ପର୍ଜଙ୍ଗ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଘଟଣାରେ ୮ ଗିରଫ, ଜେସିବି ଓ ୨ ଟ୍ରାକ୍ଟର ଜବତ

ମାଟି ଉଠାଇବାର ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ତହସିଲଦାରଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ଜେସିବି ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା ।

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଘଟଣାରେ ଆକ୍ସନ ମୁଡ୍‌ରେ ପୋଲିସ । ଏଯାଏ ଗିରଫ ୮ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାଫିଆଙ୍କ ଗୋଟିଏ ଜେସିବି ଓ ୨ ଟ୍ରାକ୍ଟରକୁ ଜବତ କରିଛି କାମାକ୍ଷାନଗର ଥାନା ପୋଲିସ । ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଗତକାଲି ପଥରଖମ୍ବ ଗାଁ କେନାଲ ନିକଟରେ ଥିବା ଏକ ସରକାରୀ ଜମିରୁ ମାଫିଆମାନେ ବେଆଇନ ଭାବେ ମାଟି ଉଠାଉଥିବା ବେଳେ ପର୍ଜଙ୍ଗ ତହସିଲଦାର ଶୁଭ୍ର ପଟେଲ ଘଟଣାସ୍ଥଳରେ ପହଞ୍ଚି ମାଟି ଉଠାଇବାକୁ ବାରଣ କରିଥିଲେ ।

ମାଟି ଉଠାଇବାର ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ତହସିଲଦାରଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ଜେସିବି ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଖବର ପାଇ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ପହଞ୍ଚି ଥିବା ବେଳେ ତାଙ୍କୁ ମଧ୍ୟ ମାଫିଆମାନେ ଆକ୍ରମଣ କରିଥିଲେ । ଏହାପରେ ଟ୍ରାକ୍ଟର ଓ ଜେସିବିକୁ ନେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ତହସିଲଦାର ଗୁୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ପୋଲିସ ପ୍ରଥମେ ୨ଜଣଙ୍କୁ ଓ ପରେ ଆଉ ୬ଜଣଙ୍କୁ ଗିରଫ କରିଥିଲା । ମୋଟ ୮ ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ ଜେସିବି,୨ଟି ଟ୍ରାକ୍ଟରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.