ସାଂସଦ ବିଧାୟକଙ୍କ ଫୌଜଦାରୀ ମାମଲା ପ୍ରସଙ୍ଗ, ରାଜ୍ୟ ସରକାର ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାମରେ ରୁଜ୍ଜୁ ହୋଇଛି ୪୨୩ ଟି ମାମଲା । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ତା ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଏ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କଟକ (କେନ୍ୟୁଜ): ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାମରେ ରୁଜ୍ଜୁ ହୋଇଥିବା ଫୌଜଦାରୀ ମାମଲାର ତ୍ୱରିତ ଶୁଣାଣି ପାଇଁ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।

୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାମରେ ରୁଜ୍ଜୁ ହୋଇଛି ୪୨୩ ଟି ମାମଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଓ ବିଧାୟକଙ୍କ ମାମଲାର ତ୍ୱରିତ ଶୁଣାଣି ପାଇଁ ହାଇକୋର୍ଟ ନିଜ ଆଡୁ ମାମଲା ରୁଜ୍ଜୁ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ତା ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଏ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଧାୟକ ଓ ସାଂସଦଙ୍କ ମାମଲାର ତ୍ୱରିତ ଶୁଣାଣି ପାଇଁ ଗତ ନଭେମ୍ବର ମାସରେ ଗାଇଡ଼ଲାଇନ ଜାରି କରିଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶାନାମା ଜାରି କରିଥିଲେ । ସୁପ୍ରିମକୋର୍ଟ କହିଥିଲେ, ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାର ତଦାରଖ ପାଇଁ ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବେ।

ମୃତ୍ୟୁ ଦଣ୍ଡାଦେଶ ମାମଲାକୁ ପ୍ରାଥମିକତା ଦିଆଯିବ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାକୁ ଶୀଘ୍ର ସମାଧାନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଥିଲେ ଯେ ୟୁନିଫର୍ମ ଗାଇଡଲାଇନ ଦେବା କଷ୍ଟସାଧ୍ୟ ହେବ । ମାମଲାଗୁଡ଼ିକର ମନିଟରିଂ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟମାନଙ୍କ ଉପରେ ଛାଡିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଏହି ମାମଲା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରଧୀନ ଅପରାଧିକ ମାମଲାର ଶୀଘ୍ର ସମାଧାନ ଉପରେ ନଜର ରଖିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିଜ ଆଡୁ ମାମଲା ରୁଜୁ କରିବାକୁ କୁହାଯାଇଥିଲା ।

ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଉପରେ ନଜର ରଖିବା ପାଇଁ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସ୍ବତନ୍ତ୍ର ଖଣ୍ଡପୀଠ ଆବଶ୍ୟକତା ଅନୁସାରେ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କରିପାରିବେ। ମାମଲାଗୁଡ଼ିକର ତ୍ୱରିତ ଓ ପ୍ରଭାବୀ ସମାଧାନ ପାଇଁ ହାଇକୋର୍ଟ ଆବଶ୍ୟକ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରିପାରିବେ । ସାଂସଦ ଓ ବିଧାୟକଙ୍କ ବିରୋଧରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡାଦେଶ ହୋଇଥିବା ଅପରାଧିକ ମାମଲା, ୫ ବର୍ଷ କିମ୍ବା ତା’ଠାରୁ ଅଧିକ ସଜା ମାମଲାକୁ ପ୍ରାଥମିକତା ଦିଆଯିବ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.