ଗୋପନ ରୋଗର ନୀରବ ଦଂଶନ: ଭଂଜନଗର ଓ ବ୍ରହ୍ମପୁରର ART ସେଣ୍ଟର, ଏଠାରେ ଏଡସ୍ ରୋଗୀଙ୍କୁ କାଉନସିଲିଂ କରି ଦିଆଯାଏ ମାଗଣା ଔଷଧ

ଭଞ୍ଜନଗର(କେନ୍ଯୁଜ୍): ଗୋପନ ରୋଗର , ନୀରବ ଦଂଶନ । କିଏ ଅଜାଣତରେ ଶିକାର ହେଲା ତ’ କିଏ ଖିଆଲ ମନର ନୀରବତାରେ । ଅନେକଙ୍କ ଜୀବନ ଯାଇଛି । ସମ୍ବେଦନଶୀଳ ହୋଇପଡ଼ିଲା ସମୁଦାୟ ଜିଲ୍ଲା । ସରକାରୀ ଓ ବେସରକାରୀ ସ୍ତରରେ , ସଚେତନ ଓ ସତର୍କ କରାଗଲା । ଲୋକେ ବି ଜାଣିଲେ ଆଉ ସଚେତନ ରହିବାକୁ ଚେଷ୍ଟାକଲେ । ହେଲେ ଦେହରୁ ଦେହକୁ , ଆମଦାନୀ ହୋଇଥିବା ମାରାତ୍ମକ ଭୁତାଣୁ , ମୂଳପୋଛ ହୋଇପାରିଲା ନାହିଁ । ସଂକ୍ରମଣ ହାର ସ୍ଥିର ହେଲା ସତ , ତଥାପି ଆଶଙ୍କା ଟଳିନାହିଁ ।  ଗଂଜାମ ଜିଲ୍ଲାରେ ଅତୀତରୁ ଆରମ୍ଭ ହୋଇଥିବା ମାରାତ୍ମକ ଏଡ଼ସ୍‌ ରୋଗର ପରିସ୍ଥିତି । କୁଣିଆଁ ହୋଇ ଆସିଥିଲା , ଆଉ ଡିଆଁମାରି ମାରି କାୟା ମେଲାଇଲା ଜଣକ ପରେ ଜଣକୁ । ଚର୍ଚ୍ଚାର ଶିକାର ହେବାକୁ ପଡ଼ିଲା ସମୁଦାୟ ଜିଲ୍ଲାକୁ ।

ଜିଲ୍ଲାର ଭଂଜନଗର ଓ ବ୍ରହ୍ମପୁର ରେ ରହିଛି ART ସେଣ୍ଟର । ଯେଉଁଠି HIV +ve ଙ୍କୁ କାଉନସିଲିଂ କରି , ସରକାରଙ୍କ ପକ୍ଷରୁ ମାଗଣାରେ ଔଷଧ ଦିଆଯାଏ । ଜିଲ୍ଲାର ବ୍ରହ୍ମପୁର ଠାରେ ଥିବା ART ସେଣ୍ଟର ଜରିଆରେ , ୨୨ ଟି ବ୍ଳକ ସମେତ ବ୍ରହ୍ମପୁର ଓ ଅନ୍ଯ ଜିଲ୍ଲାର ସଂକ୍ରମିତଙ୍କ ପଞ୍ଜିକରଣ କରାଯାଇଛି । ସେହିଭଳି ଭଂଜନଗର ଠାରେ ମଧ୍ୟ , ରହିଥିବା ART ସେଣ୍ଟର ରେ ଜିଲ୍ଲାର ଆସିକା , ବେଲଗୁଣ୍ଠା , ଭଂଜନଗର , ବୁଗୁଡ଼ା , ଜଗନ୍ନାଥପ୍ରସାଦ , ପୋଲସରା , ଶେରଗଡ଼ , ସୋରଡ଼ା ଓ ଧରାକୋଟ ବ୍ଳକ ସମେତ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳ ଏବଂ କଟକ , ଭବାନୀପାଟଣା ଓ ଝାରସୁଗୁଡ଼ା ଜିଲ୍ଲାର କିଛି HIV +ve. ସଂକ୍ରମିତ ମାନେ , ପଞ୍ଜିକୃତ ହୋଇ ଚିକିତ୍ସା ସୁବିଧା ପାଉଛନ୍ତି ।

କୁହାଯାଏ ଦାଦନ ଶ୍ରମିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ , ମାରାତ୍ମକ ଏଡ଼ସ୍‌ ଭୁତାଣୁ ବାହାର ରାଜ୍ଯରୁ ଆସିଥିବା ବେଳେ , ଏବେ ସୋସିଆଲ ମିଡିଆର କିଛି ନକରାତ୍ମକ ପ୍ରଭାବ ପୁଣି ଚିନ୍ତା ବଢ଼ାଇଛି । ସମଲିଙ୍ଗି ଯୈ।ନ ଲାଳସାକୁ ଚରିତାର୍ଥ କରିବାପାଇଁ , ଖୋରାକ ଯୋଗାଇଛି ସୋସିଆଲ ର ମିଡ଼ିଆର କିଛି , ପ୍ରାୟୋଜିତ ଦୃଶ୍ଯ । ଯାହାର ପ୍ରଭାବରେ ଏବେ କିଛି ଯୁବଗୋଷ୍ଠୀ , ସଂକ୍ରମଣ ଆଡ଼କୁ ମୁହାଁଇଥିବାର ପ୍ରତିକ୍ରିୟା ରଖିଛନ୍ତି ବୁଦ୍ଧିଜୀବୀ ।

