୧୦୦ ଟଙ୍କିଆ ନୋଟ ଦେବା ବାହାନାରେ ଲୋକଙ୍କୁ କାଗଜ ବିଡା ଦେଇ ଠକୁଥିଲା ଠକ ଗ୍ୟାଙ୍ଗ, କାବୁ କଲା ପୋଲିସ

ଠକମାନେ ଲୋକଙ୍କୁ ଅଧିକ ଟଙ୍କା ଦେବାର ଲୋଭ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ବର୍ତ୍ତମାନ ଅନୁଗୋଳ ଟାଉନ୍ ଥାନାରେ ଏଭଳି ତିନି ଜଣ ଠକଙ୍କୁ ଗିରଫ କରାଯାଇଛି । ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ ନୋଟ ଦେବା ବାହାନାରେ ଲୋକଙ୍କୁ ସାଧା କାଗଜ ବିଡା ଦେଇ ଠକୁଥିଲେ ଏହି ଗ୍ୟାଙ୍ଗ ।

ଠକମାନଙ୍କ ମନକୁ ଠକିବା କଥା ଆସିଲେ, ସେମାନଙ୍କ ମୁଣ୍ଡରେ ଅନେକ ବୁଦ୍ଧି ଆସେ । ଠକମାନେ ନୀରିହ ଲୋକଙ୍କୁ ଠକିବା ପାଇଁ ଆପଣାନ୍ତି ଭିନ୍ନ ଭିନ୍ନ ଉପାୟ । ତେବେ ଆପଣ ଥରେ ଭାବନ୍ତୁ ଆପଣଙ୍କୁ କେହି ଜଣେ ବ୍ୟାଗରେ ଟଙ୍କା ଭର୍ତ୍ତି କରି ଦେଇଥିବ । କିନ୍ତୁ ଆପଣ ଘରକୁ ଯାଇ ବ୍ୟାଗ ଖୋଲିବା ପରେ ସେଥିରୁ ବିଡ଼ା ବିଡ଼ା କାଗଜ ବାହାରେ ତେବେ ଆପଣ କଣ କରିବେ । ଏଭଳି ଘଟଣା ଆପଣ ହୁଏ ତ ଫିଲ୍ମରେ ଦେଖିଥିବେ କିନ୍ତୁ ଏଭଳି କିଛି ସତରେ ହୋଇଛି । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।

ଠକମାନେ ଲୋକଙ୍କୁ ଅଧିକ ଟଙ୍କା ଦେବାର ଲୋଭ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ବର୍ତ୍ତମାନ ଅନୁଗୋଳ ଟାଉନ୍ ଥାନାରେ ଏଭଳି ତିନି ଜଣ ଠକଙ୍କୁ ଗିରଫ କରାଯାଇଛି । ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ ନୋଟ ଦେବା ବାହାନାରେ ଲୋକଙ୍କୁ ସାଧା କାଗଜ ବିଡା ଦେଇ ଠକୁଥିଲେ ଏହି ଗ୍ୟାଙ୍ଗ ।

ଅନୁଗୁଳ ମାଟିଆସାହି ଅଞ୍ଚଳର ପଦ୍ମ ଲୋଚନ ପ୍ରଧାନଙ୍କୁ କିଛି ଅଜଣା ଲୋକ ୧୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ କହିଥିଲେ । ପଦ୍ମ ଲୋଚନ ଦୁଇ ଲକ୍ଷ ଟଙ୍କା ଦେଲେ ଅଭିଯୁକ୍ତମାନେ ଅଢେଇ ଲକ୍ଷ ଦେବେ ବୋଲି । ଏ କଥା ଶୁଣିବା ପରେ ପଦ୍ମ ଲୋଚନ ଦୁଇ ଲକ୍ଷ ଟଙ୍କା ଧରି ବୁଢୀ ଠାକୁରାଣୀ ଛକ ନିକଟକୁ ଆସିଥିଲେ। ତେବେ ଅଜଣା ଲୋକ ମାନେ ପଦ୍ମଲୋଚନଙ୍କୁ ଏକ ହ୍ୟାଣ୍ଡ ବ୍ୟାଗ୍ ଧରାଇ ତାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ନେଇ ପଳାଇଥିଲେ । ପଦ୍ମ ଲୋଚନ ଘରକୁ ଯାଇ ବ୍ୟାଗ୍ ଖୋଲି ଦେଖିଲା ବେଳକୁ ବ୍ୟାଗ୍ ଭିତରେ ଖାଲି କାଗଜ ବଣ୍ଡଲ ଥିଲା । ଏ ଘଟଣା ବିଷୟରେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ୧୫୬/୨୩ ରେ ଏକ ମାମଲା ରୁଜୁ ହୋଇଥିଲା।

ସେହିପରି ତୁରଙ୍ଗ ଅଞ୍ଚଳର ପାର୍ଥ ସାରଥି ସାହୁଙ୍କୁ ୧୦ ଲକ୍ଷ ଟଙ୍କା ଦେଲେ ୧୨ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ । ପରେ ଅନୁଗୁଳ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରୁ ଅଜଣା ଲୋକ ମାନେ ଏକ ହ୍ୟାଣ୍ଡ ବ୍ୟାଗ୍ ଧରାଇ ପାର୍ଥ ସାରଥୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ। ସମାନ ଭାବେ ପାର୍ଥ ସାରଥି ଘରକୁ ଯାଇ ବ୍ୟାଗ୍ ଖୋଲିବା ପରେ ତାଙ୍କୁ ମଧ୍ୟ କାଗଜ ବିଡ଼ା ମିଳିଥିଲା । ସେ ମଧ୍ୟ ଏନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ ୫୧୨/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଚୋର ଯେତେ ଚାଲାକ ହେଲେ ବି ଦିନେ ଦିନେ ଧରା ପଡ଼େ ।

ପୁଣି ଥରେ ସେହି ଅଜଣା ଲୋକ ମାନେ ବିଜୁ ମଇଦାନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଟଙ୍କା ବଦଳାଇବା କଥା କହି ଅପେକ୍ଷା କରିଥିବା ବେଳେ ଟାଉନ ଥାନା ପୋଲିସ ଖବର ପାଇ ତିନି ଜଣ ଠକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା କଣ୍ଟିଆ ଅଞ୍ଚଳର ରଘୁନାଥ ମିଶ୍ର, କଟକ ଜିଲ୍ଲା ଧାମରାର ଦେବେନ୍ଦ୍ର ବଳ, ପୁରୀ ଜିଲ୍ଲା ବତିସୁଆଁର କିଶୋର ଚନ୍ଦ୍ର ବିଶ୍ଵାଳ । ଏ ଠକମାନଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ନଗଦ ୩୫,୭୪୫ ଟଙ୍କା ସହ ଗୋଟିଏ ମାରୁତି ସିଆଜ କାର, ୫ ଟି ମୋବାଇଲ ଫୋନ, ଦୁଇଟି ଚଷମା, ୬ ଟି ହ୍ୟାଣ୍ଡ ବ୍ୟାଗ୍, ୩ ଟି ପକେଟ ନୋଟ ବୁକ୍, ୪ ଟି ଛୋଟ ତାଲା ସହ ଚାବି ପେନ୍ଥା, ୩ ଟି ଏଟିଏମ, ପାନ କାର୍ଡ, ଆଧାର କାର୍ଡ, ଶ୍ରମ କାର୍ଡ, ଡିଏଲ ସହ ଏକ ହ୍ୟାଣ୍ଡ ବ୍ୟାଗ୍ ରେ ୧୨ ବଣ୍ଡଲ ସାଧା କାଗଜ ଜବତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.