ବିଜୟ ହଜାରେ ଟ୍ରଫିରେ ବିଶ୍ୱ ରେକର୍ଡ କଲେ ତାମିଲନାଡ଼ୁ କ୍ରିକେଟର ନାରାୟଣ ଜଗଦୀଶନ, ରୋହିତ ଶର୍ମାଙ୍କୁ ପଛରେ ପକାଇଲେ

କେନ୍ୟୁଜ୍: ଏବେ ନ୍ୟୁଜିଲାଣ୍ଡରେ ଖେଳୁଛି ଟିମ୍ ଇଣ୍ଡିଆ, ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ ବି ଜାରିରଖିଛି । କିନ୍ତୁ ଏପଟେ ଘରୋଇ କ୍ରିକେଟରେ ବିଶ୍ୱ ରେକର୍ଡ କରୁଛନ୍ତି ଆଉ ଜଣେ କ୍ରିକେଟର । ବିଜୟ ହଜାରେ ଟ୍ରଫିରେ ତାମିଲନାଡ଼ୁ କ୍ରିକେଟର ନାରାୟଣ ଜଗଦୀଶନ ୨୭୭ ରନର ପାଳି ଖେଳି ଏକ ବିଶ୍ୱ ରେକର୍ଡ ନିଜ ନାଁ ରେ କରିଛନ୍ତି ।
ସୋମବାର ଦିନ ତାମିଲନାଡ଼ୁ ଏବଂ ଅରୁଣାଞ୍ଚଳ ପ୍ରଦେଶ ମଧ୍ୟରେ ଖେଳା ଯାଇଥିବା ବିଜୟ ହଜାରେ ଟ୍ରଫିରେ ନାରାୟଣ ୧୪୧ ବଲରେ ୨୦୦ର ଷ୍ଟ୍ରାଇକ୍ ରେଟ୍ ସହିତ ୨୭୭ ରନର ଏକ ବିଶାଳ ପାରି ଖେଳିଥିଲେ । ସେ ତାଙ୍କର ଏହି ବିଶାଳ ପାଳି ଖେଳି ରୋହିତ ଶର୍ମାଙ୍କର ୨୬୪ ରନର ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଏହି ମ୍ୟାଚ୍ରେ ନାରାୟଣ ପ୍ରଥମେ ଓପନିଂ କରିବାକୁ ଆସିଥିଲେ ଏବଂ ଏହି ପାରିରେ ୨୫ଟି ଚଉକା ଏବଂ ୧୫ଟି ଛକା ମାରି ଏକ ବିଶାଳ ସ୍କୋର କରିଥିଲେ । ଏହି ସିଜନ୍ରେ ନାରାୟଣ ଭଲ ଲୟରେ ଅଛନ୍ତି । ସେ ଗତଥର ଚେନ୍ନାଇ ସୁପର କିଙ୍ଗ୍ରେ ଥିବାବେଳ ଏଥରର ରିଟେସନ ପ୍ରକ୍ରିୟାରେ ତାଙ୍କୁ ବାହାର କରିଦିଆଯାଇଛି । ଲିଷ୍ଟ-ଏ କ୍ରିକେଟରେ ତାଙ୍କର ଏହି ପ୍ରଦର୍ଶନ ସମସ୍ତକୁ ଆଶ୍ଚର୍ଯ୍ୟ କରିଛି । ସେ ବିଜୟ ଘରୋଇ କ୍ରିକେଟରେ ୫ଟି ମ୍ୟାଚ୍ରେ ଲଗାତାର ପାଞ୍ଚଟି ଶତକ ମାରି ବିଶ୍ୱ ରେକର୍ଡ କରିଛନ୍ତି ।
ତାଙ୍କର ଲଗାତାର ପାଞ୍ଚଟି ଶତକ:
• ଆନ୍ଧ୍ରପ୍ରଦେଶ-୧୧୪, ୧୩ ନଭେମ୍ବର