ତଥ୍ଯ ପ୍ରକାରେ ଗଂଜାମ ଜିଲ୍ଲାର ୨୨ ଟି ବ୍ଳକ ସମେତ ବ୍ରହ୍ମପୁର ଓ ବାହାର ଜିଲ୍ଲାରୁ ଆସି , ଚଳିତ ବର୍ଷ ଅକ୍ଟୋବର ମାସ ସୁଧା ୧୬,୯୨୧ ଜଣ HIV +ve , ଜିଲ୍ଲାରେ ପଞ୍ଜିକୃତ ହୋଇଛନ୍ତି । ସେଥି ମଧ୍ୟରୁ ଜିଲ୍ଲାର ପୋଲସରା ବ୍ଳକ ରେ ସର୍ବାଧିକ ଓ ଜଗନ୍ନାଥପ୍ରସାଦ ରେ ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ପୋଲସରା ବ୍ଳକ ରେ ୧୨୫୪ ଜଣ , ଆସିକା ରେ ୧୧୫୭ , ବେଗୁନିଆପଡା – ୧୧୪୩ , ପୁରୁଷୋତ୍ତମପୁର – ୧୦୮୨ , ଖଲିକୋଟ – ୮୯୮ , ହିଞ୍ଜିଳି – ୮୧୧ , କବିସୂର୍ଯ୍ଯନଗର – ୭୭୬ , ବେଲଗୁଣ୍ଠା – ୭୨୪ , ଶେରଗଡ଼ – ୬୮୦ , ଭଂଜନଗର – ୬୨୯ , ରଙ୍ଗେଇଲୁଣ୍ଡା – ୬୦୧ , ବୁଗୁଡ଼ା – ୫୭୫ , ଛତ୍ରପୁର – ୫୬୧ , ଦିଗପହଣ୍ଡି -୫୬୩ , ଧରାକୋଟ – ୫୨୨ , ସାନଖେମୁଣ୍ଡି – ୫୪୪ , କୁକୁଡାଖଣ୍ଡି – ୫୦୪ , ସୋରଡ଼ା – ୪୩୬ , ପାଟପୁର – ୩୪୪ , ଚିକିଟି – ୩୦୪ , ଗଂଜାମ – ୩୦୩ ଓ ଜଗନ୍ନାଥପ୍ରସାଦ ବ୍ଳକରେ – ୨୪୪ ଜଣ ଚିହ୍ନଟ +ve ପଞ୍ଜିକୃତ ହୋଇଛନ୍ତି । ଏହାସହ ବ୍ରହ୍ମପୁର ରେ ୯୦୭ ଓ ଅନ୍ଯ ଜିଲ୍ଲାର ୧୩୭୯ ଜଣ ମଧ୍ୟ ଚିହ୍ନଟ ହୋଇଛନ୍ତି । ଏହା ଥିଲା ଜିଲ୍ଲାର ସଂକ୍ରମିତଙ୍କ ପରିସଂଖ୍ଯାନ ।

କିଏ ସ୍ୱାମୀ ର ଭୁଲ୍‌ ପାଇଁ ସଂକ୍ରମିତ ହୋଇଛି ତ, କାହାର ସ୍ୱାମୀ ଏଡ଼ସ୍‌ ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି । କିଏ ଉଭୟ ସଂକ୍ରମିତ ବାପା ଓ ମା’ ଙ୍କୁ ହରାଇ ଅନାଥ ହୋଇଛି । ପୁଣି କିଏ ଦୁନିଆଁ କୁ ଭଲଭାବରେ ଜାଣିନଥିବା ଅବସ୍ଥାରେ ,ବାପା ଓ ମା’ ଙ୍କ ସଂକ୍ରମିତ ପ୍ରତିଫଳନର ଶିକାର ହୋଇଛି । ଜଣାପଡିଛି , ଅଧିକାଂଶ ମହିଳା ଓ ବିଧବା , ଏହି ମାରାତ୍ମକ ଭୁତାଣୁ ର ଶିକାର ହୋଇଛନ୍ତି ।

