ଆହୁରି ବଢିବ ଥଣ୍ଡା: ରାଜ୍ୟରେ ୧୦ ଡିଗ୍ରୀ ତଳେ ୫ ସହର

ଭୁବନେଶ୍ୱର(କେନ୍ୟୁଜ୍): ଆହୁରି ବଢିବ ଥଣ୍ଡା। ଖସୁଛି ପାରଦ, ବଢୁଛି ଶୀତ । ୧୦ ଡିଗ୍ରୀ ତଳେ ୫ ସହର । ଗତ ୩ ଦିନ ହେବ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି । ସନ୍ଧ୍ୟା ପରେ ହଠାତ ତାପମାତ୍ରା ଖସୁଥିବାରୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି । ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହିତ ପଶ୍ଚିମ ଦିଗରୁ ଥଣ୍ଡା ବାୟୁର ପ୍ରବେଶ ରହୁଛି। ଯାହା ଦ୍ୱାରା ତାପମାତ୍ର ତଳମୁହାଁ ହୋଇଛି।

ଗତକାଲି ସେମିଳିଗୁଡାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀରେ ପହଞ୍ଚିଛି। ମୋଟ ୫ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଜି. ଉଦୟଗିରିରେ ତାପମାତ୍ରା ୯ ଡିଗ୍ରୀ, କିରେଇରେ ୯.୪ ଡିଗ୍ରୀ, ଫୁଲବାଣୀ ୯.୫ ଡିଗ୍ରୀ, ଚିପିଲିମା ୯.୮ ଡିଗ୍ରୀ, କେନ୍ଦୁଝରରେ ୧୦ ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ତାପମାତ୍ରା କମିବା ଯୋଗୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାଭିକଠାର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।