ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମାଡମରା ଘଟଣା ; ୯ ଜଣଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା (କେନ୍ୟୁଜ): ଲୋକଙ୍କୁ ଗାଡ଼ି ମଡ଼ାଇବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ଼ ଘଟଣାରେ ୯ ଗିରଫ । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ପେଶିଆଲ ସ୍କ୍ଵାର୍ଡ ବାଲୁଗାଁ SDPOଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଗିରଫ ହୋଇ ଜେଲ୍‌ରେ ଥିବା ଚିଲିକା ବିଧାୟକଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ଦୁର୍ଘଟଣା ଘଟାଇଥିବା ଗାଡିର ନମ୍ବରକୁ ନେଇ ବିଧାୟକଙ୍କ ଅଡୁଆ ବଢିଛି । ପ୍ରଶାନ୍ତ ଜଗଦ୍ଦେବ ଚଳାଉଥିବା କାରରେ ୨ଟି ଭିନ୍ନ ଭିନ୍ନ ନମ୍ବର ରହିଥିବା ଦେଖିବାକୁ ମିଳିଥିଲା । ତେବେ ବିଧାୟକ ଚଲାଉଥିବା ଲ୍ୟାଣ୍ଡ ରୋଭର ଡିସ୍କଭରୀ କାରର ମୂଳ ନମ୍ବର ଓଡି-୨୫-କେ-୫୭୭୫ ହୋଇଥିବା ବେଳେ ଏହା ନୟାଗଡ଼ ଅଞ୍ଚଳର ଠିକାଦାର କୁମାର ଦେବଦତ୍ତଙ୍କ ନାଁରେ ରହିଛି ।

ସେହିପରି ଓଡି-୦୨-ଏଓ୍ଵାଇ-୫୭୭୫ ଏକ ହୁଣ୍ଡାଇ କାରର ହୋଇଥିବା ବେଳେ ଏହା ନୟାଗଡ ଜିଲ୍ଲା ସୁନାଖଳାର ଶିବାନୀ ଫୁଡ଼ କମ୍ପାନୀ ମାଲିକଙ୍କ ନାଁରେ ରହିଥିବା ଜଣାପଡିଛି । ଏହାକୁ ନେଇ ଏବେ ପ୍ରଶ୍ନ ଘେରରେ ଉଭୟ ଗାଡି ମାଲିକ ଏବଂ ବିଧାୟକ । ଗାଡିରେ ବ୍ୟବହୃତ ୨ଟି ଭିନ୍ନ ନମ୍ବର ପ୍ଲେଟର ଯାଞ୍ଚ କରିଛନ୍ତି ଏମଭିଆଇ । ତେବେ ଆରଟିଓଙ୍କ ରିପୋର୍ଟ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବାଲୁଗାଁ ଏସଡିପିଓ ଉପରୋକ୍ତ ୨ଟି କାରର ମାଲିକଙ୍କୁ ୯୧ ସିଆରପିସି ଧାରା ଅନୁଯାୟୀ ନୋଟିସ୍‌ ଜାରି କରିଛନ୍ତି । ଆସନ୍ତା ୨ତାରିଖ ମଧ୍ୟରେ କାରର ସମସ୍ତ କାଗଜପତ୍ର ଦେଖାଇବାକୁ ନୋଟିସ ହୋଇଛି । ଦୁଇ କାର ମାଲିକ ଜେରାର ସମ୍ମୁଖୀନ ହେବା ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ବାଲୁଗାଁ ଏସଡିପିଓ ତଥା ତଦନ୍ତ ଅଧିକାରୀ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.