ଆଇପିଏଲ୍ ଅଧିନାୟକଙ୍କ ବେଳା ଭଲ ନାହିଁ, ଏବେ କୋହଲି ଗଣିବେ ୧୨ ଲକ୍ଷ ଟଙ୍କା ଜରିମାନା

ମୋହାଲି : ଚଡ଼କ ପଡ଼ିଛି ଆଇପିଏଲ୍ ଅଧିନାୟକମାନଙ୍କ ଉପରେ । ଏପର୍ଯ୍ୟନ୍ତ ପ୍ରାୟ ୪ଟି ଦଳର ମୁଖିଆଙ୍କୁ ମିଳି ସାରିଲାଣି ବଡ଼ ଧରଣର ଅର୍ଥଦଣ୍ଡ । ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଏବେ ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଭୋଗିଛନ୍ତି ଅର୍ଥଦଣ୍ଡ । ଗତକାଲି ଏଠାରେ ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍ରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ କିଙ୍ଗସ ଏକାଦଶ ପଞ୍ଜାବକୁ ୮ ଓ୍ଵିକେଟ୍ରେ ହରାଇ ଚଳିତ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଥିଲା । ଏହି ବିଜୟରେ କୋହଲି ଏଣ୍ଡକୋ’ଙ୍କର ଖୁସିରେ ସୀମା ନାହିଁ । ତେବେ ମନ୍ଥର ବୋଲିଂ ପାଇଁ କୋହଲିଙ୍କ ଉପରେ ଅର୍ଥଦଣ୍ଡ ଲାଗୁ ହୋଇଛି । ତାଙ୍କୁ ଏଥିପାଇଁ ଜରିମାନା ବାବଦରେ ୧୨ ଲକ୍ଷ ଟଙ୍କା ଦେବାକୁ ହେବ ।
ପୂର୍ବରୁ ଏହି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ ରାଜସ୍ଥାନ ରୟାଲ୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ୧୨ ଲକ୍ଷ ଲେଖାଏଁ ଜରିମାନାରେ ଦଣ୍ଡିତ ହୋଇ ସାରିଛନ୍ତି । ପୁଣି ଗତ ୧୧ ତାରିଖ ଦିନ ରାଜସ୍ଥାନ ଜୟପୁରରେ ଖେଳା ଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ବିପକ୍ଷରେ ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ ଧୋନି ଅମ୍ପାୟାରଙ୍କ ସହିତ ଯୁକ୍ତିତର୍କ କରିବାର ଫଳ ଭୋଗିଛନ୍ତି । ତାଙ୍କର ଅଧା ମ୍ୟାଚ୍ ଫି କାଟି ଦିଆଯାଇଛି ।
ଜାଗିଲା ଘାଇଲା ବାଘ
ଗତକାଲି ଗେଲ୍ (ଅପରାଜିତ ୯୯ ରନ୍) ଝଡ଼ ସତ୍ତ୍ୱେ କୋହଲି ଓ ଏବି ଡିଭିଲିୟର୍ସ ଅର୍ଦ୍ଧଶତକ କରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ଘରୋଇ କିଙ୍ଗ ଇଲେଭେନ୍ ପଞ୍ଜାବ ୪ ଓ୍ଵିକେଟ୍ରେ ୧୭୩ ରନ୍ କରିଥିଲା । ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୨ ଓଭରରେ ମାତ୍ର ୨ଟି ଓ୍ଵିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । କୋହଲି ୬୭ ଏବଂ ଡିଭିଲିୟର୍ସ ଅପରାଜିତ ୫୯ ରନ୍ କରିଥିଲେ । ୭ଟି ମ୍ୟାଚ୍ରେ ବାଙ୍ଗାଲୋର୍ର ଏହା ପ୍ରଥମ ବିଜୟ ।
ଆଜି ଦୁଇଟି ମ୍ୟାଚ୍
ଆଇପିଏଲ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ଅପରାହ୍ନ ୪ଟାରେ କୋଲକାତାରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ପରସ୍ପରକୁ ଭେଟିବେ । ସେହିପରି ରାତି ୮ଟାରେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟାରେ ହାଇଦ୍ରାବାଦରେ ମୁକାବିଲା ହେବ । ଚ୍ନୋଇ ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳି ୬ଟି ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଲାଭ କରି ତାଲିକା ଶୀର୍ଷରେ ରହିଛି ।