କେବେ ତ୍ରିଶତକ ତ ଆଉ କେବେ ସିଜିନ୍‌ର ସର୍ବାଧିକ ସ୍କୋରର୍‌, ତଥାପି ଡେରିରେ ସୁଯୋଗ ମିଳିଛି ପ୍ରିୟାଙ୍କ ପାଞ୍ଚାଲଙ୍କୁ

ଭାରତୀୟ କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଟିମ୍‌ରେ ସାମିଲ ହୋଇଛନ୍ତି ଜଣେ ଯୁବ ଖେଳାଳି। ଯାହାକୁ ହୁଏତ ବହୁତ କମ୍‌ ଲୋକ ଜାଣନ୍ତି। କିନ୍ତୁ ସବୁଠାରୁ ଖାସ୍‌ କଥା ହେଲା କି, ଯେତେବେଳେ ଏହି ବ୍ୟାଟ୍ସମ୍ୟାନ ଖେଳିବା ପାଇଁ ମଇଦାନକୁ ଓହ୍ଲାନ୍ତି ସେତେବେଳେ ରନ୍‌ ନ କରି ପ୍ୟାଭିଲିଅନ ଫେରନ୍ତି ନାହିଁ। ଗୁଜରାଟର ବ୍ୟାଟସମ୍ୟାନ୍‌ ପ୍ରିୟାଙ୍କ ପାଞ୍ଚାଲ। ପ୍ରିୟାଙ୍କ ବୟସ ୩୧ ବର୍ଷ। ପ୍ରିୟାଙ୍କ ଟିମ୍‌ ଇଣ୍ଡିଆରେ ବିଳମ୍ବରେ ସାମିଲ ହେଲେ କିନ୍ତୁ ଦକ୍ଷିଣର ଆଫ୍ରିକା ବିପକ୍ଷରେ ଜବରଦସ୍ତ ରନ୍‌ କରି ପାରନ୍ତି ବୋଲି କ୍ରିକେଟ ଫ୍ୟାନ୍ସ ଆଶା ରଖିଛନ୍ତି।

ପ୍ରିୟାଙ୍କ ଗୁଜରାଟ ପାଇଁ ଖେଳନ୍ତି। ଏପର୍ଯ୍ୟନ୍ତ ସେ ୧୦୦ଟି ମ୍ୟାଚ ଖେଳି ୭୦୧୧ ରନ୍‌ କରିଛନ୍ତି। ଏହା ମଧ୍ୟରେ ୨୪ଟି ଶତକ, ୨୫ ଅର୍ଦ୍ଧଶତକ ରହିଛି। ଏହା ମଧ୍ୟରେ ଗୋଟେ ମ୍ୟାଚରେ ପ୍ରିୟାଙ୍କ ଟ୍ରିପଲ ଶତକ ମଧ୍ୟ ମାରିଛନ୍ତି। କେବଳ ବ୍ୟାଟିଂ ନୁହେଁ ପ୍ରିୟାଙ୍କ ବ୍ୟାଟିଂରେ ମଧ୍ୟ କମାଲ କରିଛନ୍ତି। ପ୍ରିୟାଙ୍କ ୧୪ଟି ଓ୍ଵିକେଟ ନେଇଛନ୍ତି।

PRIYANK

ପଞ୍ଜାବ ବିପକ୍ଷରେ ୩୧୪ ରନ୍‌ର ଇନିଂସ ଖେଳିଥିଲେ। ରଣଜୀ ଟ୍ରଫି ଏହି ମ୍ୟାଚ ୨୯ ଡିସେମ୍ବର ୨୦୧୬ରେ ଖେଳା ଯାଇଥିଲା। ଏହି ମ୍ୟାଚରେ ଗୁଜରାଟ ଟିମ୍‌ ପ୍ରଥମ ଇନିଂସରେ ୬୨୪ ରନ୍‌ କରି ପାଳି ଘୋଷିତ କରିଥିଲା। ଯେଉଁଥିରେ ପ୍ରିୟାଙ୍କ ଅପରାଜିତ ରହି ୩୧୪ ରନ୍‌ କରିଥିଲେ। ପ୍ରିୟାଙ୍କ ୪୬୦ ବଲ୍‌ର ସାମ୍ନା କରିଥିଲେ ଏବଂ ୩୨ଟି ଚାରି ମାରିଥିଲେ।

ଦକ୍ଷିଣ ଆଫ୍ରିକା ଟୁରରେ ପ୍ରିୟାଙ୍କଙ୍କୁ ସୁଯୋଗ ମିଳିଲେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ। ତାଙ୍କ ପାଖରେ କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାର ଅନୁଭୂତି ନାହିଁ। ଏହା ସହିତ ଜୋହାନ୍ସବର୍ଗ ଏବଂ କେପଟାଉନ ପିଚ୍‌ ମଧ୍ୟ ନୂଆ ରହିବ। ତେବେ ଦେଖିବା ପ୍ରିୟାଙ୍କ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ’ଣ କମାଲ୍‌ କରୁଛନ୍ତି।

କାହିଁକି ମିଳିଲା ସୁଯୋଗ ?

