନ୍‌ ନାଏବ ସପ୍ତମ ୱିକେଟ୍ ଭାଗୀଦାରିରେ ୭.୧ ଓଭରରେ ୭୧ ରନ୍‌ ଯୋଡ଼ି ଆଫଗାନିସ୍ତାନକୁ ୧୪୭ ରନ୍‌ର ସମ୍ମାନଜନକ ସ୍କୋର୍‌ ପ୍ରଦାନ କରିଥିଲେ। ଶେଷ ୪ ଓଭରରୁ ଆଫଗାନିସ୍ତାନ ୪୬ ରନ୍‌ ଆଦାୟ କରିଥିଲା। ପାକିସ୍ତାନ ପକ୍ଷରୁ ଇମଦ ୱାସିମ୍ ସଫଳ ବୋଲର ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.