ପୁଅ ମୃତ୍ୟୁର ୫୦ଦିନ ପରେ ଖବର ପାଇଲା ମା, ଏବେ ନ୍ଯାୟ ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ପୁରୀ: ପୁଅ ମୃତ୍ୟୁର ୫୦ଦିନ ପରେ ଖବର ପାଇଲା ମା। ତା ପୁଅ ଆଉ ଏ ଦୁନିଆରେ ନରହିଁ । ବୟସର ଅପରାହ୍ନରେ କି ଦୁଃଖ ଦେଲା ଦଇବ। କାନ୍ଦି କାନ୍ଦି ପାଗଳି ପରି ହୋଇଯାଇଛି ଏଇ ବିଢୀ ମାଟି। ଏପଟେ ସାନଭାଇ ଆଖିରୁ ଲୁହ ଶୁଖୁନି। ଏଭଳି ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି ପୁରୀରେ। ରୋଜଗାରିଆ ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ବୁଢୀ ମାଟି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛି।

ପୁରୀ ଟାଉନ ଥାନା ଭଣ୍ଡାରୀ ଗଳିର ୬୩ବର୍ଷୀୟା ଉମା ବେହେରା। ସ୍ବାମୀଙ୍କ ମୃତ୍ୟୁ ପରେ ମହାପ୍ରସାଦ ବାହକ ଭାବେ କାର୍ଯ୍ଯ କରୁଥିବା ପୁଅ ନାରାୟଣ ଗତ ୨୦୨୦ଅକ୍ଟୋବର ୭ତାରିଖରେ ଘରୁ ଦୁଇ ମୁଠା ଖାଇ ଯାଇଥିଲା। ତାପରେ ଆଉ ଘରକୁ ବାହୁଡ଼ି ନାହିଁ। ଶ୍ରୀମନ୍ଦିର ପାଖରୁ ପୋଲିସ ପୁଅକୁ ଭିକାରୀ ଦର୍ଶାଇ ଉଠାଇ ନେଇ ନୀଳାଦ୍ରି ନୀଳୟ ଯୋଜନାରେ କଣାସରେ ଥିବା ନୀଳଚଳ ସେବା ପ୍ରତିଷ୍ଠାନରେ ଛାଡ଼ିଦେଇଥିଲେ। ମା ସଂପୃକ୍ତ ସଂସ୍ଥାରେ କାର୍ଯ୍ଯରତ କର୍ମଚାରୀଙ୍କ ସହ କଥାହୋଇ ଭଲମନ୍ଦ ବୁଝୁଥିଲେ।ସେମାନେ ମଧ୍ୟ ପୁଅ ଭଲ ଥିବା ଆଶ୍ୱସ୍ତ କରାଉଥିଲେ। ସାହିର କିଛି ଯୁବକ ପରେ ଜାଣିବାକୁ ପାଇଲେ ମାନସିକ ରୋଗୀ ଦର୍ଶାଇ ୨୦୨୧ମାର୍ଚ୍ଚ ୫ରେ ତାର ମୃତ୍ୟ ଘଟିଛି। କିନ୍ତୁ ମୃତ୍ୟ ସମ୍ପର୍କରେ ସଂସ୍ଥା ପକ୍ଷରୁ ପ୍ରଶାସନ କିମ୍ବା ମାଙ୍କୁ ଜଣାଯାଇ ନାହିଁ।

ଖାଲି ସେତିକି ନୁହେଁ ପୁଅର ଶୁଦ୍ଧିପାଇଁ ମଧ୍ୟ ସୁଯୋଗ ଦିଆଗଲା ନାହିଁ। ପୁଅ ଭିକାରୀ ନଥାଇ ତାକୁ ଭିକାରୀ ବୋଲି ବଳପୂର୍ବକ ନୀଳାଦ୍ରି ନିଳୟରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଘର ଲୋକଙ୍କୁ ଦେଖା ନକରାଇ ଭଲ ଓ ସୁସ୍ଥ ଥିବାର ମିଛ ଆଶ୍ୱାସନା ଦେଇଚାଲିଥିଲେ। ହେଲେ ମାର୍ଚ୍ଚ୫ରେ ହୃଦଘାତରେ ମୃତ୍ୟୁ ଘଟିଥିଲେ ମଧ୍ଯ ମାର୍ଚ୍ଚ୧୮ ତାରିଖରେ ମୃତ୍ୟୁ କଥା ଜଣାପଡିଥିଲା। ମଝିରେ ୧୩ ଦିନ ବୋଧେ ନରହତ୍ୟା ପାପକୁ ଲୁଚାଉ ଲୁଚାଉ ପଳାଇଲା ଆଉ ଇଏବି କୋଉ ଜନକଲ୍ଯାଣ କରୁଥିବା ସୁରକ୍ଷା ଅଧିକାରୀ ଯିଏକି ଦାୟିତ୍ୱରେ ଥାଇ ଦିନେ କାଳେ ବି ଅନୁଧ୍ୟାନ କରି ନାହାନ୍ତି । ଏମିତିକି ନିଜେ ସରକାରୀ ଅଧିକାରୀ ହୋଇ ମୃତକର ଘର ଲୋକଙ୍କୁ ଜଣାଇଲେ ନାହିଁ ।

ଏବେ ଏହି ପରିବାର ନ୍ଯାୟ ଭିକ୍ଷା ମାଗୁଛି। କିଛି ସ୍ୱେଛାସେବୀ ଉମାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇଥିଲେ। ସେଠାରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଧେଶ୍ଯରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଉଭୟ ନୀଳାଚଳ ସେବା ପ୍ରତିଷ୍ଠାନ ଓ କଟକ ବଡ ଡାକ୍ତରଖାନା ସୁପରିଟେଡ଼େଣ୍ଟକୁ ଘଟଣା ସମ୍ପର୍କରେ ଚିଠି ଲେଖିଛନ୍ତି। କେଉଁ ପରିସ୍ଥିତିରେ ମୃତ୍ଯୁ ହେଲା ଓ ଶବ ସତ୍କାର ହେଲା ସେ ସଂପର୍କିତ ରିପୋର୍ଟ ଆସିବା ପରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ସେ ଫୋନ ଯୋଗେ କହିଛନ୍ତି। ତେବେ ଦେଖାଯାଉ ଏହି ଘଟଣାର ତଦନ୍ତ ସହ, ପୁଅକୁ ହରାଇଥିବା ଏହି ଅସହାୟ ମାକୁ ନ୍ଯାୟ ଓ କ୍ଷତିପୂରଣ ମିଳିବାକୁ କେତେ ଦିନ ଲାଗୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.