ଏକକ ନିର୍ବାଚନରେ ରୋଲ ମଡେଲ ଓଡ଼ିଶା, ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗ ଆଲୋଚନା ବେଳେ ରାଜ୍ୟକୁ ପ୍ରଶଂସା କଲେ ମୋଦି

ମୋଦିଙ୍କ ମୁହଁରେ ପୁଣି ଓଡ଼ିଶା କଥା। ଏଥର ପ୍ରସଙ୍ଗ ଗୋଟିଏ ଦେଶ ଗୋଟିଏ ନିର୍ବାଚନ। ଓଡ଼ିଶାର ଉଦାହରଣ ଦେଇ, ରାଜ୍ୟକୁ ରୋଲ୍ ମଡେଲ ବୋଲି କହିଛନ୍ତି ମୋଦି। ଏକକ ନିର୍ବାଚନରେ ଆଞ୍ଚଳିକ ଦଳ ପ୍ରଭାବିତ ହେବା ଆଶଙ୍କା ଅମୂଳକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୂଳରୁ ହିଁ ଏକକ ନିର୍ବାଚନକୁ ବିଜେଡି ସମର୍ଥନ କରି ଆସୁଛି।

ସଂସଦରେ ପୁଣି ଓଡ଼ିଶାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଆଲୋଚନାରେ ଓଡ଼ିଶା ଏକ ରୋଲ ମଡେଲ ବୋଲି କହିଛନ୍ତି ମୋଦି। ବହୁ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିବା ବେଳେ ଓଡ଼ିଶାରେ ବିଧାନସଭା ଓ ଲୋକସଭା ଏକ ସମୟରେ ହୋଇଥିଲା। ଭୋଟରମାନେ ନିଜ ପସନ୍ଦର ଭୋଟ ଦେଇ ସରକାର ଗଠନ କରିଛନ୍ତି।

ୱାନ ନେସନ, ୱାନ ଇଲେକସନ ଦ୍ୱାରା ଆଞ୍ଚଳିକ ଦଳଗୁଡ଼ିକ ପ୍ରଭାବିତ ହେବେ ବୋଲି ଯେଉଁ ଆଶଙ୍କା ହେଉଛି ତାହା ଅମୂଳକ ବୋଲି କହିଛନ୍ତି ମୋଦି। ଓ଼ଡିଶାବାସୀ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପିକୁ ମତଦାନ କରି ନିଜ ପରିପକ୍ୱତାର ପରିଚୟ ହେଇଛନ୍ତି। ଏହି ଉଦାହରଣରୁ ସମସ୍ତ ରାଜନୈତିକ ଦଳ ଶିକ୍ଷା ଲାଭ କରି ଏହି ପ୍ରସ୍ତାବକୁ ସମର୍ଥନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

modi on odisha 1

ଲୋକସଭା ସହ ବିଧାନସଭା ନିର୍ବାଚନ କରିବାକୁ ୨୦୦୪ରୁ ନିଷ୍ପତ୍ତି ନେଇଥିଲେ ନବୀନ। ବହୁ ସମୟରେ ଏକକ ନିର୍ବାଚନ କଥା ଉଠାଇଛି ବିଜେଡି। ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ ନବୀନ। ଏହାସହ ନୀତି ଆୟୋଗ ବୈଠକରେ ଏହି ଏକକ ନିର୍ବାଚନ ପ୍ରତି ସମର୍ଥନ ଜଣାଇଛନ୍ତି ବିଜେଡି ସୁପ୍ରିମୋ।

ଏକକ ନିର୍ବାଚନ ହେଲେ, ଖର୍ଚ୍ଚ କମିବ, ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେବ ନାହିଁ, ମାନବ ସମ୍ବଳ ଅପଚୟ କମିବ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ କହୁଛନ୍ତି ଏହା ସଂଘୀୟ ବ୍ୟବସ୍ଥାରେ ବାଧା ସୃଷ୍ଟି କରିବ, ଆଞ୍ଚଳିକ ଦଳ କ୍ଷତି ସହିବେ। କିନ୍ତୁ ବିଜେଡି ଏକକ ନିର୍ବାଚନକୁ ମୂଳରୁ ସମର୍ଥନ କରି ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.