ମା ଶୁଦ୍ଧିକ୍ରିୟା ସାରି ରମେଶ ଯାଉଥିଲେ କର୍ମକ୍ଷେତ୍ର ଚେନ୍ନାଇ, କରମଣ୍ଡଳରେ ଚାଲିଗଲା ଜୀବନ

ସୋର ବସଷ୍ଟାଣ୍ଡରୁ ପ୍ରଥମ ଦିନ ଫେରିଗଲେ । ହେଲେ ମୃତ୍ୟୁ ତ ହାତଠାରୁ ଡାକୁଥିଲା ଠିକଣା ଦିନରେ ।

ସୋର (କେନ୍ୟୁଜ୍‌) : ମା’ର ଶୁଦ୍ଧିକ୍ରିୟା ସାରି ଚେନ୍ନାଇ ଫେରୁଥିଲେ ସେହି କାଳ ରାତିରେ । କରମଣ୍ଡଳ ଦୁର୍ଘଟଣାରେ ଚାଲିଗଲା ଜୀବନ l ମନ ଚାହୁଁ ନଥିଲା କର୍ମକ୍ଷେତ୍ର ଚେନ୍ନାଇ ଫେରିବାକୁ । ସୋର ବସଷ୍ଟାଣ୍ଡରୁ ପ୍ରଥମ ଦିନ ଫେରିଗଲେ । ହେଲେ ମୃତ୍ୟୁ ତ ହାତଠାରୁ ଡାକୁଥିଲା ଠିକଣା ଦିନରେ । ପରଦିନ ପୁଣି ଚେନ୍ନାଇ ବାହାରିଲେ । ଆଉ କରମଣ୍ଡଳ ଜେନେରାଲ ବଗିରେ ବସିଲେ ବାଲେଶ୍ୱର ଅନନ୍ତପୁରର ରମେଶ ଜେନା । ତେବେ ଅଳ୍ପ ବାଟ ଯିବା ପରେ ଦୁର୍ଘଟଣା ଘଟିଲା । ଆଉ ପ୍ରାଣ ହରାଇଲେ ରମେଶ ।
୩୮ ବର୍ଷୀୟ ରମେଶ ଅବିବାହିତ ଥିଲେ l ଚେନ୍ନାଇରେ ଚା ଦୋକାନ କରି ପେଟ ପୋଷୁଥିଲେ l ଗତ ମେ ୯ ତାରିଖ ମାଙ୍କ ଦେହାନ୍ତ ଯୋଗୁ ଆସିଥିଲେ ଗାଁକୁ l ଦୀର୍ଘ ଦିନ ପରେ ଗାଁକୁ ଫେରି ଥିବାରୁ ଗାଁ ଲୋକଙ୍କ ସହିତ ଢେର ମିଶିଥିଲେ ରମେଶ l ଗତ ୧ ତାରିଖ ଦିନ ନିଜ କର୍ମକ୍ଷେତ୍ରକୁ ବାହାରି ଥିଲେ । ହେଲେ କଣ ମନ ହେଲା କେଜାଣି ସୋର ବସ୍‌ଷ୍ଟାଣ୍ଡକୁ ଆସି ପୁଣି ଘରକୁ ଫେରିଗଲେ । ଆଉ ଦୁର୍ଘଟଣା ଦିନ ପୁଣି ବାହାରିଥିଲେ ଚେନ୍ନାଇ । ବାଲେଶ୍ୱର ଷ୍ଟେସନରୁ କରମଣ୍ଡଳ ଟ୍ରେନରେ ବସି ବଡ଼ ଭାଇକୁ ଫୋନ କରିଥିଲେ l ଟ୍ରେନ ଭଦ୍ରକ ପହଁଚିଲେ ପୁଣି ଫୋନ କରିବି ବୋଲି କହିଥିଲେ l ହେଲେ ରମେଶଙ୍କର ଆଉ ଫୋନ ଆସିନଥିଲା l କରମଣ୍ଡଳ ଦୁର୍ଘଟଣା ଖବର ପାଇ ବାହାନଗା ଷ୍ଟେସନରେ ପରିବାର ଓ ଗାଁ ଲୋକେ ରମେଶଙ୍କୁ ଅନେକ ଖୋଜିଲେ । ମିଳିିଲେନି ରମେଶ । ଶେଷରେ ନୋଷି ପାର୍କରୁ ରମେଶଙ୍କ ମୃତ ଦେହକୁ ଚିହ୍ନଟ କରି ଗାଁରେ ଶବ ସତ୍କାର କଲେ ତାଙ୍କ ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.