୫୮ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଅର୍ଚ୍ଚନା, ପାଠପଢ଼ାରେ ନାତିନାତୁଣୀ କରନ୍ତି ସାହାଯ୍ୟ

ଯାଜପୁର (କେନ୍ୟୁଜ): ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସହ ଉତ୍ସାହ ରହିଥିବା ବେଳେ ୫୮ବର୍ଷ ବୟସ୍କା ମହିଳା ଏହି ପରୀକ୍ଷା ଦେଇଛନ୍ତି । କଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଦୃଢ ଇଛାଶକ୍ତି ଆଗରେ ବୟସ ହାର ମାନିଛି । ଏଭଳି ଜଣେ ମହିଳା ମାଟ୍ରିକ ପରିକ୍ଷାର୍ଥୀ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡମଙ୍ଗଳପୁର ଗ୍ରାମର ଅର୍ଚ୍ଚନା ଦାଶ ।

ଶିକ୍ଷା ଏକ ଜୀବନ ବ୍ୟାପୀ ପ୍ରକ୍ରୀୟା । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ଯେକୈାଣସି ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିହେବ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡମଙ୍ଗଳପୁର ଗ୍ରାମର ଅର୍ଚ୍ଚନା ଦାଶ । ଅର୍ଚ୍ଚନାଙ୍କ ବୟସ ଏବେ ୫୮ବର୍ଷ । ଚଳିତ ବର୍ଷ ସେ ଛାତ୍ରଛାତ୍ରୀଙ୍କ ସହ ବସି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରିବାର ସହିତ ଶିକ୍ଷାକ୍ଷେତ୍ରରେ ସମକକ୍ଷ ହେବା ରହିଛି ତାଙ୍କର ମୂଳ ଲକ୍ଷ୍ୟ । ଘରେ ପୁଅବୋହୂ ନାତିନାତୁଣୀମାନେ ପାଠ ପଢି ସମସ୍ତେ ଉଚ୍ଚଶିକ୍ଷିତ । ମାତ୍ର ନିଜେ ମାଟ୍ରିକ ପାସ କରିନଥିବାରୁ ମନରେ ସବୁବେଳେ ରହିଥିଲା କ୍ଷୋଭ । ଏଣୁ ମାଟ୍ରିକ ପାସ କରିବା ଲକ୍ଷ୍ୟରେ ସେ ପ୍ରଥମ କରି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷାର ପ୍ରଥମ ଦିନ ମାତୃଭାଷାରେ ପରୀକ୍ଷା ଦେଇ ସେ ବେଶ ଖୁସି ଅନୁଭବ କରିବା ସହ ଆଗକୁ ମଧ୍ୟ ପରୀକ୍ଷା ଭଲ ହେବ ବୋଲି କହିଛନ୍ତି ।

ଦୀର୍ଘ ବର୍ଷ ହେବ ଅର୍ଚ୍ଚନାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଥିଲା । ମାତ୍ର ସେ ପୁଣି ପାଠ ପଢିବାକୁ ମନ ବଳାଇଥିଲେ । ବିଳମ୍ବରେ ହେଲେ ମଧ୍ୟ ସେ ଏହି ପରୀକ୍ଷା ପାଇଁ ଦିନକୁ ୪/୫ ଘଂଟା ପାଠ ପଢାରେ ମନୋନିବେଶ କରୁଥିଲେ । ସାଧାରଣ ଗୃହୀଣୀଙ୍କ ପରି ଘରର ସମସ୍ତ କାର୍ଯ୍ୟ କରିବା ସହ ପାଠ ମଧ୍ୟ ପଢିଥାନ୍ତି । ଆଉ ଏଥିରେ ତାଙ୍କୁ ସହାୟତା କରନ୍ତି ପରିବାରର ସମସ୍ତ ସଦସ୍ୟ । ସମସ୍ତଙ୍କର ଇଛା ନାନୀ ଆମର ମାଟ୍ରିକ ପରୀକ୍ଷା ଦେଇ ପାସ୍ କରନ୍ତୁ । ଜଣେ ମାଟ୍ରିକ ପରୀକ୍ଷା ପାସ୍ କରିଥିବା ମହିଳା ଭାବେ ପରିବାରରେ ସାମିଲ ହୁଅନ୍ତୁ । ଚଳିତ ଥର ସେ ଯାଜପୁର ସରକାରୀ ହାଇସ୍କୁଲ ସେଂଟରରେ ପରୀକ୍ଷା ଦେଉଛନ୍ତି । ବର୍ତମାନ ସେ ଆଶାକର୍ମୀ ଭାବରେ କାର୍ଯ୍ୟରତ । ତେବେ ପରିଣତ ବୟସରେ ମାଟ୍ରିକ ପାସ କରିବାର ଇଚ୍ଛାଶକ୍ତି ତାଙ୍କୁ ଆଗକୁ ନେଇପାରିଛି ।

Leave A Reply

Your email address will not be published.