୩ ଦିନିଆ କେନ୍ଦୁଝର ଗସ୍ତରେ ଉନ୍ନୟନ କମିଶନର ତଥା ଅତିରକ୍ତ ମୁଖ୍ୟ ଶାସନ ସଚିବ, ଜାଣନ୍ତୁ କାହା ଉପରେ କଲେ ସମୀକ୍ଷା

କେନ୍ଦୁଝର (କେନ୍ୟୁଜ୍‌) : ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚଳିତ ଡିସେମ୍ବର ୧୯ ତାରିଖରୁ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହିତ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହିତ ସମୀକ୍ଷା କରିଛନ୍ତି । ଡିସେମ୍ବର ୧୯ ତାରିଖ ଶନିବାର ସନ୍ଧ୍ୟାରେ ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡାର ବିଶ୍ୱ ପ୍ରସିଦ୍ଧ ଟସର ପାର୍କ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ସମୀକ୍ଷା କରିଥିଲେ ।

ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ଏହାର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କାନପୁର ଜନସେଚନ ପ୍ରକଳ୍ପ ନିର୍ମାଣର ଅଗ୍ରଗତି, ଆନନ୍ଦପୁର ବ୍ୟାରେଜ୍ ସଂପର୍କରେ ବିଶଦ ଭାବେ ସମୀକ୍ଷା କରିବା ସହିତ ଡି.ଏମ୍.ଏଫ୍. ଓ ଓମ୍ବାଡିସି ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ଯଥା ଭିତିଭୂମି ବିକାଶ, ରାସ୍ତା ନିର୍ମାଣ, ଜୀବିକା କ୍ଷେତ୍ରରେ ଡି.ଏମ୍.ଏଫ୍ ତରଫରୁ ମନରେଗା ଯୋଜନାରେ ଶ୍ରମଜୀବୀମାନଙ୍କ ପାଇଁ ମଜୁରୀ ବୃଦ୍ଧି, କୃଷି, ଉଦ୍ୟାନ କୃଷି, ୱାଡି ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଜୀବିକା ମିଶନ,କ୍ଷୁଦ୍ର ଜଳସେଚନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ/ ପ୍ରକଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ଏତଦ୍ବ୍ୟତୀତ ଜିଲ୍ଲାରେ କୋଭିଡ୍-୧୯ ମହାମାରୀ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ ।

coviddରବିବାର ଅପରାହ୍ନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କାନପୁର ଜନସେଚନ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ସହିତ ଯଥାଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ନିମନ୍ତେ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଠାରୁ ନାରଦପୁରଠାରେ ଡି.ଏମ୍.ଏଫ୍. ଅନୁଦାନରେ ନିର୍ମାଣାଧିନ ମେଗା ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ଏହି ପ୍ରକଳ୍ପ କାନପୁର ଓ ଇଟାପୋଖରୀ ସହିତ ୫ଟି ସ୍ଥାନରେ କାର୍ଯ୍ୟକାରୀ ହେଉଛି । ସେଠାରୁ ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ମିରିଗିସିଙ୍ଗା ଗସ୍ତ କରି ସେଠାରେ ମେଗା ପାନୀୟଜଳ ପ୍ରକଳ୍ପ ପରିଦର୍ଶନ କରିଥିଲେ ଏବଂ ନିର୍ମାଣ କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ । ଏହି ପ୍ରକଳ୍ପ ପାଇଁ ଡି.ଏମ୍.ଏଫ୍. ଓ ଓମ୍ବାଡିସି ରୁ ୨୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ୨୦୨୧ ସୁଦ୍ଧା ଜିଲ୍ଲାର ସବୁ ଘରକୁ ପାନୀୟ ଜଳ ପହଂଚାଇବାର ଲକ୍ଷ ଧାର୍ଯ୍ୟ କରାଯାଇଛି ।

covid2ସୂଚନାଯୋଗ୍ୟ ଯେ ଗସ୍ତର ପ୍ରଥମ ଦିନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଶ୍ୱରେ ସୁନାମ ଅର୍ଜନ କରିଥିବା ଭଗାମୁଣ୍ଡା ସ୍ଥିତ ଟସର ପାର୍କ ପରିଦର୍ଶନ କରିବା ଅବସରରେ ଟସର ସୂତା କଟା, ଲୁଗାବୁଣା, ଡିଜିଟାଲ୍ ପ୍ରିଂଟ୍, ଏମ୍ବ୍ରିଡୋରି ଆଦି କାର୍ଯ୍ୟ ଦେଖିଥିଲେ । ଏଠାରେ ଅନ୍ତେବାସୀମାନଙ୍କ ପାଇଁ ହଷ୍ଟେଲ୍ ସୁବିଧା ଓ ଆବଶ୍ୟକୀୟ ଜମି ବ୍ୟବସ୍ଥା ତଥା କାର୍ଯ୍ୟକ୍ରମ ନିମନ୍ତେ ଜାଗା ଡି.ଏମ୍.ଏଫ୍. ସୌଜନ୍ୟରେ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏଠାରେ ଉତ୍ପାଦିତ ସାମଗ୍ରୀର ବିପଣନ ପାଇଁ କେନ୍ଦୁଝର ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ଷ୍ଟୋର ଖୋଲାଯିବା ସହିତ ଏହାର ବିକ୍ରୟର ବ୍ୟାପକତା ପାଇଁ କର୍ପୋରେଟ୍ ସେକ୍ଟରକୁ ଅନୁବନ୍ଧିତ କରାଯିବ । ଟସର କୋକନ, ଟସର ମଞ୍ଜି ଇତ୍ୟାଦି ଉତ୍ପାଦନ ପାଇଁ ଅଧିକ ସଂଖ୍ୟକ ପରିବାରକୁ ସାମିଲ୍ କରାଯାଇ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ, ତଦାରଖ ଓ ସମୀକ୍ଷା ସମୟରେ ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.