ସେବାୟତଙ୍କ ନିଯୁକ୍ତି ବଂଶାନୁକ୍ରମିକ ନୁହେଁ, ଯୋଗ୍ୟତା ଭିତ୍ତିରେ ହେଉ : ପୁରୀ ଜିଲ୍ଲା ଜଜ୍ଙ୍କ ପ୍ରସ୍ତାବ

ପୁରୀ : ଜୁନ୍ ୫ ରାୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା, ପୁରୀ ଜିଲ୍ଲା ଜଜ୍ଙ୍କ ରିପୋର୍ଟ ୱେବ ସାଇଟ୍ରେ ଅପଲୋଡ୍ ହେଉ। ଏବେ ସୁପ୍ରିମକୋର୍ଟ ୱେବସାଇଟ୍ରେ ଆସିଛି ରିପୋର୍ଟ । ୪୦୫ ପୃଷ୍ଠାର ରିପୋର୍ଟ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍। ରିପୋର୍ଟରେ ସେବାୟତଙ୍କୁ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସୁପାରିଶ କରାଯାଇଛି । ବଂଶାନୁକ୍ରମିକ ସେବାୟତ ନିଯୁକ୍ତିକୁ ଉଚ୍ଛେଦ ପାଇଁ ରହିଛି ପ୍ରସ୍ତାବା ଯୋଗ୍ୟତା ଭିତ୍ତିରେ ସେବାୟତ ନିଯୁକ୍ତି ପାଇଁ ଦିଆଯାଇଛି ପରାମର୍ଶ। ଯାହାକୁ ନିଯୁକ୍ତି ନମିଳିବ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ କ୍ଷତିପୂରଣ ଦେବ। ବର୍ତ୍ତମାନ ସେବାୟତଙ୍କୁ ଶୃଙ୍ଖଳିତ କରିବାରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ବିଫଳ ହୋଇଛନ୍ତି। ସେବାୟତମାନେ ଏକାଠି ହୋଇ ଜାଣିଶୁଣି ନୀତି ବିଳମ୍ବ କରନ୍ତି। ଦାବି ପୂରଣ ପାଇଁ ସରକାରଙ୍କୁ ଏକ ପ୍ରକାର ବାଧ୍ୟ କରୁଥିବା ନେଇ ଜିଲ୍ଲା ଜଜ୍ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେଣୁ ଶ୍ରୀମନ୍ଦିର ଆଇନରେ ସଂଶୋଧନ କରି ବଂଶାନୁକ୍ରମିକ ସେବାୟତ ନିଯୁକ୍ତି ପ୍ରଥା ଉଚ୍ଛେଦ ଲାଗି ପ୍ରସ୍ତାବ ଦିଆଯାଇଛି।
ସେହିପରି ସେବାୟତଙ୍କ ଦ୍ୱାରା ଅନ୍ନଦାନ ଆଟିକା ପାଇଁ ଦାନ ଗ୍ରହଣ ଓ ପୂଜା ସମୟରେ ଥାଳି ଧରି ଦକ୍ଷିଣା ମାଗିବା ଉଚ୍ଛେଦ ଲାଗି କୁହାଯାଇଛି। ଜିଲ୍ଲାଜଜ୍ ପ୍ରସ୍ତାବ ଦେଇଛନ୍ତି, ରୋଷଘର ଓ ଚୁଲା ଶ୍ରୀମନ୍ଦିର ପ୍ରଶାସନ ନିୟନ୍ତ୍ରଣରେ ରହୁ। କୋଠଭୋଗ ପାଇଁ ଚୁଲା ନିଲାମ ନହେଉ। କୋଠଭୋଗ ପ୍ରସ୍ତୁତିରେ ନିୟୋଜିତ ମହାସୁଆର ଓ ସୁଆର ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ନିର୍ଦ୍ଦିଷ୍ଟ ଦରମାରେ ନିଯୁକ୍ତି ହେବା ଆବଶ୍ୟକ। ଶ୍ରୀମନ୍ଦିର ପ୍ରଶାସନ ଭିନ୍ନଭିନ୍ନ ଭୋଗର ରେଟ୍ଚାର୍ଟ ସୂଚନା ଫଳକ ମାଧ୍ୟମରେ ଜଣାଇବା ଦରକାର।
