ମୋ ସ୍ତ୍ରୀ ଦେହ ଭାରି ଖରାପ, ବାଇକ୍ ନେଇ ମୋତେ ଯାହା କିଛି ଟଙ୍କା ଦିଅ…

ଭୁବନେଶ୍ୱର (କେନ୍ୟୁଜ୍) : ବୁଧବାର ଅପରାହ୍ଣ । ରାଜଧାନୀର ପ୍ରମୁଖ ଛକ ମାଷ୍ଟର କ୍ୟାଣ୍ଟିନ ମୋ ଵସ ଟର୍ମିନାଲ୍ ସମ୍ମୁଖ। ଜଣେ ଶ୍ୟାମଳ ବର୍ଣ୍ଣର ଯୁବକ ଗୋଟିଏ ଲାଲ ରଙ୍ଗର ହିରୋହଣ୍ଡା ପ୍ୟାସନ ପ୍ରୋ ବାଇକ ନମ୍ବର (OD 33-A 5796)କୁ ଧରି ଏପଟ ସେପଟ ହୋଇ ବୁଲୁଥାନ୍ତି। ବେଳେ ବେଳେ ସ୍ଥାନୀୟ ଉଠା ଦୋକାନୀଙ୍କ ନିକଟକୁ ଯାଇ କିଛି କଥାବାର୍ତ୍ତା ହେଉଥାନ୍ତି। ସେ କହୁଥାଏ ଯେ ମୋ ସ୍ତ୍ରୀଙ୍କ ଦେହ ଭଲ ନାହିଁ, ହସ୍ପିଟାଲ୍୍ରେ ଅଛନ୍ତି,ଏହି ଗାଡିଟି ରଖି ମୋତେ ପାଞ୍ଚ ହଜାର, ତିନି ହଜାର କି ଦୁଇ ହଜାର ଯାହା ବି ହେଉଛି ମୋତେ ଦିଅନ୍ତୁ। ପରେ ମୁଁ ଟଙ୍କା ଫେରାଇ ମୋ ଗାଡିଟି ନେଇଯିବି।
ମାତ୍ର ଯୁବକଙ୍କ ଚାଲିଚଳନ ଉପରେ ସନ୍ଦେହ କରି କେହି ଟଙ୍କା ଦେବାକୁ ରାଜି ହେଉ ନଥାନ୍ତି। ଶେଷରେ ଯୁବକ ଜଣକ ସ୍ଥାନୀୟ ଜଣେ ହୋଟେଲ ମାଲିକଙ୍କ ପାଖକୁ ଯାଇ ଅତି ନେହୁରା ହେଲେ । ତାଙ୍କ ବିକଳ ଦେଖି ହୋଟେଲ ମାଲିକ ଯୁବକ ଠାରୁ ଗାଡ଼ି ଚାବି ନେଲେ । ଆଉ ତାକୁ ପଇସା ପାଇଁ ଅପେକ୍ଷା କରିବାକୁ କହିଲେ । ହେଲେ ଯୁବକ ଜଣକ ଜାଣି ନଥିଲା ଯେ ହୋଟେଲ ମାଲିକ ଖୁବ୍ ଚାଲାକ । ସେ ତୁରନ୍ତ କହିଲେ, ଟିକେ ଅପେକ୍ଷା କର ମୁଁପୋଲିସ୍କୁ ଡାକୁଛି । ତାଙ୍କ ଆଗରେ ଲେଖାପଢ଼ା କରି ଟଙ୍କା ଦେବି। ଯୁବକ ଜଣକ ଟିକେ ଥମି ଗଲେ । ଆଉ କିଛି ସମୟ ଠିଆ ହୋଇ ରହିବା ପରେ ସମସ୍ତଙ୍କ ନଜରରୁ ବର୍ତ୍ତି ସେଠାରୁ ଖସି ପଳାଇଗଲେ ।
ଯାହା ବି ହେଉ ହୋଟେଲ ମାଲିକ ଏହି ଯୁବକର ଡ୍ରାମାରେ ଫସିଲେ ନାହିଁ । ସେ ସ୍ଥାନୀୟ ଫାଣ୍ଡି ଅଧିକାରୀ ନିରଞ୍ଜନ ନାୟକଙ୍କୁ ଏ ସମ୍ପର୍କରେ ସୂଚନା ଦେବାରୁ ସେ ଘଟଣା ସ୍ଥଳକୁ ଆସି ବାଇକ୍ଟିକ ନିଜ ହେପାଜତକୁ ନେଇଥିଲେ । ଆଉ ଏକଥା ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ ଯୁବକ ଜଣକ କେଉଁଠାରୁ ଗାଡ଼ିଟିକୁ ଚୋରି କରି ଆଣି ଏହାକୁ ତୁରନ୍ତ ବିକି ଦେବାକୁ ଚାହୁଁଥିଲେ । ହେଲେ ତାର ବୁଦ୍ଧି କାମ ଦେଲାନି । ବାଇକ୍ଟି ଏବେବି କ୍ୟାପିଟାଲ ଥାନାରେ ରହିଛି । ଏଯାଏ ତାର କେହି ଦାବିଦାର ପହଞ୍ଚି ନାହାନ୍ତି । ପୋଲିସ୍ ଏ ନେଇ ତଦନ୍ତ ଜାରି ରଖିଛି ।
ଆପଣମାନେ ମଧ୍ୟ ଏଭଳି ସ୍ଥିତିରେ ସେହି ହୋଟେଲ ମାଲିକଙ୍କ ଭଳି ଚାଲାକ କାମ କରନ୍ତୁ । ନହେଲେ ଫସିଯିବେ ।