ଏତେ ଭଲ ଭଲ ବ୍ୟାଟସମ୍ୟାନ ଥାଉ ଥାଉ କାହିଁକି ପ୍ରିୟାଙ୍କଙ୍କୁ ଦକ୍ଷିଣ ଆଫ୍ରିକା ପଠାଗଲା । ଏକଥା ସମସ୍ତେ ଜାଣିବାକୁ ଇଚ୍ଛୁକ ଥିବେ । ତେବେ ପ୍ରକୃତ କଥା ହେଉଛି ଏହା ପୂର୍ବରୁ ଭାରତୀୟ ‘ଏ’ ଦଳରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ । ଦଳର ନେତୃତ୍ୱ ନେଇ ଟେଷ୍ଟ ମ୍ୟାଚ୍‌ରେ ୯୬ ରନ୍‌ ସ୍କୋର କରିଥିଲେ । ମୋଟ ୩ଟି ଇନିଂସ୍‌ରେ ସେ କରିଥିଲେ ମୋଟ ୧୨୦ ରନ୍‌ । ସେଠାକାର ବାଉନ୍‌ସୀ ପିଚ୍‌ରେ ଚମତ୍କାର ବ୍ୟାଟିଂ କରିଥିଲେ ଏହି ଗୁଜରାଟୀ ଖେଳାଳି । ତେଣୁ ତାଙ୍କୁ ରୋହିତ ଶର୍ମାଙ୍କ ଜାଗାରେ ଦଳରେ ନିଆଯାଇଛି । ସେ ‘ଏ’ ଦଳ ସହ ଠିକ୍‌ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ଘରେ ପହଞ୍ଚିବାର କେଇ ଘଣ୍ଟା ପରେ ସିନିୟର ଟିମ୍‌ରେ ସୁଯୋଗ ପାଇଥିବାର ସୂଚନା ପାଇଲେ ।

ଜାଣନ୍ତୁ ଏହି ପ୍ରିୟାଙ୍କ କିଏ

ପ୍ରିୟାଙ୍କଙ୍କ ଜନ୍ମ ୧୯୯୦ ମସିହାରେ । ସେ ଫାଇନାନସିଆଲ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏଟ୍‌ । ୨୦୧୪ରେ ଇନକମ ଟ୍ୟାକ୍ସ ବିଭାଗରେ ସ୍ପୋର୍ଟ କୋଟାରେ ଚାକିରି ପାଇଥିଲେ । ଏବେ ସେ ଜଣେ ସିନିୟର ଅଫିସର ଭାବେ ରାଜକୋଟ ଶାଖାରେ କାମ କରୁଛନ୍ତି । କମ୍ପ୍ୟୁଟର ସାଇନ୍‌ସ ସହ ବିଭିନ୍ନ ବହି ପଢ଼ିବାରେ ତାଙ୍କର ବହୁତ ଆଗ୍ରହ ରହିଛି ।
୨୦୦୮ ମସିହାରେ ୧୮ ବର୍ଷ ବୟସରେ ପ୍ରିୟାଙ୍କ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ । ସେତେବେଳେ ସେ ଜୁନିୟର ଥିବାରୁ ତାଙ୍କୁ ସିନିୟରମାନଙ୍କ ସହ କମ୍‌ କଥା ହେବା ପାଇଁ କୁହାଯାଇଥିଲା । ତେବେ ନିଜର ଖେଳ ଦ୍ୱାରା ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଆଉ ୨୦୧୬-୧୭ରେ ରଣଜୀ ଟ୍ରଫିରେ ସର୍ବାଧିକ ସ୍କୋରର୍‌ ଥିଲେ ଏହି ଓପନିଂ ବ୍ୟାଟ୍‌ସମ୍ୟାନ୍‌ । ଏବେ ସିନିୟର ଠାରୁ ଆରମ୍ଭ କରି ଜୁନିୟର ଖେଳାଳି ସମସ୍ତେ ତାଙ୍କୁ ସମ୍ମାନ ଦେବା ସହ ତାଙ୍କ ଠାରୁ ପରାମର୍ଶ ମଧ୍ୟ ନେଉଛନ୍ତି ।