ପୁଣି ବାଲ୍ୟ ବିବାହ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ସିଡିପିଓ

ଯାଜପୁର (କେନ୍ୟୁଜ ) : ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ହେଁ ଅଭିଭାବକ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଏହା ହେଉଛି ଶୈଶବ ପ୍ରତି ଅନ୍ୟାୟ । ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଏହି ପ୍ରଥା ଚାଲିଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଘଟଣାଟି ହେଉଛି ୧୬ ବର୍ଷିୟା ନାବାଳିକାଙ୍କୁ ଚଞ୍ଚକତା କରି ବିବାହ କରାଯାଉଥିବା ଅଭିଯୋଗ ମିଳିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଲାଇନ୍ କର୍ତ୍ତୁପକ୍ଷ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ବିବାହକୁ ବନ୍ଦ କରିଦେଇଥିଲା ବେଳେ ବିଳମ୍ବିତ ରାତିରେ ପୁଣି ସମ୍ପୃକ୍ତ ନାବାଳିକାକୁ ବିବାହ କରି ଦିଆଯାଇଥିବାର ଜଣାଯାଇଛି । ଏହି ଘଟଣା ଜଣାପଡିବା ପରେ ଦଶରଥପୁର ସମନ୍ୱିତ ଶିଶୁ ବିଭାଗ ଅଧିକାରିଣୀ ଘଟଣାକୁ ନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ବାରତଙ୍ଗା ଅଞ୍ଚଳରେ ରହୁଥିବା ବାସୁଦେବ ଦାସ ଓ କଳ୍ପନା ଦାସ ତାଙ୍କ ୧୬ ବର୍ଷିୟା ନାବାଳିକା ଝିଅକୁ ବିଞ୍ଝାରପୁର ଧନେଶ୍ୱର ଉପ୍ରା ବିଦ୍ୟାଳୟ ନିକଟ ବାସିନ୍ଦା ଶ୍ୟାମସୁନ୍ଦର ମିଶ୍ର ଓ ରାଧାରାଣୀ ମିଶ୍ରଙ୍କ ପୁତ୍ର ତାପସଙ୍କ ସହିତ ବିବାହ ସ୍ଥିର ହୋଇଥିଲା । ବାରତଙ୍ଗା ଅଞ୍ଚଳର ଏକ ମନ୍ଦିରରେ ଚଳିତ ମାସ ୧୪ ତାରିଖ ଦିନ ପାୟ ୧୧ ଘଟିକା ସମୟରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ବିବାହ କାର୍ଯ୍ୟକ୍ରମକୁ ପ୍ରାୟ ୧୦୦ ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଅନ୍ୟପଟେ କୋଭିଡ୍ କଟକଣା ସମୟରେ ଗାଁରେ ଏଭଳି ଏକ ବିବାହ କାର୍ଯ୍ୟକ୍ରମକୁ ନେଇ ଗ୍ରାମବାସୀ ଖୋଳତାଡ କରିବାରୁ ସେଠାରେ ଜୈନିକା ନାବାଳିକାର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଜାଣିବାକୁ ପାଇଥିଲେ । ଏପରିକି ଏହି ବେଆଇନ କାର୍ଯ୍ୟରେ ସ୍ଥାନୀୟ ପଞ୍ଚାୟତ ଜନପ୍ରତିନିଧିଙ୍କର ଜଣେ ସମ୍ପର୍କୀୟଙ୍କର ପ୍ରତ୍ୟକ୍ଷ ସହଯୋଗ ରହିଥିବା ଗାଁ ଲୋକେ ଅଭିଯୋଗ କରିଥିଲେ । ତୁରନ୍ତ ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦିଆଯାଇଥିଲା । ବିବାଗୀୟ ଅଧିକାରୀ ନିରଞ୍ଜନ କରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ମଚାରୀ ଓ ମଙ୍ଗଳପୁର ଏସ୍‌ଆଇ ହରିସ୍ ସିଂ ସଦଳବଳେ ବିବାହ ସ୍ଥଳରେ ପହଂଚିବା ଦେଖି ନିମନ୍ତ୍ରିତ ଅତିଥିମାନେ ମଧ୍ୟ ସେହି ସ୍ଥାନ ଛାଡି ପଳାଇଯାଇଥିବା ବେଳେ ବିବାହ ଆୟୋଜନ କରିଥିବା ଆୟୋଜକ ମଧ୍ୟ ଦୌଡି ପଳାଇଥିଲେ । ମାତ୍ର ତନାଘନା ପରେ ନାବାଳିକାର ବିବାହକୁ ବନ୍ଦ ରଖିବାକୁ ଆୟୋଜକ ସହମତି ଦେବା ପରେ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ମଚାରୀ ଓ ପୁଲିସ୍ ଫେରି ଆସିଥିଲେ । ତେବେ ଚାଇଲ୍ଡ ଲାଇନ୍ କର୍ମଚାରୀ ଓ ପୁଲିସ୍ ଫେରିଯିବା ପରେ ନାବାଳିକଙ୍କୁ ପୁଣି ଥରେ ଏକ ଅଜଣା ସ୍ଥାନରେ ସମ୍ପୃକ୍ତ ବିଞ୍ଝାରପୁର ଥାନା ଗୌଡସାହିର ତାପସ ମିଶ୍ର ନାମକ ଯୁବକଙ୍କ ସହିତ ବିବାହ ଦେଇଥିବା ସୂଚନା ମିଳିଛି । ଏନେଇ ଦଶରଥପୁର ସମନ୍ୱିତ ଶିଶୁ ବିଭାଗ ଅଧିକାରିଣୀ ମଞ୍ଜୁଳା ରଥ ମଙ୍ଗଳପୁର ଥାନାରେ ନାବାଳିକାର ବାପା ଓ ମା’ଙ୍କ ସମେତ ସମ୍ପୃକ୍ତ ଯୁବକ ଓ ତାଙ୍କ ଅଭିଭାବକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.