ମା’ ମଙ୍ଗଳାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପରମ୍ପରା, ନେତ୍ର ଉତ୍ସବକୁ ଧୁମଧାମରେ ପାଳନ କଲେ ଭକ୍ତ

ଚୈତ୍ର ମାସର ପ୍ରଥମ ମଙ୍ଗଳବାର ମା’ ମଙ୍ଗଳାଙ୍କ ମନ୍ଦିରରେ ଏକ ସ୍ୱତନ୍ତ୍ର ପରମ୍ପରା ଦେଖିବାକୁ ମିଳିଥାଏ । ଏହି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଆରମ୍ଭ ହେବା ସହିତ ମଙ୍ଗଳା ମନ୍ଦିରରେ ଏକ ନିଆରା ପରମ୍ପରା ନେତ୍ର ଉତ୍ସବ ଦେଖିବାକୁ ମିଳିଥାଏ ।

ପରମ୍ପରା ଏବଂ ସଂସ୍କୃତିକୁ ବାନ୍ଧି ରଖିଥିବା ରାଜ୍ୟ ହେଉଛି ଆମ ରାଜ୍ୟ ଓଡ଼ିଶା । ଓଡ଼ିଶାର ଲୋକମାନଙ୍କ ଚଳଣି ସହିତ ଯୋଡ଼ି ହୋଇରହିଛି ଆମ ପର୍ବ ପର୍ବାଣି ଏବଂ ପରମ୍ପରା । ଓଡ଼ିଆମାନେ ପାଳନ କରନ୍ତି ବାରମାସରେ ତେର ପର୍ବ । ବିଭିନ୍ନ ଦେବାଦେବୀମାନଙ୍କ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚୈତ୍ରମାସ ପର୍ବ ଏବଂ ନେତ୍ର ଉତ୍ସବ ଓଡ଼ିଆ ମାନଙ୍କର ଏକ ପ୍ରମୁଖ ପର୍ବ । ଏହି ମାସର ପ୍ରତି ମଙ୍ଗଳବାର ମା’ ମଙ୍ଗଳାଙ୍କୁ ଶ୍ରଦ୍ଧାଳୁମାନେ ପୂଜା ଅର୍ଚ୍ଚନା କରିବା ସହିତ ମା’ ମଙ୍ଗଳାଙ୍କ ବ୍ରତ ଧାରଣ କରନ୍ତି । ଚୈତ୍ର ମାସର ପ୍ରଥମ ମଙ୍ଗଳବାର ମା’ ମଙ୍ଗଳାଙ୍କ ମନ୍ଦିରରେ ଏକ ସ୍ୱତନ୍ତ୍ର ପରମ୍ପରା ଦେଖିବାକୁ ମିଳିଥାଏ । ଏହି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଆରମ୍ଭ ହେବା ସହିତ ମଙ୍ଗଳା ମନ୍ଦିରରେ ଏକ ନିଆରା ପରମ୍ପରା ନେତ୍ର ଉତ୍ସବ ଦେଖିବାକୁ ମିଳିଥାଏ । ଏହି ଦିନ ରାତ୍ର ଦୁଇ ଘଟିକାରେ ମନ୍ଦିର ପହୁଡ଼ ଖୋଲାଯାଇ ମା’ ମଙ୍ଗଳାଙ୍କ ମାର୍ଜନା, ସ୍ନାନ କରାଯାଇ ମା’ ମଙ୍ଗଳାଙ୍କ ବେଶ ଆରମ୍ଭ ହୋଇଥାଏ । ମା’ ମଙ୍ଗଳାଙ୍କ ବେଶ ସାରିବା ପରେ ରାତ୍ର ତିନିଟା ଠାରୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସାହାଣ ମେଲା କରାଯାଇଥାଏ ।

