ଅସ୍ତରଙ୍ଗ ବ୍ଲକରେ ବସୁଧା ଯୋଜନା ଫେଲ୍, ପମ୍ପ ହାଉସ ସାଜିଛି ବାଉଁଶ ବେବସାୟୀଙ୍କ ଆଡା ସ୍ଥଳୀ

ପମ୍ପ ହାଉସ ଅଛି , ଓଭରହେଡ ଟାଙ୍କି ମଧ୍ୟ ଅଛି କିନ୍ତୁ ତାହା ପାଲଟିଛି ବାଉଁଶ ବ୍ୟବସାୟୀ ମାନଙ୍କର କୁଟୀର ଶିଳ୍ପ କେନ୍ଦ୍ର ।

କାକଟପୁର(କେନ୍ୟୁଜ): ରାଜ୍ୟ ସରକାର ଲୋକମାନଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ‘ବସୁଧା’ ଯୋଜନା ମାଧ୍ୟମରେ ବିଭିନ୍ନ ପଂଚାୟତରେ ଓଭରହେଡ ଟାଙ୍କି ନିର୍ମାଣ କରିଛନ୍ତି । ଲୋକମାନଙ୍କ ଘରକୁ ଘର ପାଇପି ସଂଯୋଗ କରି ପାନୀୟ ଜଳ ଯୋଗାଇ ଦେବା ପାଇଁ ଘର ସାମ୍ନାରେ ଟ୍ୟାପ ଲଗାଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକର କେନ୍ଦ୍ରାପଟୀ ଗ୍ରାମପଞ୍ଚାୟତରେ।

ଏଠାରେ ପମ୍ପ ହାଉସ ଅଛି , ଓଭରହେଡ ଟାଙ୍କି ମଧ୍ୟ ଅଛି କିନ୍ତୁ ତାହା ପାଲଟିଛି ବାଉଁଶ ବ୍ୟବସାୟୀ ମାନଙ୍କର କୁଟୀର ଶିଳ୍ପ କେନ୍ଦ୍ର। ଏଠାରେ କୌଣସି ପମ୍ପ କର୍ମଚାରୀ ଙ୍କ ଦେଖା ନଥିଲା ବେଳେ ସେଠାରେ ବାଉଁଶ ଶିଳ୍ପ ଚାଲୁଥିବାର ଦେଖିବାକୁ ମିଳିଥିଲା। ଏହି ପମ୍ପ ହାଉସ ଏବଂ ଓଭରହେଡ ଟାଙ୍କି ଦୀର୍ଘ ଦିନ ଧରି ନିର୍ମାଣ ହୋଇଥିବା ବେଳେ , କେନ୍ଦ୍ରାପଟୀ ପଂଚାୟତର ପ୍ରାୟ ପାଞ୍ଚଖଣ୍ଡି ଗ୍ରାମବାସୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଏହା ସହାୟକ ହେବ ବୋଲି ଆଶା ରଖାଯାଇଥିଲା ।

କିନ୍ତୁ ଏହି ପମ୍ପ ହାଉସ ଏବଂ ଓଭରହେଡ ଟାଙ୍କି ନିର୍ମାଣ ଶେଷ ହେବା ଦିନ ଠାରୁ ଆଜି ଯାଏ ଲୋକମାନଙ୍କୁ ଠିକ ଭାବରେ ଏହା ପାନୀୟଜଳ ଯୋଗାଇବାରେ ସକ୍ଷମ ହୋଇପାରି ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପମ୍ପ ଚାଲିବା ପରେ ଲୋକମାନଙ୍କ ଘରକୁ ଜଳ ଯୋଗାଣ ପାଇଁ ବିଛାଇ ଦିଆଯାଇଥିବା ପାଇପ ଏବଂ ଟ୍ୟାପ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଯୋଗୁଁ ପମ୍ପ ଚାଲୁହେବା ପରେ ବି ସେଗୁଡିକ ଫାଟି ଯାଇ ଗାଁ ଦାଣ୍ଡରେ ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଲୋକମାନଙ୍କ ପାଖରେ ପାନୀୟ ଜଳ ପହଞ୍ଚି ପାରୁନାହିଁ ।

ବସୁଧା ଯୋଜନା ଯୋଗେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଲୋକମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ସରକାର ଯୋଜନା କରିଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। କାମ କରିଥିବା ଠିକା ସଂସ୍ଥା ନିମ୍ନ ମାନର ପାଇପି ଏବଂ ଟ୍ୟାପ ବ୍ୟବହାର କରିଥିବା ଯୋଗୁଁ ଏବେ ସାଧାରଣ ଲୋକମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।

pipe

ଅସ୍ତରଙ୍ଗ ବ୍ଲକ ରେ କାମ କରୁଥିବା ପାନୀୟ ଜଳ ଏବଂ ପରିମଳ ବିଭାଗର ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଏବଂ ଠିକାଦାର ସହ ପ୍ରିୟାପ୍ରୀତି ଯୋଗୁଁ କେନ୍ଦ୍ରାପଟୀ ପଂଚାୟତର ଅନେକ ଗ୍ରାମ ଦାଣ୍ଡରେ ପାନୀୟଜଳ ପାଇପ ଫାଟି ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି । ସେହିଭଳି ଅନେକ ସ୍ଥାନରେ ଟ୍ୟାପ ଗୁଡିକ ଭାଙ୍ଗି ପଡି ରହିଥିବା ବେଳେ ପାଇପ ଗୁଡିକ ମୁକୁଳା ହୋଇ ସେଥିରୁ ଅନବରତ ପାଣି ବାହାରି ବୋହିଯାଉଥିବା ଚିତ୍ର ସାମ୍ନାକୁ ଆସିଛି  । ଆଉ କେତେକ ସ୍ଥାନରେ ଟ୍ୟାପ ଭାଙ୍ଗିଯାଇଥିବାବେଳେ ଲୋକମାନେ ବାଉଁଶ କାଠି କିଳା ପାଇପ ଦେହରେ ଲଗାଇ ପାଣିକୁ ବନ୍ଦ କରୁଛନ୍ତି । ଲୋକ ମାନଙ୍କ ଘରକୁ ପାଇପ ଲାଇନ ସଂଯୋଗ ହୋଇପାରୁନଥିବା ବେଳେ ଗହିର ମଝିରେ ପାଇପ ଲଗାଇ ସେଠାରେ ଟ୍ୟାପ ସଂଯୋଗ କରାଯାଇଥିବା ମଧ୍ୟ ଦେଖିବାକୁ ମଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.