ବିଜେଡି ରଣନୀତି : ଏଥର ସଂସଦରେ ମହାନଦୀ, ପୋଲଭାରମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ

ଭୁବନେଶ୍ବର : ଏଥର ମଧ୍ୟ ସଂସଦରେ ବିଜେଡି ଉଠାଇବ ମହାନଦୀ, ପୋଲଭାରମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ। ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଓ ନିଯୁକ୍ତି ସୁଯୋଗ ପ୍ରସଙ୍ଗ ଉଠାଇବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି।
ସଂସଦରେ ହେବ ଘମାସନ। ଏଥର ମଧ୍ୟ ବିଜେଡି ଉଠାଇବ, ମହାନଦୀ ଓ ପୋଲାଭରମ ପ୍ରସଙ୍ଗ। ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ମଧ୍ୟ ଅନେକ ସମସ୍ୟା ରହିଛି। ସେହିପରି ପୋଲାଭରମ ନେଇ କେନ୍ଦ୍ର ଷ୍ଟପ୍ ୱାର୍କ ଅର୍ଡରକୁ ବାରମ୍ବାର ସ୍ଥଗିତ ରଖିବା ନେଇ ବିଜେଡି କଡ଼ା ଆପତ୍ତି ଜଣାଇବ।
ସରକାର ଧାନର ଏମଏସପିକୁ ୧୭୫୦ ଟଙ୍କା କରିଛନ୍ତି। ବିଜେଡି ଏଥିରେ ସନ୍ତୁଷ୍ଟ ନୁହେଁ। କାହିଁକି ସ୍ୱାମୀନାଥନ କମିଶନ ରିପୋର୍ଟ ଅନୁଯାୟୀ ଏମଏସପି ଧାର୍ୟ୍ୟ ହେଲାନାହିଁ, ଦଳ ପ୍ରଶ୍ନ କରିବ। ଏହାସହ ନିଯୁକ୍ତି ସୁଯୋଗ ଓ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ଉଠାଇବ ବିଜେଡି।
ଏଥର ସଂସଦରେ ଚର୍ଚ୍ଚାରେ ରହିପାରେ ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗ। ବିଜେଡି ନିଜର ଦାବି ଉଠାଇବ। ସେପଟେ ସମାନ ପ୍ରସଙ୍ଗରେ ଟିଡିପି, କେନ୍ଦ୍ର ସରକାରଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣୁଛି। ଏଭଳି ସ୍ଥିତିରେ ଓଡ଼ିଶାର ଆଭିମୁଖ୍ୟ କ’ଣ? ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି।