ସ୍ବୟଂ ସହାୟିକା ମହିଳା ମହାସଂଘ ଆକାଉଣ୍ଟରୁ ୧୭.୯୬ ଲକ୍ଷ ଲୁଟ୍‌, ସଞ୍ଚୟ ଅର୍ଥ ଫେରସ୍ତ ପାଇଁ ୫୦୦ ଉର୍ଦ୍ଧ୍ଵ ମହିଳାଙ୍କ ମଧ୍ୟରେ ଉତ୍ତେଜନା

ଆଳି(କେନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତର ୫୬ ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ ଗଠିତ ପଞ୍ଚାୟତ ମହିଳା ମହାସଂଘ ଆକାଉଣ୍ଟରୁ ୧୭.୯୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଗତ ମାର୍ଚ୍ଚ ୪ ତାରିଖରୁ ଏ ସମ୍ପର୍କରେ ଆଳି ଥାନାରେ ଏତଲା ହୋଇଥିବା ବେଳେ ସେହିଦିନ ବିଡିଓଙ୍କ ନିକଟରେ ମଧ୍ୟ ଅଭିଯୋଗ ପତ୍ର ଦାଖଲ ହୋଇଛି। ଅଭିଯୋଗର ଅଢେଇ ମାସ ପରେ ମଧ୍ୟ କୌଣସି କାର୍ଯ୍ଯାନୁଷ୍ଠାନ ହୋଇନାହିଁ।

ଫଳରେ ଗତ ମଙ୍ଗଳବାର ଅପରାହ୍ନରେ ମହାସଂଘ ସଭାନେତ୍ରୀ, ସଂପାଦିକା ଓ ଶତାଧିକ ମହିଳା ସଦସ୍ଯା ଟଙ୍କା ହଡପକାରୀ ଏମବିକେ ଓ ସିଆରପିଙ୍କ ଘର ଘେରାଉ କରି ଟଙ୍କା ଫେରସ୍ତ ପାଇଁ ଦାବି କରିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ଖୁଲାସା କରି କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି। ମହାସଂଘର ସଞ୍ଚିତ ଅର୍ଥ ହରିଲୁଟ୍‌ କାରଣରୁ ୫୬ ସ୍ୱୟଂସହାୟିକା ଗୋଷ୍ଠୀର ଅର୍ଥ ଦେଣନେଣ,ଋଣ କାରବାର ଠପ୍‌ ହୋଇଯାଇଛି। ସ୍ୱଳ୍ପ ସଞ୍ଚୟକାରୀ ୫୬ ଗୋଷ୍ଠୀର ୫୦୦ ଉର୍ଦ୍ଧ୍ଵ ମହିଳାଙ୍କ ସଞ୍ଚୟ ଅର୍ଥ ଫେରସ୍ତ ପାଇଁ ସଂପୃକ୍ତ ମହିଳା ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଜୁଆଣିଆ ପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ତିଳୋତ୍ତମା ବେହେରା,ସଂପାଦିକା ହେମଲତା ନାୟକ,ଧରିତ୍ରୀ ମଞ୍ଚର ସିଆରପି ମିନତୀ ରାଉତ, ପ୍ରମୁଖ ଅଭିଯୋଗ କରିଛନ୍ତି ଯେ,ଏମବିକେ ବୈଶାଖୀ ସାମଲ ଓ ତାଙ୍କ ମା ତଥା ବୃନ୍ଦାବତୀ ମଞ୍ଚର ସିଆରପି ବବିତା ସାମଲ ମାନପୁର ଶାଖା ଷ୍ଟେଟବ୍ଯାଙ୍କରେ ଥିବା ମହାସଂଘର ଆକାଉଣ୍ଟ ନମ୍ବର ୩୮୦୯୪୦୩୪୮୮୦ ରୁ ୧୨ ଲକ୍ଷ ୪୧ ହଜାର ଟଙ୍କା ଓ ଆକାଉଣ୍ଟ ନମ୍ବର ୩୮୦୯୪୦୫୯୫୬୬ ରୁ ୫ ଲକ୍ଷ ୫୫ ହଜାର ଟଙ୍କା ବିଭିନ୍ନ ସମୟରେ ଉଠାଇ ନେଇଛନ୍ତି।

ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ମହାସଂଘର ଆକାଉଣ୍ଟ ବହି ଓ ଚେକ୍‌ ବହି ଏମବିକେ ବୈଶାଖୀ ସାମଲ ନିଜ ପାଖରେ ରଖନ୍ତି। ଏହାର ସୁଯୋଗରେ ସଂପୃକ୍ତ ଏମବିକେ ବୈଶାଖୀ ସାମଲ ଓ ସିଆରପି ବବିତା ସାମଲ ମହାସଂଘ ସଭାନେତ୍ରୀ, ସଂପାଦିକାଙ୍କ ଜାଲ୍‌ ଦସ୍ତଖତ କରି ମିଳିତ ଭାବରେ ଦୁଇଟି ଆକାଉଣ୍ଟରୁ ୧୭ ଲକ୍ଷ ୯୬ ହଜାର ଟଙ୍କା ଲୁଟ୍‌ କରିଛନ୍ତି ବୋଲି ଅଭିଯୋଗକାରୀ ମହିଳା ସଦସ୍ଯା ମାନେ ଅଭିଯୋଗ ଉଠାଇ ତୁରନ୍ତ ଘଟଣାର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି। ଅନ୍ଯପଟେ ଆଳି ବିଡ଼ିଓ କହିଛନ୍ତି ସଂପୃକ୍ତ ଏମବିକେ, ସିଆରପିଙ୍କ ନାଁରେ ଏତଲା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.