ଖୋଲୁଛି ଅଭୟକାନ୍ତଙ୍କ କୁବେର ପେଡି: ୩୦ ଘଣ୍ଟା ହେବ ରେଡ୍‌ କରୁଛି ଭିଜିଲାନ୍ସ , ସରକାରୀ ବାସଭବନରୁ ଜବତ ହେଲା ଅଧକେଜି ସୁନା ସହ ୧୦ଲକ୍ଷ ଟଙ୍କା

ଭୁବନେଶ୍ୱର: ଅଭୟଙ୍କୁ ଘାରିଲା ଭୟ । ଭିଜିଲାନ୍ସ ଜାଲରେ ପଡି ଏବେ ଧିରେ ଧିରେ ଖୋଲୁଛି ତାଙ୍କର କୁବେର ପେଡି । ୩୦ ଘଣ୍ଟା ହେବ ରେଡ୍‌ କରୁଛି ଭିଜିଲାନ୍ସ । ଓଡିଶାଠୁ ନେଇ ମୁମ୍ବାଇ, ପୁଣେ ଓ ବିହାର ପାଖାପାଖି ୧୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଇଏ କୌଣସି ଏରା ଗେରା ନୁହେଁ ବରଂ ହାଇ କ୍ଳାସ୍ ସରକାରୀ ବାବୁ । ଯିଏ ଚାର୍ଟାଡ ଫ୍ଲାଇଟରେ ବୁଲୁଥିଲେ ଆଉ ବିଳାସପୂର୍ଣ୍ଣ ଘରେ ରହୁଥିଲେ। ଯାହାଙ୍କର ସରକାରୀ ବାସଭବନରୁ ମିଳିଛି ୧୦ ଲକ୍ଷ ଟଙ୍କା ସହ ବିମାନ ଟିକେଟ୍ । ଏହାସହ ଜବତ ହେଲାଣି ଅଧକେଜି ଉପରେ ସୁନା ।

ଏ ହେଉଛନ୍ତି, ୧୯୮୭ ବ୍ୟାଚର ଆଇଏଫଏସ ଅଫିସର ଅଭୟ ପାଠକ। ଯାହାଙ୍କ ଘରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଟିମର ବଛା ବଛା ଅଧିକାରୀ ଏହି ରେଡ୍‌ରେ ସାମିଲ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଯେଉଁଠି ଗୋଟେ ପଟେ ଲକଡାଉନ ସମୟରେ ଗଣ୍ଡେ ଖାଇବା ପାଇଁ ଲୋକେ ହନ୍ତସନ୍ତ ହେଉଥିବାବେଳେ, ଅନ୍ଯପଟେ ଏହି ସରକାରୀ ବାବୁ ଜଣଙ୍କ ବିଭିନ୍ନ ସ୍ଥାନକୁ ଚାର୍ଟାଡ ଫ୍ଲାଇଟରେ ଯାଇ ଭ୍ରମଣ କରୁଥିଲେ । ଭୁବନେଶ୍ୱରରୁ ଚାର୍ଟାଡ ଫ୍ଲାଇଟ୍‌ରେ ମହାରାଷ୍ଟ୍ର ଓ ବିହାର ଯାଇଥିବା ସୂଚନା ହସ୍ତଗତ ହୋଇଛି ।

IFSଆପଣଙ୍କୁ ଜଣାଇଦେଉଛୁ ଯେ, ଚାର୍ଟାଡ ଫ୍ଲାଇଟରେ ଗଲେ ଦେବାକୁ ପଡିଥାଏ ୧୫ରୁ ୨୫ ଲକ୍ଷ ଟଙ୍କା। ଆଶ୍ଚର୍ଯ୍ଯ ଲାଗୁଥିଲେ ବି ଏକଥା ସତ ଯେ, ଏତେ ଗୁଡାଏ ଟଙ୍କା ଦେଇ ଯାତ୍ରା କରିଥିଲେ ସରକାରୀ ବାବୁ ଅଭୟକାନ୍ତ। ଖାଲି ସେତିକି ନୁହେଁ ସହ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଲକଡାଉନ୍‌ ସମୟରେ ଚାର୍ଟାଡ ଫ୍ଲାଇଟରେ ବାହାର ରାଜ୍ୟକୁ ଯାଇଥିଲେ । ପୁଣେ ଭୂଗାଓଁ ହିଲା ଟାଉନ ଅଞ୍ଚଳରେ ଫାର୍ମ ହାଉସ ଓ କୋରେଗାଓଁ ପାର୍କ ଅଞ୍ଚଳରେ ଅଭୟଙ୍କର ଫ୍ଲାଟ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଯେତିକି ସମ୍ପତ୍ତି ଠାବ ହୋଇଛି, ତାହା ଜଣେ ସରକାରୀ ଚାକିରିଆ ତାର ସାତ ଜନ୍ମରେ ବି ରଖିବା ଅସମ୍ଭବ।

