ଆର୍ଟ ଅଫ୍‌ ଗିଭିଂ କୁ ଆହୁରି ବ୍ୟାପକ କରାଯିବ, ନବମ ବାର୍ଷିକ ଉତ୍ସବରେ କାର୍ଯ୍ୟକ୍ରମକୁ ସମସ୍ତଙ୍କର ପ୍ରଶଂସା

ଆର୍ଟ ଅଫ୍‌ ଗିଭିଂ କୁ ଆହୁରି ବ୍ୟାପକ କରାଯିବ, ନବମ ବାର୍ଷିକ ଉତ୍ସବରେ କାର୍ଯ୍ୟକ୍ରମକୁ ସମସ୍ତଙ୍କର ପ୍ରଶଂସା
ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱବ୍ୟାପି ପାଳିତ ହୋଇଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ। ଶିକ୍ଷାବିତ୍ ତଥା ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ସମାଜରେ ଖୁସି, ସଂପ୍ରୀତି ଓ ସୌହାର୍ଦ୍ଦ ବଣ୍ଟନ ଏବଂ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇ ଆସିଛି। ପ୍ରତିବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆଶା-ଆନନ୍ଦ-ସମନ୍ଵୟ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ଆର୍ଟ ଅଫ୍ ଗିଭିଂ ଦର୍ଶନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସମ୍ପାଦକ ତଥା ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ୟୁନିଟ୍-୧ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମ ନାରାୟଣ ଦାସ, ଭୁବନେଶ୍ୱରସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚବିଦ୍ୟାଳୟର ସମ୍ପାଦକ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ଓ ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆର୍ଟ ଅଫ୍ ଗିଭିଂ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ହେଲେ ପକ୍ଷୀଙ୍କ ପାଇଁ ଜଳଦାନ ବ୍ୟବସ୍ଥା କରୁଥିବା ଶୁଭ୍ରଂଶୁ ଶତପଥୀ, ଅଜଣା ଶବକୁ ଦାହ କରୁଥିବା ଋତୁରାଣୀ। ସେହିପରି ସବାଇ ଘାସ ଜରିଆରେ ବହୁ ମହିଳାଙ୍କୁ ସ୍ୱାବଲମ୍ବୀ କରିଥିବା ଉଷାରାଣୀ, ସେନାବାହିନୀରେ ଯୋଗ ଦେବା ପାଇଁ ଯୁବକମାନଙ୍କୁ ମାଗଣା ତାଲିମ ଦେଉଥିବା ସିନୁ ନାୟକ ଏବଂ ଆଶା କର୍ମୀ ବବିତାଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।

ସମସ୍ତ ଅତିଥି ଡ. ଅଚ୍ୟୁତ ସାମନ୍ତଙ୍କର ଏହି ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଅବସରରେ ଡ. ସାମନ୍ତ କହିଥିଲେ ଯେ ଆଗାମୀ ସମୟରେ ଆର୍ଟ ଅଫ୍‌ ଗିଭିଂ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.