‘ମୋ ଝିଅ ମୋ ମଥା ସିନ୍ଦୂର’ ଓ ‘ମୋ ଝିଅ ମୋ ମଥା ଚନ୍ଦନ’ : ଏକ ଅଭିନବ ପ୍ରୟାସ

ବେଗୁନିଆ (କେନ୍ୟୁଜ୍‌) : ବର୍ତ୍ତମାନ ପରିସ୍ଥିତି ଏମିତି ଯେ ପୁଅଙ୍କୁ କନ୍ୟା ମିଳିବା କଷ୍ଟକର ହୋଇପଡ଼ିଲାଣି । ଭଲ ଝିଅ ଖୋଜି ଖୋଜି ନୟାନ୍ତ ହୋଇଯାଉଛନ୍ତି ବରପକ୍ଷ । ଏଭଳି କାହିଁକି ହେଉଛି ? ଆଗକୁ ଏହି ପରିସ୍ଥିତି ଆହୁରି ଉତ୍କଟ ହୋଇ ପାରେ । କାରଣ କେବଳ କନ୍ୟାରତ୍ନଙ୍କ ସଂଖ୍ୟା କମିବା ନୁହେଁ, ଧୀରେ ଧୀରେ ପୁରୁଷ ସହ ନାରୀ ସମାନ ହେଉଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ।

4

ଘରେ ପୁଅଟିଏ ଜନ୍ମ ନେଲେ ପରିବାର ଲୋକେ ଯେଭଳି ଖୁସି ହୋଇଥାନ୍ତି, ଝିଅଟିଏ ଜନ୍ମ ହେଲେ ସେଭଳି ହସଖୁସି ଦେଖିବାକୁ ମିଳେ ନାହିଁ । ବର୍ତ୍ତମାନ ସମୟରେ ଏହାକୁ ନେଇ କିଛି ଲୋକଙ୍କ ମାନସିକତା ବଦଳିଥିଲେ ମଧ୍ୟ ଅଧିକାଂଶ ପୁଅ ପାଇଁ ଲାଳାୟିତ । ଯଦିବି ପ୍ରଥମେ ଝିଅଟିଏ ଜନ୍ମ ନେଇଛି ତେବେ ପୁଣି ପୁଅଟିଏ ଦରକାର ବୋଲି ମନେ କରନ୍ତି ବାପା ମାଆ ସମେତ ପରିବାର ଲୋକେ । ସେମାନେ ବୁଝି ପାରନ୍ତି ନାହିଁ ଯେ କନ୍ୟା ରତ୍ନ ବା ଦୁହିତା ଠିକ୍‌ ଦୁଇ କୁଳକୁ ହିତା ଭଳି ଘର ସମ୍ଭାଳିବାର ସାମର୍ଥ୍ୟ ରଖେ । ପୁରାତନ ମାନସିକତାକୁ ବଦଳାଇବା ପାଇଁ ପ୍ରୟାସ ଚଳାଇଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ‘ଆମେ ତୁମେ ଓ ସେମାନେ’ ଅନୁଷ୍ଠାନ ।

ଏହି ଅନୁଷ୍ଠାନର ଯୁବକମାନେ କନ୍ୟା ସନ୍ତାନର ସୁରକ୍ଷା ଏବଂ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ଏକ ଅଭିନବ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବାପା ମାଆଙ୍କୁ ମାନପତ୍ର ଦେଇ ସର୍ବସମ୍ମୁଖରେ ସମ୍ବର୍ଦ୍ଧିତ କରୁଛନ୍ତି । ନିକଟରେ ଏହିଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ।

3

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡିଏମ୍‌ଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏଭଳି ଅଭିଯାନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ୧୧ ଜଣ ଶିଶୁ କନ୍ୟାଙ୍କ ପିତା ମାତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ଜଣେ ସାମାଜିକ କର୍ମୀ ସମସ୍ତଙ୍କୁ ଗୋଟିଏ ଲେଖାଏଁ କିଟ୍‌ ପ୍ରଦାନ କରିଥିଲେ । ଉପସ୍ଥିତ ଅତିଥିମାନେ କନ୍ୟାସନ୍ତାନ ପ୍ରତି ଯତ୍ନବାନ ହେବା ଏବଂ ସେମାନଙ୍କୁ ଆଦର କରିବା ସହ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ ।

ତେବେ ‘ଆମେ ତୁମେ ଓ ସେମାନେ’ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ଆଗକୁ ଜାରି ରହିବ ବୋଲି ଏହାର ସଦସ୍ୟମାନେ କହିଛନ୍ତି । ଆଖପାଖରେ ଯେକୌଣସି ଗାଁରେ ଝିଅଟିଏ ଜନ୍ମ ନେବାର ଶୁଣିଲେ ଏହି ଅନୁଷ୍ଠାନର ସଦସ୍ୟମାନେ ତାଙ୍କ ଘରକୁ ଦୌଡ଼ି ଯାଆନ୍ତି । ପିତାମାତାଙ୍କ ସମେତ ପରିବାର ଲୋକଙ୍କୁ ଉତ୍ସାହିତ କରନ୍ତି । ପୁଣି ଗାଁ ସ୍କୁଲକୁ ଡାକି ‘ମୋ ଝିଅ ମୋ ମଥାର ସିନ୍ଦୂର’ ଓ ‘ମୋ ଝିଅ ମୋ ମଥାର ଚନ୍ଦନ’ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥାନ୍ତି । ଏଥିରେ ଲୋକେ ସଚେତନ ହେବା ସହ ଏକ ଭଲ ବାର୍ତ୍ତା ମଧ୍ୟ ପ୍ରଚାରିତ ହେଉଛି । ଏଭଳି ମହତ୍‌ ପ୍ରୟାସ ପାଇଁ ‘ଆମେ ତୁମେ ଓ ସେମାନେ’ ଅନୁଷ୍ଠାନକୁ କେନ୍ୟୁଜ୍‌ ସାଧୁବାଦ ଜଣାଉଛି ।

6

Leave A Reply

Your email address will not be published.