ଘୋଷଯାତ୍ରା : ପ୍ରତି ରଥରେ ୯ଟି ପାର୍ଶ୍ୱ ଦେବତା, ସୁଭଦ୍ରାଙ୍କ ସାରଥୀ ହେଉଛନ୍ତି ଅର୍ଜୁନ

ସେ ବଡ଼ ଠାକୁର, ତାଙ୍କରି ହୃଦୟ ଭଳି ତାଙ୍କର ସବୁ କିଛି ବିଶାଳ । ସେଥିଲାଗି ତାଙ୍କ ଦାଣ୍ଡର ନାଁ ବଡ଼ଦାଣ୍ଡ । ଏଇ ବଡ଼ଦାଣ୍ଡରେ ଟଣାଯାଏ ତିନି ରଥ । ଠାକୁରଙ୍କ ମହିମା ଭଳି ସେମାନଙ୍କ ରଥର ମଧ୍ୟ ମହିମା ଅନେକ । ତିନି ଠାକୁର ବସୁଥିବା ରଥରେ ଭକ୍ତଟିଏ ଚାହେଁ ଟିକିଏ ହାତରେ ଛୁଇଁ ମଥା ମାରି ଦେବାକୁ । କାରଣ ବର୍ଷକୁ ଥରେ ହେଲେ ବି ଏଇ ରଥରେ ବସନ୍ତି ମହାପ୍ରଭୁ । ପ୍ରତି ରଥରେ ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଏବଂ ୪ଟି ଲେଖାଏଁ ଅଶ୍ୱ ରହିଥାନ୍ତି । ରଥ ପ୍ରତିଷ୍ଠା ପରେ ଠାକୁରମାନେ ପହଣ୍ଡିରେ ଶ୍ରୀମନ୍ଦିରରୁ ଆସି ରଥାରୋହଣ କରିଥାନ୍ତି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥାରୋହଣ ପୂର୍ବରୁ ଏଥିରେ ଚାରମାଳ ବନ୍ଧା ଯାଏ । ଆସନ୍ତୁ ଜାଣିବା ଏହି ତିନି ରଥରେ କିଏ ପାର୍ଶ୍ୱ ଦେବତା ଓ ରକ୍ଷକ ଭାବେ ରହିଥାନ୍ତି ।

ନନ୍ଦିଘୋଷ

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ରକ୍ଷକ ଭାବେ ରହିଛନ୍ତି ଗରୁଡ଼ । ଏହାର ସାରଥୀ ହେଉଛନ୍ତି ଦାରୁକ । ରଥରେ ଲାଗୁଥିବା ବାନା ବା ପତାକାକୁ ତ୍ରୈଲୋକ୍ୟ ମୋହିନୀ କୁହାଯାଏ । ରଥ ଚାରି ପାଖରେ ପାର୍ଶ୍ୱ ଦେବତାମାନେ ହେଲେ ବର୍ଷା, ଗୋବର୍ଦ୍ଧନ, କୃଷ୍ଣ, ନରସିଂହ, ରାମ, ନାୟଣ, ତ୍ରିବିିକ୍ରମ, ହନୁମାନ ଓ ରୁଦ୍ର । ନନ୍ଦିଘୋଷ ରଥ ଦଉଡ଼ିର ନାମ ହେଉଛି ଶଙ୍ଖଚୂଡ଼ ନାଗୁଣୀ । ସେହିପରି ରଥରେ ଥିବା ଚାରି ଅଶ୍ୱର ନାମ ଶଙ୍ଖ, ବଳାକା, ଶ୍ୱେତ ଏବଂ ହରିତଶ୍ୱ ।

2

ତାଳଧ୍ୱଜ

ବଡ଼ ଭାଇ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ରକ୍ଷକ ହେଉଛନ୍ତି ବାସୁଦେବ ଏବଂ ସରଥୀ ହେଉଛନ୍ତି ମାତଳି । ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପ୍ରଳମ୍ବରୀ, ହଟାୟୁଧ, ମୃତ୍ୟୁଞ୍ଜୟ, ନତାମ୍ବରା, ମୁକ୍ତେଶ୍ୱର ଓ ଶେଷଦେବ ଏଥିରେ ପାର୍ଶ୍ୱ ଦେବତା ଭାବେ ରହିଛନ୍ତି । ଏହି ରଥର ପତାକାକୁ ଉନ୍ନାନି ଏବଂ ଦଉଡ଼ିର ନାମ ବାସୁକୀ ନାଗ । ଅଶ୍ୱଙ୍କ ନାମ ତୀବ୍ର, ଘୋର, ଦୀଘଶର୍ମା ଓ ସ୍ୱର୍ଣ୍ଣନାଭ ।

ଦେବ ଦଳନ

ଦେବୀ ସୁଭଦ୍ରାଙ୍କ ଦେବଦଳନ ବା ଦର୍ପ ଦଳନ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା । ଏଇ ରଥରେ ପ୍ରଥମେ ବିରାଜମାନ କରନ୍ତି ପ୍ରଭୁ ସୁଦର୍ଶନ । ସାରଥୀ ଅର୍ଜୁନ ଓ ପତାକାର ନାଁ ନଦମ୍ବିକା । ପାର୍ଶ୍ୱ ଦେବତାମାନେ ହେଲେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ବନଦୁର୍ଗା, ଶୁଳୀଦୁର୍ଗା, ବାରାହୀ, ଶ୍ୟାମାକାଳୀ, ମଙ୍ଗଳା, ବିମଳା । ସୁଭଦ୍ରାଙ୍କ ରଥ ଦଉଡ଼ିର ନାମ ହେଉଛି ସ୍ୱର୍ଣ୍ଣଚୂଡ଼ ନାଗୁଣୀ । ଅଶ୍ୱ ହେଉଛନ୍ତି ରୋଚିକା, ମୋଚିକା, ଜିତା, ଅପରାଜିତା ।
ମହାରଣା ସେବାୟତ ରଥ ନିର୍ମାଣ କରୁଥିବା ବେଳେ ରୂପକାର ସେବାୟତ ଏହି ଦେବାଦେବୀ ମୂର୍ତ୍ତିରେ ରଙ୍ଗ ଦିଅନ୍ତି ।

RATHA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.