ଟିମ୍ ଇଣ୍ଡିଆ ରଚିଲା ଇତିହାସ! ସେଞ୍ଚୁରିଆନରେ ପ୍ରଥମ ଥର ଦେଲା ଦକ୍ଷିଣ ଆଫ୍ରିକାକୁ ମାତ୍

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିଆନ ଗ୍ରାଉଣ୍ଡରେ ଶେଷ ହୋଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଭାରତୀୟ ବୋଲରମାନେ ଆଶ୍ଚର୍ଯ୍ୟଜନକ ବୋଲିଂ କରି ଆଫ୍ରିକୀୟ ଦଳକୁ ସେଞ୍ଚୁରିଆନ ଗ୍ରାଉଣ୍ଡରେ ପରାସ୍ତ କରିଛନ୍ତି। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ୩୦୫ ରନର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ଦଳ ୧୯୧ ରନକୁ ହ୍ରାସ ପାଇଥିଲା। ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ ଦଳ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି।
ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ ଏବଂ ଉଭୟ ଇନିଂସରେ ଦକ୍ଷିଣ ଆଫ୍ରିକାକୁ କମ୍ ସ୍କୋରରେ ଅଟକାଇ ଦେଇଥିଲେ। ଏହି ମ୍ୟାଚରେ ଜସପ୍ରୀତ ବୁମରାହ ଚମତ୍କାର ବୋଲିଂ କରି ୩ ୱିକେଟ୍ ନିଜ ନାମରେ କରିଥିଲେ। ବୁମରାହଙ୍କ ବ୍ୟତୀତ ମହମ୍ମଦ ଶାମି ମଧ୍ୟ ୩ ୱିକେଟ୍ ନେଇଥିଲେ। ସେପଟେ ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ ଅଶ୍ୱିନ୍ ୨-୨ ୱିକେଟ୍ ହାସଲ କରିଥିଲେ। ୩୦୫ ରନର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ଦଳ ଜମାରୁ ଫୋକସରେ ଥିବା ଭଳି ନଜର ଆସି ନ ଥିଲା। ଦଳ ପକ୍ଷରୁ ସବୁଠାରୁ ଅଧିକ ରନ୍ ଅଧିନାୟକ ଡିନ ଏଲ୍ଗର କରିଥିଲେ। ସେ ଏହି ମ୍ୟାଚରେ ୭୭ ରନର ଏକ ଇନିଂସ ଖେଳିଥିଲେ। ଏହା ବ୍ୟତୀତ କୌଣସି ବି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଟେମ୍ବା ବଭୁମା ୩୫, କ୍ୱିଣ୍ଟନ୍ ଡିକକ୍ ୨୧ ରନ୍ ସଂଗ୍ରହ କରିଥିଲେ। କିଗନ୍ ପିଟରସନ୍ ୧୭, ଏଡମ ମାର୍କରମ ୧, ରାସି ଭାନ୍ ଡେର୍ ଡୁସେନ୍ ୧୧ ରନ୍ କରିଥିଲେ।
ଭାରତ ଦେଇଥିଲା ୩୦୫ ରନ୍ର ଲକ୍ଷ୍ୟ
ଦକ୍ଷିଣ ଆଫ୍ରିକାକୁ ଭାରତ ୩୦୫ ରନର ଟାର୍ଗେଟ ଦେଇଥିଲା। ଚତୁର୍ଥ ଦିନରେ ଭାରତୀୟ ଇନିଂସ ୧୭୪ ରନରେ ଶେଷ ହୋଇଥିଲା। ଦ୍ୱିତୀୟ ଇନିଂସରେ କୌଣସି ବି ଭାରତୀୟ ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଦକ୍ଷିଣ ଆଫ୍ରିକୀୟ ବୋଲରମାନେ ଜୋରଦାର ବୋଲିଂ କରିଥିଲେ। ଉଭୟ ଭାରତୀୟ ଓପନର ଆଉଟ୍ ହୋଇ ଯାଇଥିଲେ। ମୟଙ୍କ ଅଗ୍ରୱାଲ ୪ ରନ୍ ସଂଗ୍ରହ କରିଥିଲେ ଓ କେ.ଏଲ୍ ରାହୁଲ ୨୩ ରନ୍ ଯୋଡ଼ିଥିଲେ। ନାଇଟ୍ ୱାଚମ୍ୟାନ୍ ଶାର୍ଦ୍ଦୁଲ ଠାକୁର ମଧ୍ୟ କୌଣସି ଖାସ୍ କମାଲ ଦେଖାଇ ପାରି ନ ଥିଲେ ଏବଂ ମାତ୍ର ୧୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହାପରେ ଚେତେଶ୍ୱର ପୂଜାରା ୧୬, ଅଧିନାୟକ ବିରାଟ କୋହଲି ୧୮, ଅଜିଙ୍କ୍ୟ ରାହାଣେ ୨୦ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ୧୪ ରନର ଯୋଗଦାନ କରିଥିଲେ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ୩୪ ରନ୍ ସଂଗ୍ରହ କରିଥିଲେ। ମହମ୍ମଦ ଶାମି ୧ ଓ ମହମ୍ମଦ ସିରାଜ ବନା କୌଣସି ରନ କରି ଆଉଟ୍ ହୋଇଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ଭାରତୀୟ ବୋଲରମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଘାତକ ବୋଲିଂ କରି ମହମ୍ମଦ ଶାମି ୫ ୱିକେଟ୍ ହାସଲ କରିଥିଲେ। ସେପଟେ ଶାର୍ଦ୍ଦୁଲ ଠାକୁର ଓ ଜସପ୍ରୀତ ବୁମରାହ ୨-୨ ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ କେବଳ ଗୋଟିଏ ୱିକେଟ୍ ପାଇଥିଲେ। ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ କୌଣସି ବି ୱିକେଟ୍ ନେଇ ପାରି ନ ଥିଲେ। ଏହି ବୋଲରମାନଙ୍କ କମାଲ ଯୋଗୁ ଭାରତ ପ୍ରଥମ ଇନିଂସରେ ୧୯୭ ରନରେ ଦକ୍ଷିଣ ଆଫ୍ରିକାକୁ ସୀମିତ ରଖିଥିଲା ଏବଂ ଟିମ୍ ଇଣ୍ଡିଆ ୧୩୦ ରନ୍ରେ ଆଗୁଆ ରହିଥିଲା।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ଭାରତୀୟ ଦଳ ଧମାକାଦାର ଷ୍ଟାଇଲରେ ବ୍ୟାଟିଂ କରିଥିଲେ। ଭାରତୀୟ ଓପନରମାନେ ଦକ୍ଷିଣ ଆଫ୍ରିକାର ବୋଲରମାନଙ୍କୁ ଧୂଳି ଚଟାଇ ଦେଇଥିଲେ। ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ୧୨୩ ରନର ଚମତ୍କାର ଇନିଂସ ଖେଳିଥିଲେ। ମୟାଙ୍କ ଅଗ୍ରୱାଲ ୬୦ ରନର ଯୋଗଦାନ କରିଥିଲେ। ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି କୌଣସି ବି କମାଲ ଦେଖାଇ ପାରି ନ ଥିଲେ। ପୂର୍ବତନ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ୪୮ ରନ୍ ସଂଗ୍ରହ କରିଥିଲେ। ଏହି ବ୍ୟାଟ୍ସମ୍ୟାନମାନଙ୍କ ଦମ୍ରେ ହିଁ ଭାରତ ୩୨୭ ରନ୍ ସ୍କୋର କରିଥିଲା।