ଆସୁଛି ଘୋଷଯାତ୍ରା : କିଏ କହେ ରଥ କଥା, କିଏ କହେ ପଥ କଥା

ହିନ୍ଦୁ ଧର୍ମରେ ଦେବତାମାନଙ୍କ ଚଳଣି ଠିକ୍‌ ମନୁଷ୍ୟ ପରି । ସେମାନଙ୍କୁ ପ୍ରାୟତଃ ସେହି ରୀତି ନୀତିରେ ପୂଜାର୍ଚ୍ଚନା କରାଯାଏ । ହେଲେ କାଳିଆର ଚଳଣି କିନ୍ତୁ ଟିକେ ନିଆରା । ଭକ୍ତ ସହିତ ଯୋଡ଼ି ହେବାକୁ ଅତି ଭଲ ପାଆନ୍ତି କାଳିଆ ଠାକୁର । ତେଣୁ ନିଜ ଭକ୍ତଙ୍କୁ ଭେଟିବା ଲାଗି, ସେମାନଙ୍କ ଦୁଃଖ ଓ ନିବେଦନକୁ ସମୂହ ଭାବେ ଶୁଣିବା ଲାଗି ଶ୍ରୀମନ୍ଦିରରୁ ବାହାରି ଆସନ୍ତି ବଡ଼ଦାଣ୍ଡକୁ । ୯ ଦିନ ଧରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ଚାଲେ ଲୀଳା ଖେଳା । ଇଏ ହେଉଛି କାଳିଆର ରଥଯାତ୍ରା ।
ପ୍ରଭୁ ସୁଦର୍ଶନଙ୍କ ସହ ତିନି ଠାକୁର ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡିରେ ବଡ଼ଦାଣ୍ଡକୁ ଆସି ନିଜ ନିଜ ରଥରେ ବିରାଜମାନ କରନ୍ତି । ଯାହାଙ୍କୁ ଦେଖି ଭକ୍ତ ବିହ୍ଵଳ ହୋଇପଡ଼େ । କାରଣ ଏଭଳି ଦୃଶ୍ୟ ବିରଳ । ଏଭଳି ଭକ୍ତ ଓ ଭକ୍ତି ବି ବିରଳ । ଶ୍ରୀ ମନ୍ଦିର ଭିତରୁ ଧାଡ଼ି ପହଣ୍ଡିରେ ଆସିଥାନ୍ତି ଠାକୁରମାନେ । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଏବଂ ସୁଭଦ୍ରା ଶେଷରେ ଝୁଲି ଝୁଲି ଆସନ୍ତି କଳା ବଦନ ।

RATHA-1ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ । ସୁଭଦ୍ରା ବିରାଜମାନ କରନ୍ତି ଦେବଦଳନ ରଥରେ । ଆଉ ନନ୍ଦିଘୋଷରେ ଦର୍ଶନ ଦିଅନ୍ତି ଚକାଆଖି । ବିଶ୍ୱାସ ରହିଛି ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳେ ।
ପ୍ରତି ବର୍ଷ ନୂଆ କରି ନିର୍ମାଣ ହୁଏ ତିନି ଠାକୁରଙ୍କ ରଥ । ପ୍ରତି ରଥରେ ୪ଟି ଲେଖାଏଁ ଘୋଡ଼ା ରହିଥାନ୍ତି । ତେବେ ସବୁ ରଥର ଆକାର ଓ ଉଚ୍ଚତା ସମାନ ନୁହେଁ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ଟି ଚକ ଲାଗିଥାଏ । ଏହାର ଉଚ୍ଚତା ୪୫ ଫୁଟ । ଏଥିରେ ୮୩୨ ଖଣ୍ଡ କାଠ ଲାଗିଥାଏ । ତାଳଧ୍ୱଜରେ ୧୪ଟି ଚକ ଏବଂ ଏହାର ଉଚ୍ଚତା ୪୩ ଫୁଟ । ଏଥିରେ ୭୬୩ ଖଣ୍ଡ କାଠ ଲାଗିଥାଏ । ସେହିଭଳି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଉଚ୍ଚତା ହେଉଛି ୪୨ ଫୁଟ । ଏଥିରେ ୧୨ଟି ଚକ ରହିଥାଏ ଏବଂ କାଠ ଲାଗେ ୫୯୩ ଖଣ୍ଡ ।

RATHA
ମହାରଣ। ସେବାୟତମାନେ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାମ ଆରମ୍ଭ କରିଥାନ୍ତି । ଏହା ପୂର୍ବରୁ କାଠ ଆସି ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା ଦିନ ରଥକାଠ ଅନୁକୂଳ ହୋଇଥାଏ ।
ନନ୍ଦିଘୋଷ ରଥକୁ ଲାଲ ଓ ହଳଦିଆ ରଙ୍ଗର କନାରେ ସଜାଯାଇଥାଏ । ତାଳଧ୍ୱଜ ରଥରେ ଲାଗେ ଲାଲ, ନୀଳ ଓ ସବୁଜ ରଙ୍ଗର କପଡ଼ା । ଆଉ ସୁଭଦ୍ରାଙ୍କ ଦେବଦଳନ ରଥକୁ ସଜାଯାଏ ଲାଲ ଓ କଳା କନାରେ । ବଡ଼ଦାଣ୍ଡରେ ଠିଆ ହୋଇଥିବା ତିନି ରଥଙ୍କ ସୌନ୍ଦର୍ଯ୍ୟ ଦେଖିଲେ ମନରେ ଆପେ ଆପେ ଆସେ ଭକ୍ତିଭାବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.