ମହିଳା, ପୁରୁଷ ଶ୍ରଦ୍ଧାଳୁ ଓ ସେବାୟତଙ୍କ ପାଇଁ ଭିନ୍ନଭିନ୍ନ ଶୌଚାଳୟ ରହିବା ଆବଶ୍ୟକ। ହୁଣ୍ଡିରୁ ଦୈନିକ ଅର୍ଥ ସଂଗ୍ରହ ସମୟରେ ମନ୍ଦିର ପ୍ରଶାସନ ଅଧିକାରୀ, ସେବାୟତ ପ୍ରତିନିଧି ଓ ସରକାରଙ୍କ ତରଫରୁ ନିୟୋଜିତ ଜଣେ ବ୍ୟକ୍ତି ଉପସ୍ଥିତ ରହିବେ। ଦାନ ସଂଗ୍ରହର ସମସ୍ତ ପ୍ରକ୍ରିୟା ଭିଡିଓଗ୍ରାଫ ହେବ ଏବଂ ତାହାକୁ ଭବିଷ୍ୟତ ବ୍ୟବହାର ପାଇଁ ସଂରକ୍ଷିତ କରି ରଖାଯିବ । ଏହାସହ ଧାଡ଼ିରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା, ମନ୍ଦିର ପାଣ୍ଠିର ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ଅଡିଟ୍ କରିବା, ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର, ମନ୍ଦିର କାର୍ଯ୍ୟାଳୟରେ ଗାଇଡଙ୍କ ପଞ୍ଜୀକରଣ, ମନ୍ଦିର ପ୍ରଶାସନରେ ଅତ୍ୟଧିକ କର୍ମଚାରୀ ଥିବାରୁ ତାକୁ ହ୍ରାସ କରିବା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ରେ ସଂଶୋଧନ ପାଇଁ ଜିଲ୍ଲା ଜଜ୍ ରିପୋର୍ଟ ଦେଇଛନ୍ତି ।
ଅନ୍ଯପଟେ ଶ୍ରୀମନ୍ଦିରରେ ସମସ୍ତଙ୍କ ପ୍ରବେଶ ଉପରେ ବିଚାର କରିବା ପାଇଁ ପ୍ରଶାସନକୁ କହିଛନ୍ତି ସୁପ୍ରିମ୍କୋର୍ଟ । ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀମନ୍ଦିର ପ୍ରବେଶ ସମ୍ବନ୍ଧରେ ନିଜର ମତ ରଖିଥିଲେ । ସେ କହିଛନ୍ତି ଯେ, ପୂଜ୍ୟ ବିଗ୍ରହଙ୍କ ସେବା ପୂଜା ଆଦି ସନାତନ ନିୟମ ଅନୁସାରେ ହିଁ ସମ୍ପନ୍ନ ହେବା ଉଚିତ । ମନଗଢ଼ା ନିୟମ ଅନୁସାରେ ନୁହେଁ । ସନାତନ ଶାସ୍ତ୍ରୀୟ ମର୍ଯ୍ୟାଦା ଉଲ୍ଲଙ୍ଘନ ସ୍ୱୀକାର୍ଯ୍ୟ ନୁହେଁ । ଶାସ୍ତ୍ରରେ ଦିଆଯାଇଥିବା ନିଷେଧାଜ୍ଞାର ଉଲ୍ଲଂଘନ ସର୍ବଦା ଘାତକ ହୋଇଥାଏ ବୋଲି ଶଙ୍କରାଚାର୍ଯ୍ୟ ଚେତାଇ ଦେଇଛନ୍ତି ।