ଦିବଙ୍ଗତ ପିତାଙ୍କ ବିଷୟରେ ଶୁଣି ଭାବବିହ୍ଵଳ ହୋଇପଡିଲେ ବିରାଟ, ଅନୁଷ୍କା ଦେଲେ ସାନ୍ତ୍ୱନା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡ଼ିକୁ ସମସ୍ତେ ଖୁବ୍ ପସନ୍ଦ କରିଥାନ୍ତି। ଦୁହିଁଙ୍କୁ ସର୍ବଦା ଲାଇମ୍ ଲାଇଟ୍ରେ ଦେଖିବାକୁ ମିଳିଥାଏ। ବିରାଟ ଓ ଅନୁଷ୍କା ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମ୍ରେ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ଫିରୋଜ ଶାହ କୋଟଲା ଷ୍ଟାଡିୟମ୍ ନାମିତ ହେବା ପରେ ସେଠାରେ ବିରାଟ କୋହଲିଙ୍କ ନାମରେ ମଧ୍ୟ ଗୋଟିଏ ଷ୍ଟାଣ୍ଡ ରହିବ ବୋଲି ଘୋଷଣା ହୋଇଛି।
ଏହି କାର୍ଯ୍ୟକ୍ରମରେ ବିରାଟ ଓ ଅନୁଷ୍କା ବସିଥିବା ସମୟର ଅନେକ ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ବିରାଟ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ବିରାଟ କାନ୍ଦୁଥିବା ସମୟରେ ଅନୁଷ୍କା ତାଙ୍କୁ ସାନ୍ତ୍ୱନା ଦେଇ ହାତକୁ କିସ୍ କରୁଛନ୍ତି। ତେବେ କାନ୍ଦିବାର କାରଣ ହେଉଛି, ଏହି କାର୍ଯ୍ୟକ୍ରମରେ ଡିଡିସିଏ ଅଧ୍ୟକ୍ଷ ରଜତ ଶର୍ମା ବିରାଟଙ୍କ ବିଗତ ଦିନର କିଛି ସ୍ମୃତିକୁ ମନେ ପକାଇଥିଲେ। ଯେଉଁଥିରେ ସେ କହିଥିଲେ, ‘ଯେତେବେଳେ ବିରାଟ ଅଣ୍ଡର ୧୯ ଟିମ୍ରେ ଥିଲେ, ତାଙ୍କ ବାପାଙ୍କର ନିଧନ ହୋଇଥିଲା। ତାଙ୍କ ବାପାଙ୍କୁ ଦେଖିବା ପାଇଁ ଅରୁଣ ଜେଟଲି ଦିଲ୍ଲୀର ଥିବା ବିରାଟଙ୍କ ଉତ୍ତମ ନଗର ଘରକୁ ଯାଇଥିଲେ। ବାପାଙ୍କର ମୃତ୍ୟୁ ପରେ ମଧ୍ୟ ବିରାଟ ସେଦିନ ମ୍ୟାଚ୍ ଜାରି ରଖିଥିଲେ। କ୍ରିକେଟ ପ୍ରତି ବିରାଟଙ୍କର ଏହି ନିଷ୍ଠା ଦେଖି ଅରୁଣ ଜେଟଲି ସେଦିନ ଭବିଷ୍ୟବାଣୀ କରିଥିଲେ ଯେ ଦିନ ଆସିବ ଏହି ପିଲା ଦିନେ ବଡ଼ ନାମ କରିବ।’
ଦିବଙ୍ଗତ ପିତାଙ୍କ ବିଷୟରେ ଶୁଣି ବିରାଟ-ଅନୁଷ୍କା ଭାବବିହ୍ୱଳ ହୋଇପଡ଼ିଥିଲେ ଓ ବିରାଟ ତାଙ୍କ ଆଖିର ଲୁହ ପୋଛିବାକୁ ଚେଷ୍ଟା କରିଥିଲେ। ସେହି ସମୟର ଭିଡିଓଟି ଇଣ୍ଟରନେଟ୍ରେ ଭାଇରାଲ୍ ହେଉଛି। ବିରାଟଙ୍କୁ ଏହି ଅବସ୍ଥାରେ ଦେଖି ତାଙ୍କର ଫ୍ୟାନ୍ମାନେ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି।