କଟକ ଜୁଡିସିଆଲ ଏକାଡେମୀରେ ଏକାଠି ଶପଥ ଗ୍ରହଣ କଲେ ନବନିଯୁକ୍ତ ୫୦ଜଣ ସିଭିଲ ଜଜ୍‌

କଟକ(କେନ୍ୟୁଜ୍): ଏକାଠି ଶପଥ ଗ୍ରହଣ କଲେ ନବନିଯୁକ୍ତ ୫୦ଜଣ ସିଭିଲ ଜଜ୍‌। କଟକ ଜୁଡିସିଆଲ ଏକାଡେମୀରେ ଶପଥ ଗ୍ରହଣ କରିଛନ୍ତି ୫୦ ଜଣ ବିଚାରପତି। ୨୦୨୧ ବ୍ୟାଚର ଏହି ସମସ୍ତ ସିଭିଲ ଜଜମାନଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର। ନବନିଯୁକ୍ତ ବିଚାରପତି ମାନଙ୍କୁ ସମ୍ବୋଧନ କରି ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି, ଜଣେ ବିଚାରପତି ନ୍ୟାୟ ପ୍ରଦାନ ସମୟରେ ସତର୍କ, ନିରପେକ୍ଷ ରହିବା ଉଚିତ। କୋର୍ଟ ଚେୟାରରେ ବସିବା ପୂର୍ବରୁ ନିଜର ବ୍ୟକ୍ତିଗତ, ପାରିବାରିକ, ସାମାଜିକ ସମସ୍ୟା, ବାଧାବନ୍ଧନକୁ ତ୍ୟାଗ କରି ଦେବା ଉଚିତ ବୋଲି କହିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର।

ଜଣେ ବିଚାରପତି ସମୟାନୁବର୍ତ୍ତୀ ହେବା ସହିତ ପ୍ରଥମେ ନିଜେ ଶୃଙ୍ଖଳିତ ହେବା ଦରକାର ବୋଲି ସେ କହିଛନ୍ତି। କୋର୍ଟ ରୁମରେ ଅନେକଙ୍କ ସହିତ ବୟସ, ପଦବୀ ତଥା ବିଚାରଗତ ପାର୍ଥକ୍ୟ ରହିବ । ଏହାକୁ ପଛରେ ପକାଇ ନ୍ୟାୟ ପ୍ରଦାନ ଉପରେ ଫୋକସ କରିବା ଉଚିତ ବୋଲି ମତ ରଖିଥିଲେ ମୁଖ୍ୟ ବିଚାରପତି । ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ ଶୁଭାଶିଷ ତାଳପତ୍ର ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.