• ଛତିଶଗଡ଼-୧୦୭, ୧୫ ନଭେମ୍ବର
• ଗୋଆ-୧୬୮, ୧୭ ନଭେମ୍ବର
• ହରିୟାଣା-୧୨୮, ୧୯ ନଭେମ୍ବର
• ଅରୁଣାଞ୍ଚଳ ପ୍ରଦେଶ-୨୭୭, ୨୧ ନଭେମ୍ବର
ଲିଷ୍ଟ-ଏ କ୍ରିକେଟରେ ଲଗାତାର ଶତକ ମାରିଥିବା ଖେଳାଳି:
• ନାରାୟଣ ଜଗଦୀଶନ- ୫ ଶତକ
• କୁମାର ସାଙ୍ଗାକାରା-୪ ଶତକ
• ଏଲ୍ବିରୋ ପିଟରସନ୍-୪ ଶତକ
• ଦେବଦତ୍ତ ପାଡ଼ିକ୍କଲ-୪ ଶତକ
କିଏ ଏହି ଯୁବ କ୍ରିକେଟର ନାରାୟଣ ଜଗଦୀଶନ:
୨୬ ବର୍ଷୀୟ ନାରାୟଣ ଜଗଦୀଶନ ହେଉଛନ୍ତି ତାମିଲନାଡ଼ୁ କ୍ରିକେଟର, ଯିଏ କି ଆଇପିଏଲ୍ରେ ସିଏସ୍କେରେ ଖେଳିସାରିଛନ୍ତି । ସେ ଏପର୍ଯ୍ୟନ୍ତ ୪୧ଟି ଲିଷ୍ଟ-ଏ ମ୍ୟାଚ୍ରେ ୪୫ରୁ ଅଧିକ ହାରରେ ରନ କରିଛନ୍ତି । ତାଙ୍କର ଘରୋଇ କ୍ରିକେଟରେ ୭ଟି ଶତକ ମଧ୍ୟ ସାମିଲ ଅଛି । ସେ ଆଇପିଏଲ୍ରେ ମାତ୍ର ୭ଟି ମ୍ୟାଚ୍ ଖେଳିଛନ୍ତି ଏବଂ ସର୍ବାଧିକ ୭୩ ରନ କରିଛନ୍ତି ।
ଲିଷ୍ଟ-ଏ କ୍ରିକେଟ କାହାକୁ କହନ୍ତି ?
ଲିଷ୍ଟ-ଏ ମ୍ୟାଚ୍ ହେଉଛି ଏକ ସୀମିତ ଓଭର ମ୍ୟାଚ୍ ଯାହା ଏକ ଦିବସୀୟ ହୋଇଥାଏ । ସାଧାରଣତଃ ଏଥିରେ ୪୦ରୁ ୬୦ ଓଭର ପର୍ଯ୍ୟନ୍ତ ଖେଳାଯାଥାଏ । ଲିଷ୍ଟ-ଏ କ୍ରିକେଟରେ ଆନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍, ସୀମିତ ଓଭରରେ ଘରୋଇ କ୍ରିକେଟ ଏବଂ ଆନ୍ତର୍ଜାତୀୟ କ୍ରିକେଟ ମଧ୍ୟ ସାମିଲ ଅଛି । କିନ୍ତୁ ଏହାକୁ ଆଇସିସି ଓ୍ଵାନ୍ଡେ ଇଣ୍ଟରନ୍ୟାସନାଲ କ୍ରିକେଟର ମାନ୍ୟତା ଦେଇ ନାହିଁ । ଏଥିରେ ଅନ୍ୟ ଦେଶ ମାନଙ୍କରେ ଲିଷ୍ଟ-ଏ କ୍ରିକେଟର ରୂପ ଅଲଗା ଅଲଗା ଥାଏ । ଯେମିତି କି ଭାରତରେ ବିଜୟ ହଜାରେ ଟ୍ରଫି ଏବଂ ଦେଓଧର ଟ୍ରଫି । ସେମିତି ଇଂଲଣ୍ଡରେ ରୋୟାଲ ଲଣ୍ଡନ ଓ୍ଵାନ୍ଡେ କପ ଏବଂ ଅଷ୍ଟ୍ରେଲିଆରେ ଜେଏଲ୍ଟି ଓ୍ଵାନ୍ଡେ କପ ଅଛି ।