ତେବେ ଏହାରି ଭିତରେ ଭିଜିଲାନ୍ସ ତଦନ୍ତ ବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମଧ୍ଯ ସାମ୍ନାକୁ ଆସିଛି । ଯାହା ଜଣାପଡିଛି ଅଭୟଙ୍କ ପୁଅ ଆକାଶ ପାଠକ ମଧ୍ୟ ବାପାଙ୍କ ଗୁଣକୁ ପୁରାପୁରି ଅନୁସରଣ କରିବାରେ ମାହିର ଥିଲା । ସେ ବି ଠକୁଥିଲେ ଟଙ୍କା । ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ଲୋକଙ୍କ ଠାରୁ ଠକେଇ କରୁଥିଲା । ତା ନାଁରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମାମଲା ରୁଜୁ ହୋଇଛି । ଟାଟା ମୋଟର୍ସରେ ନିଯୁକ୍ତି ଦିଆଯିବା ନେଇ ଆକାଶ ଅନ୍‌ଲାଇନ୍‌ରେ ବିଜ୍ଞାପନ ମଧ୍ୟ ଦେଉଥିଲା । ନିଜକୁ ଟାଟା ମୋଟର୍ସ ଟ୍ରାନ୍ସପୋର୍ଟ ଡିଭିଜନର ଏମ୍‌ଡି କହି ଠକୁଥିବା ଜଣାପଡ଼ିଛି । ଟାଟା ମୋଟର୍ସ ଲୋଗକୁ ନକଲ କରି ଜାଲ ଇ-ମେଲ ଆଇଡି ତିଆରି କରିଥିଲା ।

IFSକେବଳି ଏତିକି ନୁହଁ ବିଳାସପୂର୍ଣ୍ଣ ଜୀବନରେ ବଞ୍ଚୁଥିଲା । ଜଣେ ବିଧାୟକଙ୍କ ଝିଅ ସହ ଆକାଶ କୁମାର ପାଠକର ପ୍ରେମ ସଂପର୍କ ଗଢି ଉଠିଥିଲା । ଆସନ୍ତା ଡିସେମ୍ବର ୧୧ ତାରିଖରେ ଉଭୟଙ୍କ ବିବାହ ମଧ୍ଯ ଠିକ୍‌ ହୋଇଥିଲା । ରାଜସ୍ଥାନ ଉଦୟପୁରର ଏକ ପ୍ୟାଲେସରେ ହୋଇଥାନ୍ତା ବିବାହ । ପ୍ୟାଲେସ ମଧ୍ୟ ବୁକିଂ ସରିଥିଲା । ବରଯାତ୍ରୀଙ୍କ ପାଇଁ ବିମାନ ମଧ୍ୟ ବୁକ୍‌ ହୋଇ ସାରିଥିଲା । ବରଯାତ୍ରୀମାନେ ବିମାନରେ ଯାଇଥାନ୍ତେ । ପୂରା ରାଜକୀୟ ଢଙ୍ଗିରେ ହୋଇଥାନ୍ତା ବାହାଘର । ହେଲେ ସବୁ ସ୍ବପ୍ନ ଧୂଳିସାତ୍ ହୋଇଗଲା ।

ତେବେ ଆଜି ଭିଜିଲାନ୍ସ ଏସ୍‌ପି ଅଭୟଙ୍କ ବୟାନ ରେକର୍ଡ କରୁଛନ୍ତି । ମୁମ୍ବାଇରେ ଥିବା ପୁଅ ଆକାଶ ପାଠକକୁ ଭୁବନେଶ୍ୱର ଅଣାଯାଉଛି । ଆଜି ଭୁବନେଶ୍ୱର ପାଠକ ଡେଣ୍ଟାଲ କ୍ଲିନିକ୍‌ରେ ମଧ୍ଯ ଭିଜିଲାନ୍ସ ରେଡ୍‌ କରୁଛି । ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଥିବା ଏହି କ୍ଳିନିକ୍ ଅଭୟଙ୍କ ପୁତୁରାଙ୍କର । ଦେଖାଯାଉ ଅଭୟଙ୍କର ଆଉ କେତେ କୁବେର ପେଡି ଖୋଲିବାରେ ସଫଳ ହେଉଛି ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.