ପେଟପାଟଣା ପାଇଁ ଅଧିକାଂଶ ବାହାର ରାଜ୍ଯକୁ ଦାଦନ ଭାବେ ଯାଉଛନ୍ତି । ସେଥିରୁ କିଛି ଲୋକଙ୍କ ଖାମଖିଆଲ ମନୋଭାବ ଯୋଗୁଁ , ସଂକ୍ରମିତ ହୋଇ ଘରକୁ ଫେରୁଛନ୍ତି । ଫଳ ସ୍ୱରୂପ ନିଜର ଭୁଲକୁ ଅନ୍ଯ ପାଖରେ ଲଦି ଦେଉଛନ୍ତି । ସେଥିରୁ ଅନେକ ଆକ୍ରାନ୍ତ , ମାନସିକ ସ୍ତରରେ ଭାଙ୍ଗି ପଡୁଛନ୍ତି । ବେଳେ ବେଳେ ନିଜକୁ ଅସହାୟ ମନେ କରନ୍ତି । କିନ୍ତୁ ART ସେଣ୍ଟର ପକ୍ଷରୁ ହେଉଥିବା କାଉନସିଲିଂ ଓ ସଚେତନ ଯୋଗୁଁ , ପୁଣି ମନୋବଳ ବୃଦ୍ଧି କରୁଛନ୍ତି । ସମାଜରେ ଅନ୍ଯ ମାନଙ୍କ ଭଳି ସାଧାରଣ ଜୀବନ ଅତିବାହିତ କରୁଛନ୍ତି ।

ସେହିଭଳି ଜିଲ୍ଲାର ଭଂଜନଗର ART ସେଣ୍ଟର ରେ ଆସିକା , ବେଲଗୁଣ୍ଠା , ଭଂଜନଗର , ବୁଗୁଡ଼ା , ଜଗନ୍ନାଥପ୍ରସାଦ , ପୋଲସରା , ଶେରଗଡ଼ , ସୋରଡା ଓ ଧରାକୋଟ ବ୍ଳକ ସମେତ , କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳକୁ ମିଶାଇ , ଆଜି ପର୍ଯ୍ଯନ୍ତ ୧୪୬୦ ଜଣ HIV +ve. ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୮୨ ଜଣ ପୁରୁଷ , ୭୬୮ ଜଣ ମହିଳା ଏବଂ ୧୧୦ ଜଣ ଶିଶୁ ସଂକ୍ରମିତ ହୋଇଥିବା ପଞ୍ଜିକରଣ ହୋଇଛି । ସେଥିରୁ ଗର୍ଭବତୀ ମହିଳା ୧୨୯ ଜଣ ଚିହ୍ନଟ ହୋଇଛନ୍ତି । ଏଠି ମଧ୍ୟ , ମହିଳାଙ୍କ ମଧ୍ୟରେ ଅଧିକାଂଶ ବିଧବା ରହିଛନ୍ତି । ଆଜି ପର୍ଯ୍ଯନ୍ତ ଭଂଜନଗର ART ସେଣ୍ଟର ରେ ପଞ୍ଜିକୃତ ସଂକ୍ରମିତ ଙ୍କ ମଧ୍ୟରେ ୧୯୨ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ , କେବଳ ୨୦୨୦-୨୧ ବର୍ଷ ରେ ୧୨ ଜଣଙ୍କ ର ମୃତ୍ୟୁ ହୋଇଛି । ବୁଦ୍ଧିଜୀବୀ ଙ୍କ ସହ ଯୁବପୀଢ଼ିଙ୍କ ମତ ଅନୁସାରେ , ବିବାହ ପୂର୍ବରୁ ଯଦି ଉଭୟ ପୁଅ ଓ ଝିଅଙ୍କ ର ରକ୍ତପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି କାର୍ଯ୍ଯକାରୀ କରାଯାଇ ପାରନ୍ତା , ତା’ହେଲେ ବହୁ ମାତ୍ରାରେ ଏହି ରୋଗର ନିରାକରଣ ବାଟ ଖୋଲି ପାରନ୍ତା ।

ବଦଳୁଛି ସମୟ । ତା’ସହ ବଦଳୁଛି ଭୁତାଣୁ ର ରୂପ । ଏଡ଼ସ୍‌ ପରେପରେ ଏବେ କରୋନା ର ଭୟାବହତା । ଏଥିପାଇଁ କେବଳ ସରକାରୀ ବ୍ଯବସ୍ଥା କିମ୍ବା ବେସରକାରୀ ସହାନୁଭୂତି ଚାହିଁ , ଚୁପ୍‌ ରହିଗଲେ ହେବନାହିଁ । ନିଜକୁ ଜାଣ , ଅନ୍ଯକୁ ଜଣାଅ ନୀତିରେ ପ୍ରତ୍ୟେକ ଜନସାଧାରଣ ନିଜେ ନିଜେ ସତର୍କ ଓ ସଚେତନ ହେବା ଜରୁରୀ ହୋଇଛି । ଉତ୍ସୃନ୍ଖଳ ଆଚରଣ ଓ ଦାୟିତ୍ବହୀନ ମନୋଭାବ ଠାରୁ , ଆଜିର ଯୁବପିଢି ସଜାଗ ରହିବା ଆବଶ୍ଯକ ହୋଇପଡିଛି । ଏବେ କିଛି HIV +ve ଥିବା ପୁରୁଷ ଓ ମହିଳା ଆଗକୁ ଆସିଛନ୍ତି , ଅନ୍ଯକୁ ସଚେତନ କରିବା ପାଇଁ । ଯାହା ଏଡ଼ସ୍‌ ନିରାକରଣ ପାଇଁ , ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.