ଚୈତ୍ର ମାସର ପ୍ରଥମ ମଙ୍ଗଳବାର ମା’ ମଙ୍ଗଳାଙ୍କୁ ରାଜରାଜେଶ୍ୱରୀ ବେଶରେ ଭକ୍ତମାନେ ଦର୍ଶନ କରିଥାନ୍ତି । ମା’ ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତ ଏବଂ ବ୍ରତଧାରୀ ମହିଳାମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ବ୍ରତଧାରୀ ଶ୍ରଦ୍ଧାଳୁ ମହିଳାମାନେ ପ୍ରାତଃ ସମୟରୁ ମା’ ମଙ୍ଗଳାଙ୍କ ଦର୍ଶନ ସାରି ଘରକୁ ଫେରିଥାନ୍ତି । ପରେ ସେଠାରେ ଏକ ପନ୍ଥେଇ ପୂଜା କରିଥାନ୍ତି । ରାତ୍ର ସମୟରୁ ମା’ ମଙ୍ଗଳାଙ୍କ ଦର୍ଶନ ଚାଲିଥିବାବେଳେ ଅପରାହ୍ନ ଗୋଟାଏ ସମୟରେ ମା’ ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଥାଏ ନେତ୍ର ଉତ୍ସବ । ମା’ ମଙ୍ଗଳାଙ୍କ ପ୍ରାଚୀନଦୀରୁ ଉଦ୍ଧାର ସମୟରୁ ଯଦିଓ ଏହି ପରମ୍ପରା ରହି ନଥିଲା, ପରବର୍ତ୍ତୀ ସମୟରେ ୧୮୪୪ ମସିହାରେ ମୋହନ କୁମାର ଚୂଡ଼ାମଣି ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରାଇଥିଲେ ଏବଂ ମନ୍ଦିର ପ୍ରତିଷ୍ଠା କରିବା ସମୟରେ ମନ୍ଦିର ଚୂଡ଼ାରେ ଭୈରବ ଚକ୍ରକୁ ସ୍ଥାପନ କରିଥିଲେ । ମାର୍କଣ୍ଡ ଋଷିଙ୍କ ରଚିତ ଚଣ୍ଡିପୁରାଣରେ ଉଲ୍ଲେଖ ତଥ୍ୟ ଅନୁଯାୟୀ ମା’ ମଙ୍ଗଳାଙ୍କ ପ୍ରତିଷ୍ଠା ସମୟରେ ଏହି ଭୈରବ ଚକ୍ରକୁ ପ୍ରତିଷ୍ଠା କରାଯାଇଥିଲା । ଭୈରବ ଚକ୍ର ଉପରେ ବାନା ବା ନେତ ବନ୍ଧାଯାଇଥାଏ । ଏହି ନେତର ନାମ ଅପର୍ଣ୍ଣା ଏବଂ ଏହାର ରଙ୍ଗ ଧଳା ବା ଶ୍ୱେତ ବର୍ଣ୍ଣ ହୋଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ ମା’ ମଙ୍ଗଳା ହେଉଛନ୍ତି ତ୍ରେତୟା ଯୁଗର ଠାକୁରାଣୀ । ମହାନ ଶିବ ଭକ୍ତ ତ୍ରିପୁରା ବିଜୟୀ ଲଙ୍କାର ରାଜା ରାବଣର ଆରାଧ୍ୟ ଦେବୀ ଭାବେ ମା’ ମଙ୍ଗଳା ପୂଜା ପାଉଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ରାମଙ୍କ ଦ୍ୱାରା ରାବଣ ନିହତ ହେବା ପରେ ମା’ ସେଠାରୁ ଉଦ୍ଭାନ ହୋଇଯାଇଥିଲେ । ଦୀର୍ଘ ସମୟ ପରେ ପ୍ରାଚୀନଦୀର ଗଣ୍ଡରେ ମା’ ମଙ୍ଗଳା ବୁଡ଼ି ରହିଥିବା ପାରମ୍ପରିକ ସେବକ ହଟ ଦୀକ୍ଷିତ ଏବଂ ବଟ ଦୀକ୍ଷିତ ଦୁଇ ଭାଇଙ୍କୁ ମା’ ମଙ୍ଗଳାଙ୍କୁ ଉଦ୍ଧାର ପାଇଁ ସ୍ୱପ୍ନାଦେଶ ଦେଇଥିଲେ । ଦୁଇ ଭାଇ ହଟ ଓ ଭଟ ଅନେକ ଖୋଜାଖୋଜି କରିବା ପରେ ମା’ଙ୍କର କୌଣସି ସନ୍ଧାନ ପାଇ ପାରିନଥିଲେ । ଏବଂ ପ୍ରାଚୀ ନଦୀର ଘଣ୍ଟତୋଳା ଘାଟଠାରେ ଏକ ଯଜ୍ଞର ଆୟୋଜନ କରି ମା’ ମଙ୍ଗଳାଙ୍କ ସନ୍ଧାନ ନପାଇବାରୁ ସେହି ଯଜ୍ଞ କୁଣ୍ଡରେ ଝାସ ଦେବାକୁ ଯାଉଥିବା ବେଳେ ଶୂନ୍ୟରୁ ଏକ ନାରୀ କଣ୍ଠ ସ୍ୱର ଶୁଭିଥିଲା । ସେହି କଣ୍ଠସ୍ୱରରେ ଶୁଭିଥିଲା ଯେ ହେ ଭକ୍ତ ମୁଁ ତୁମର ପରୀକ୍ଷା ନେଉଥିଲି ଏବଂ ତୁମେ ସଫଳ ହୋଇଛ । ମୁଁ ପ୍ରାଚୀନଦୀର ଚକ୍ରଗଣ୍ଡରେ ରହିଛି, ସେହି ଠାରୁ ମୋତେ ଉଦ୍ଧାର କର । ପରବର୍ତ୍ତୀ ସମୟରେ ପ୍ରାଚୀନଦୀରୁ ମା’ ମଙ୍ଗଳାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଦେଉଳି ମଠରେ ଏକ ଆମ୍ବ ଗଛ ମୂଳରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.