ଆଜି ହ୍ୟାଟ୍ରିକ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ପାକିସ୍ତାନ, ସେପଟେ ୱେଷ୍ଟଇଣ୍ଡିଜ ପାଇଁ କର ବା ମର ସ୍ଥିତି

ଟି-୨୦ ବିଶ୍ୱକପ୍‌ ସୁପର-୧୨ରେ ଶୁକ୍ରବାର ଦୁବାଇରେ ଦୁଇ ପ‌ଡ଼ୋଶୀ ଦେଶ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେବେ। ପାକିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ସ୍ଥିତିରେ ରହିଛି। ଏପଟେ ଆଫ୍‌ଗାନିସ୍ତାନ ବଡ଼ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇଛି। ଏହି ମ୍ୟାଚରେ ଏହି ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ଦେଖାଇଥିଲା। ତେଣୁ ଦୁଇ ଟ୍ରଫି ଦାବିଦାର ଭାରତ ଓ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଥିବା ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଶୁକ୍ରବାର ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନକୁ ହାଲ୍‌କା ଭାବେ ନେବନି।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ପାକିସ୍ତାନର ଟପ୍‌ ଅର୍ଡର ବ୍ୟାଟର୍‌ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ପୂରା ଫର୍ମରେ ରହିଛନ୍ତି। ପାକିସ୍ତାନ ଚଳିତ ବିଶ୍ବକପ୍‌ରେ ହ୍ୟାଟ୍ରିକ ବିଜୟ ସହ ନାମିବ୍ୟା ଓ ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ପୂର୍ବରୁ ପ୍ରାୟତଃ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ଚାହିଁବ।

ଏହାସହିତ ‌ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ଶୁକ୍ରବାର ସାର୍‌ଜାରେ ମୁହାଁମୁହିଁ ହେବେ। ୨ରୁ ୨ଟି ଯାକ ହାରିଥିବାରୁ ଉଭୟ ଦଳ ପାଇଁ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିବାକୁ ଶୁକ୍ରବାର ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ କର ବା ମର ସଦୃଶ। ସୁପର-୧୨ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାଠୁ ୱେଷ୍ଟଇଣ୍ଡିଜ୍‌ ହାରିଥିଲା ବେଳେ ଶ୍ରୀଲଙ୍କା ଓ ମୋର୍ଗାନଙ୍କ ଦଳଠୁ ବାଂଲାଦେଶ ପରାସ୍ତ ହୋଇଥିଲା।

ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଜ୍‌ ବ୍ୟାଟର୍‌ ବିଫଳ ହୋଇଥିଲେ। ଦଳ ମାତ୍ର ୫୫ ରନ୍‌ କରିବାକୁ ସମର୍ଥ ହୋଇଥିଲା ଦ୍ବିତୀୟ ମ୍ୟାଚ୍‌ରେ ଏଭିନ ଲୁଇସଙ୍କ ଅର୍ଦ୍ଧଶତକ କରିଥିଲା ବେଳେ ଅନ୍ୟ ବ୍ୟାଟର୍‌ମାନେ ବିଫଳ ହୋଇଥିଲେ। ଫଳରେ ଦଳ ୧୪୩‌/୮ କରିଥିଲା। ସେହିପରି ବୋଲରମାନେ ଆଖିଦୃଶିଆ ପ୍ରଦର୍ଶନ କରି ନପାରିବାରୁ ଦକ୍ଷିଣ ଆଫ୍ରିକା ୨ ୱିକେଟ୍‌ ହରାଇ ୧୦ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଏବେ େଓ୍ଵଷ୍ଟଇଣ୍ଡିଜ ପାଇଁ କର ବା ମର ପରିସ୍ଥିତି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.