୬ଷ୍ଠ ଶ୍ରେଣୀ ଛାତ୍ରୀ ଚିଠି ଲେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମିଳିଲା ନ୍ୟାୟ,ପାଠପଢ଼ା ପାଇଁ ମାଆ ଦେବେ ମାସକୁ ୬ ହଜାର ଟଙ୍କା

ଆନନ୍ଦପୁର(କେନ୍ୟୁଜ୍): ଝିଅର ପାଠପଢ଼ା ପାଇଁ ମାଆ ଦେବେ ମାସକୁ ୬ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରୀ ଜଣଙ୍କ ଚିଠି ଲେଖିବା ପରେ ମିଳିଲା ନ୍ୟାୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମାଆ ତାଙ୍କଠାରୁ ଅଲଗା ରହୁଥିବା ବେଳେ ବାପା ନିଜ ସ୍ୱଳ୍ପ ରୋଜଗାରରେ ଝିଅର ପାଠପଢ଼ା ତୁଲାଇବା କଷ୍ଟକର ହୋଇପଡ଼ିଥିଲା । ତେଲକୋଇ ବ୍ଲକ୍‌ ଶିରିଗିଡ଼ା ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ମାଆଙ୍କ ଦରମାରୁ ତାଙ୍କ ପଢ଼ା ଖର୍ଚ୍ଚ ବହନ ପାଇଁ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲା ଝିଅ।

ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତନାଘନା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ସଂପୃକ୍ତା ଶିକ୍ଷୟିତ୍ରୀଙ୍କୁ ଡକାଇ ଜବାବ ତଲବ କରିଥିଲେ । ଶିକ୍ଷୟିତ୍ରୀ ଜଣକ ନିଜ ଝିଅକୁ ପଢ଼ା ଖର୍ଚ୍ଚ ବାବଦ ମାସକୁ ୬ ହଜାର ଟଙ୍କା ଦେବେ ବୋଲି ରାଜି ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠିରୁ ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.