ବିଶ୍ବକପରେ ମୋର୍ଗାନଙ୍କ ବିସ୍ଫୋରକ ବ୍ୟାଟିଂ, ଆଫଗାନିସ୍ତାନକୁ ୧୫୦ ରନରେ ହରାଇ ମ୍ୟାଚ୍ ହାତେଇଲା ଇଂଲଣ୍ଡ

ବିଶ୍ବକପରେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟିଂ । ରନର ପାହାଡ ଆଗରେ ଆଣ୍ଠେଇ ପଡିଲା ଆଫଗାନିସ୍ତାନ । ଆଫଗାନିସ୍ତାନକୁ ୧୫୦ ରନରେ ହରାଇଲା ଟିମ୍ ଇଂଲଣ୍ଡ । ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ ହରାଇ କରିଥିଲା ୩୯୭ ରନ୍ । ତେବେ ୩୯୮ର ବିଶାଳ ବିଜୟ ଲକ୍ଷକୁ ପିଛା କରି ମାତ୍ର ୨୪୭ ରନରେ ଭାଙ୍ଗିପଡିଥିଲା ଆଫଗାନିସ୍ତାନ ଟିମ୍ । ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୨୪୭ ରନ୍ ।

ମାଞ୍ଚେଷ୍ଟରସ୍ଥିତ ଓଲଡ୍ ଟ୍ରାଫୋର୍ଡ ଷ୍ଟାଡିୟମରେ ଛକା ବର୍ଷା କରିଛନ୍ତି ଅଧିନାୟକ ଇଅନ୍ ମୋର୍ଗାନ୍ । ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ ଛେଚିଛନ୍ତି ମୋର୍ଗାନ୍ । ଦିନିକିଆ ମ୍ୟାଚର ଗୋଟିଏ ଇନିଂସରେ ୧୭ଟି ଛକ୍କା ମାରିଛନ୍ତି। ମାତ୍ର ୭୧ ବଲରେ ୧୪୮ ରନ କରଛନ୍ତି । କେବଳ ୧୭ଟି ଛକ୍କା ମାରି ୧୦୨ ରନ କରିଥିଲେ ମୋର୍ଗାନ। ଦିନିକିଆରେ ଛକ୍କା ମାରିବାରେ ବିଶ୍ୱ ରେକର୍ଡ କରିଛନ୍ତି ।

ପୂର୍ବରୁ ସର୍ବାଧିକ ୧୬ଟି ଛକ୍କା ମାରି ରେକର୍ଡ କରିଥିଲେ ରୋହିତ ଶର୍ମା, କ୍ରିସ୍ ଗେଲ ଓ ଏ ବି ଡିଭିଲିଅର୍ସ। ଏହି ତିନି ଜଣଙ୍କ ରେକର୍ଡ ଭାଙ୍ଗିଛନ୍ତି ମୋର୍ଗାନ। ବିଶ୍ୱକପ୍ରେ ଦ୍ରୁତତମ ଶତକ କରିବାରେ ମୋର୍ଗାନ ଚତୁର୍ଥ ସ୍ଥାନରେ ଅଛନ୍ତି। ୫୭ଟି ବଲରେ ଶତକ କରିଥିଲେ ମୋର୍ଗାନ। ବିଶ୍ୱକପରେ ଦ୍ରୁତ ଶତକ କରିବାରେ ରେକର୍ଡ ଆୟରଲାଣ୍ଡର କେଭିନ୍ ଓବ୍ରାଏନଙ୍କ ନାଁରେ ରହିଛି। ସେ ୫୦ଟି ବଲରେ ଶତକ କରିଥିଲେ। ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୯୭ ରନ କରିଥିଲା । ପୁରା ଇନିଂସରେ ଇଂଲଣ୍ଡ ଟିମ୍ ୨୫ଟି ଛକ୍କା ମାରିଥିଲା । ପୂର୍ବରୁ ୱେଷ୍ଟଇଣ୍ଡିଜ ବିରୋଧରେ ଇଂଲଣ୍ଡ ୨୪ଟି ଛକ୍କା ମାରି ରେକର୍ଡ କରିଥିଲା। ଆଜି ଇଂଲଣ୍ଡ ନିଜ ରେକର୍ଡ ଭାଙ୍ଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.