ବିଜୟୱାଡାରୁ ଭିଟାମାଟି ମୁହାଁ ହେଲେ ପ୍ରବାସୀ, ଟ୍ରେନ ଫେଲ ହେବାରୁ ବସରେ ଓଡିଶା ଫେରିଲେ ୧୦ ଯୁବତୀ

ଯାଜପୁର : କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜ୍ୟରେ ନିଜକୁ ଅସୁରକ୍ଷିତ ମନେକରି ଫେରୁଛନ୍ତି ବହୁ ଓଡିଆ । ତେବେ ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରି ବିଜୟୱାଡାରୁ ଓଡିଶାକୁ ଫେରିଛନ୍ତି ୧୦ଜଣ ଯୁବତୀ । ଏମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲା ଜାରକା ଅଂଚଳର ୫ଜଣ ଏବଂ କଟକ ଜିଲ୍ଲାର ୫ଜଣ । ଏହି ଯୁବତୀମାନଙ୍କ ପାଇଁ ଦେବଦୂତ ସାଜିଲା ଜାରକାର “ଅଂଶୁମାନ ମେମୋରିଆଲ ଟ୍ରଷ୍ଟ” । ସୂଚନା ଅନୁଯାୟୀ, ଓଡିଶାକୁ ଟ୍ରେନ ଯାଉଥିବା ଖବର ପାଇ ଟିକେଟ କରି ଆନ୍ଧ୍ରପ୍ରଦେଶର ସୁଲୁରପେଟା ଅଂଚଳରୁ ଏକ କ୍ୟାବ କରି ଏହି ୧୦ଜଣ ଯୁବତୀ ବିଜୟୱାଡା ରେଳ ଷ୍ଟେସନରେ ପହଂଚିଥିଲେ । କିନ୍ତୁ ସେଠାରେ ପହଂଚିବା ପୂର୍ବରୁ ଟ୍ରେନ ଛାଡିଦେଇଥିଲା ।

GIRL-2

ଏନେଇ ଷ୍ଟେସନ ମାଷ୍ଟର ଓ ରେଳବାଇ ପୋଲିସକୁ ଯୁବତୀମାନେ ଅସୁବିଧା ସଂପର୍କରେ ଜଣାଇଥିଲେ ବି କେହି ତାଙ୍କ କଥା ଶୁଣିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ରେଳ ଷ୍ଟେସନରେ ଏହି ଯୁବତୀମାନେ ରାତି କଟାଇଥିଲେ । ଏହି ସମୟରେ ଫେସବୁକ୍ ପେଜ୍ ଦେଖି ଯୁବତୀମାନେ ଅଂଶୁମାନ ଟ୍ରଷ୍ଟର ସଂପାଦକ ହିମାଂଶୁ ଶେଖର ସାହୁଙ୍କ ସହ ଯୋଗାଯୋଗ କରିଥିଲେ । ପରେ ଟ୍ରଷ୍ଟର ସଂପାଦକ ତାଙ୍କର ଜଣେ ବଂଧୁଙ୍କ ସହ ଯୋଗାଯୋଗ କରି ସେମାନଙ୍କର ରାତ୍ର ଭୋଜନ ବ୍ୟବସ୍ଥା କରିଥିଲେ । ଏଥିସହ ଗାଡି ଠିକ୍ କରି ଯୁବତୀମାନଙ୍କୁ ସୁରକ୍ଷିତ ଭାବରେ ଓଡିଶା ପହଂଚାଇବାର ବନ୍ଦୋବସ୍ତ କରିଥିଲେ । ଶନିବାର ରାତିରେ ଏହି ୧୦ଜଣ ଯୁବତୀ ଯାଜପୁର ଜିଲ୍ଲା ଜାରକାଠାରେ ପହଂଚି ଟ୍ରଷ୍ଟର ସହଯୋଗକୁ ପ୍ରଶଂସା କରିବା ସହ ସଂପାଦକ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.